jayashree

ଅବସରପ୍ରାପ୍ତ ପୋଲିସ ଅଫିସର୍ସ ଆସୋସିଏସନ ତରଫରୁ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ପବ୍ଲିକ ସର୍ଭିସ କମିଶନ ଦ୍ୱାରା କରାଯାଇଥିବା ପ୍ରଶାସନିକ ବୃତ୍ତିଗତ ପରୀକ୍ଷାରେ ରାଉରକେଲାରେ ଅବସ୍ଥାପିତ ଓଡିଶା ପୋଲିସ କମ୍ୟୁନିକେସନ ବିଭାଗର ଏସ୍‌ଆଇ ମନୋହର ପ୍ରଧାନ ୧୩୧ ନମ୍ବର ରଖି ଓଏଏସ୍‌ ପାଇଁ ମନୋନୀତ ହୋଇଥିବାରୁ ରାଉରକେଲାର ଅବସରପ୍ରାପ୍ତ ପୋଲିସ ଅଫିସର୍ସ କଲ୍ୟାଣ ଆସୋସିଏସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆସୋସିଏସନର ସାଧାରଣ ସମ୍ପାଦକ ଡ଼. ସୁମନ ଦତ୍ତଙ୍କ ନେତୃତ୍ୱରେ ବରିଷ୍ଠ ଉପସଭାପତି ରଂଜିତ କୁମାର ଭୋଇ, ଶ୍ରୀନିବାସ ଦାସ ଓ ଅନ୍ୟ ସଭ୍ୟମାନେ ମନୋହର ପ୍ରଧାନକୁ ପୁଷ୍ପଗୁଛ, ଉତ୍ତରୀୟ ଓ ସ୍ମୃତିଚି଼ହ୍ନ ଦେଇ ସମ୍ମାନିତ କରିବା ସହ ପୋଲିସ ବିଭାଗରେ କାର୍ଯ୍ୟ କରୁଥିବା ଅନ୍ୟ କର୍ମଚାରୀଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଥିବାରୁ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସୂଚନାଯୋଗ୍ୟ ଯେ ଶ୍ରୀ ପ୍ରଧାନ ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଥାନା ଅଧୀନରେ ଥିବା ବାଗବୁଡ଼ ଗ୍ରାମରେ ୧୯୮୯ ମସିହାରେ ଜନ୍ମ ହୋଇ ୨୦୧୦ ମସିହାରେ ସିଆଇଏସ୍‌ଏଫ୍‌ ବିଭାଗରେ ସିପାହୀ ହିସାବରେ ଭର୍ତ୍ତି ହୋଇଥିଲେ । ନିଜସ୍ୱ ପ୍ରଚେଷ୍ଟାରେ ୨୦୧୩ ମସିହାରେ ଓଡିଶା ପୋଲିସ କମ୍ୟୁନିକେସନ ବିଭାଗରେ ଏଏସ୍‌ଆଇ ଭାବେ ଯୋଗ ଦେଇ ୨୦୨୫ ମସିହାରେ ଏସ୍‌ଆଇ ପଦବୀକୁ ଉନ୍ନୀତ ହୋଇଥିଲେ । ନିଜର ପ୍ରଚେଷ୍ଟା ଓ ନିରନ୍ତର ଅଧ୍ୟବସାୟ ବଳରେ ଓଡିଶା ପବ୍ଲିକ ସର୍ଭିସ କମିଶନଙ୍କ ବୃତ୍ତିଗତ ପ୍ରଶାସନିକ ସେବା ଓଏଏସ୍‌ ପାଇଁ ମନୋନୀତ ହୋଇ ନିଜ ଅଂଚଳକୁ ଗର୍ବିତ କରିବା ସହ ଓଡିଶା ପୋଲିସ ବିଭାଗରେ ଏକ ପ୍ରେରଣାର ଉତ୍ସ ପାଲଟି ଯାଇଛନ୍ତି । ଆଗାମୀ ଦିନରେ ଜଣେ ସଫଳ ପ୍ରଶାସନିକ ଅଧିକାରୀ ହେବା ସହ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରନ୍ତୁ ବୋଲି ରଂଜିତ କୁମାର ଭୋଇ ଆଶାବ୍ୟକ୍ତ କରିଥିଲେ । ଶ୍ରୀନିବାସ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ପ୍ରଧାନ ତାଙ୍କ ଜୀବନର ଏହା ଏକ ସ୍ମରଣୀୟ ମୁହୂର୍ତ୍ତ ହୋଇ ରହିବା ସହିତ ଆଗାମୀ ଦିନରେ ସାଧାରଣ ଜନତାଙ୍କ ସେବାରେ ବ୍ରତୀ ରହିବେ ବୋଲି ପ୍ରକାଶ କରିଥିଲେ । ଉପସ୍ଥିତ ଥିବା ଜୋନାଲ ଇନ୍ସପେକ୍ଟର ପ୍ରଣୟ କିଶୋର ମହାପାତ୍ର, ଇନ୍ସପେକ୍ଟର ଯୋଗେଶ ଚନ୍ଦ୍ର ଟିଗା, ଏସ୍‌ଆଇ ଜିତେନ୍ଦ୍ର ନାୟକ, ଏଏସ୍‌ଆଇ ପ୍ରଭାତ କୁମାର ବେହେରା ଓ ଅନ୍ୟମାନେ ଶ୍ରୀ ପ୍ରଧାନକୁ ଶୁଭେଚ୍ଛା ଜଣାଇଥିଲେ ।

Leave A Reply

Your email address will not be published.