om academy

ପାଣି ପାଇଁ ବିକଳ ହେଉଛନ୍ତି ଯୁବାମାଲ ଗ୍ରାମବାସୀ

jsm

· ୮ବର୍ଷରୁ ଉର୍ଦ୍ଧ ହେବ ଅଧପନ୍ତରିଆ ହୋଇ ପଡିଛି ୫୦ ଲକ୍ଷ ଟଙ୍କାର ଜଳ ଯୋଗାଣ ପ୍ରକଳ୍ପ
· ଠିକାଦାର ଓ ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀଙ୍କ ଅର୍ଥ ଆତ୍ମସାତ୍‌ ଅଭିଯୋଗ ଆଣିଲେ ଗ୍ରାମବାସୀ : ଭିଜିଲାନ୍ସ ତଦନ୍ତ ଦାବୀ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ଉପାନ୍ତ ମାଓ ପ୍ରବଣ କନ୍ଦେଇ ପଂଚାତୟତର ଯୁବାମାଲ ଗାଁ । ଗାଁଟି ବଲାଙ୍ଗିର ଜିଲ୍ଲା ଓ ନୂଆପଡା ଜିଲ୍ଲାର ସୀମାରେ ରହିଛି । ଘଂଚ ଜଂଗଲ ଏବଂ ଗମନା ଗମନର ସୁବିଧା ନ ଥିବା ଉପାନ୍ତ ମାଓ ପ୍ରବଣ ଅଂଚଳରେ ସମସ୍ତ ସରକାରୀ ଯୋଜନା ବାଟ ବଣା ହୋଇପଡିଥିବା ଜଣାପଡ଼ିଛି । ଏପରିକି ଉକ୍ତ ମାଓ ପ୍ରବଣ ଅଂଚଳରେ ସରକାରୀ ବାବୁ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଯୋଜନା ସବୁ ଅଧା ପନ୍ତରିଆ କରି ଟଙ୍କା ଆତ୍ମସାତ୍‌ ହୋଇଥିବା ବେଳେ କେତେକ ଯୋଜନା ସଂପୂର୍ଣ୍ଣ କାଗଜ କଲମରେ ସୀମିତ ବୋଲି ଗାଁବାସୀ ଅଭିଯୋଗ କରିଛନ୍ତି ।

ବିଶେଷ ଅନୁସଂଧାନ ବେଳେ କଂଦେଇ ପଂଚାୟତର ଯୁବାମାଲ ଗାଁରେ ଚଳିତ ବର୍ଷ ପାଣିର ଉକ୍ରଟ ଅଭାବ ଦେଖିବାକୁ ମିଳିଛି । ଗାଁବାସୀ ପାଣି ମୁନ୍ଦାଏ ପାଇଁ ବିକଳ ହେଉଛନ୍ତି । ପଂଚାୟତ କିମ୍ବା ବ୍ଲକ ପ୍ରଶାସନ ତରଫରୁ ପାଣି ଟେଂକର ଯୋଗେ ଯୋଗାଣ ବ୍ୟବସ୍ଥା ହୋଇନାହିଁ । ପଂଚାୟତ ତରଫରୁ କେବଳ କେତୋଟି ସ୍ଥାନରେ ଜଳଛତ୍ର କରି ନିଜର ଦାୟୀତ୍ୱ ସାରି ଦିଆଯାଇଛି । ହେଲେ ପଂଚାୟତ ଅଧୀନରେ ଥିବା ଗାଁ ଗୁଡିକରେ ଜନସାଧାରଣ ଓ ଜୀବଜନ୍ତୁ ପାଇଁ ନିତ୍ୟ ବ୍ୟବହାର୍ଯ୍ୟ ପାଣି ନ ଥିବାରୁ ଉକ୍ରଟ ଜଳ ସମସ୍ୟା ଦେଖାଦେଇଛି । ଗାଁ ଗାଁରେ ଥିବା ବନ୍ଧ, କଟା, ପୋଖରୀ ଏପରି କି ନଳକୂପ ମଧ୍ୟ ଶୁଖି ଯାଇଥିବାରୁ ଜନସାଧାରଣ ଅସୁବିଧା ଭୋଗୁଛନ୍ତି । ଏଥି ମଧ୍ୟରୁ ଯୁବାମାଲରେ ସମସ୍ୟା ଅନେକ । ଗାଁରେ ୩ଟି ବସ୍ତି ରହିଛି ଯାହା ଭୋଇପଡା, ଗଉଡପଡା ଏବଂ ଖଲିଆପଡା । ଭୋଇପଡାରେ ୨୫ଟି ଆଦିବାସୀ କନ୍ଧ ସଂପ୍ରଦାୟର, ଗଉଡ଼ପଡାରେ ୪୦ଟି ଗଉଡ ସଂପ୍ରଦାୟର ଏବଂ ଖଲିଆପଡାରେ ୨୦ଟି ପରିବାର, ଏପରି ଭାବେ ୮୦/୯୦ଟି ପରିବାର ବସବାସ ମଧ୍ୟରେ ଜନସଂଖ୍ୟା ପ୍ରାୟ ୨୫୦୦ ରୁ ୩୦୦୦ ମଧ୍ୟରେ ରହିଛି । ଏହି ଗାଁର ୩ଟି ପଡାବାସୀ ପାଇଁ ୩ଟି ନଳକୂପ ଥିବା ବେଳେ ୨ଟି ସଂପୂର୍ଣ୍ଣ ଖରାଫ ହୋଇ ପଡିଛି । କେବଳ ଗୋଟିଏ ନଳକୂପ ଭରସାରେ ଗାଁବାସୀ । ଗାଁରେ ଥିବା ବନ୍ଧ ସଂପୂର୍ଣ୍ଣ ଶୁଖିଲା ପଡିଛି ।

ଗାଁବାସୀଙ୍କୁ ବସୁଧା ଯୋଜନାରେ ପାଇପ୍‌ ଯୋଗେ ପାଣି ଯୋଗାଇବା ପାଇଁ ୫୦ ଲକ୍ଷ ଟଙ୍କା ବ୍ୟୟରେ ଗତ ୨୦୧୩ ମସିହାରେ ଏକ ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ଗାଁର ଭଦ୍ରବ୍ୟକ୍ତିଙ୍କ ତରଫରୁ ଗଉଡପଡାରେ ଜମି ଦାନ କରାଯାଇଛି । ଏହି ଜମି ଉପରେ ଏକ ବିରାଟକାୟ ଗଭୀର ନଳକୂପ ଏବଂ ପମ୍ପ ହାଉସ ନିର୍ମାଣ ସରିଛି । ଏପରିକି ଗାଁରେ ପାଇପ୍‌ ମଧ୍ୟ ବିଛା ସରିଛି । ହେଲେ ଆଠ ବର୍ଷ ତଳେ ସଂପୂର୍ଣ୍ଣ ହୋଇଥିବା ପ୍ରକଳ୍ପ ଆଜି ଯାଏ କାର୍ଯ୍ୟକାରୀ ହୋଇପାରି ନାହିଁ । ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପ୍ରକଳ୍ପ କାହିଁକି କାର୍ଯ୍ୟକାରୀ ହୋଇପାରି ନାହିଁ, ତାହା ଗାଁବାସୀ ଜାଣି ପାରି ନାହାନ୍ତି । ଜଳ ଯୋଗାଣ କାହିଁକି କରାଯାଇ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଗତ ଆଠବର୍ଷ ହେଲା କଂଟାବାଂଜି ଗ୍ରାମ୍ୟ ଜଳ ଯୋଗାଣ ସବ୍‌ଡିଭିଜନ ଓ ତୁରେକେଲା ବ୍ଲକ କାର୍ଯ୍ୟାଳୟକୁ ଧାଇଁ ଧାଇଁ ନୟାନ୍ତ ହୋଇଥିବା ଗାଁବାସୀ ସଦାସିଂ ଆଡଯୁଏଡ, କିଶୋର ଚନ୍ଦ୍ର ଆଡଯୁଏଡ, ଟଙ୍କଧର ଆଡଯୁଏଡ, ଉପେନ୍ଦ୍ର ଆଡଯୁଏଡ, କ୍ଷୀରସିନ୍ଧୁ ଆଡଯୁଏଡ ସହ ସମିତି ସଭ୍ୟ ହରି ଆଡଯୁଏଡ ରବିବାର ଦିନ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ଉପରେ ପ୍ରକଳ୍ପ ନିର୍ମାଣ ସରିଥିବା ବେଳେ ଓଭର୍‌ ହେଡ୍‌ ଟ୍ୟାଙ୍କ ନିର୍ମାଣ ନ କରିବାର କାରଣ କ’ଣ ବୋଲି ସ୍ଥାନୀୟ କନିଷ୍ଠ ଯନ୍ତ୍ରୀ ସୁଧାରକର ପଣ୍ଡା ଏବଂ ଏସ.ଡି.ଓ. ପ୍ରଶାନ୍ତ ବାଗେଙ୍କୁ ପଚାରିଲେ କୌଣସି ସନ୍ତୋଷ ଜନକ ଉତ୍ତର ନ ଦେଇ କେବଳ କାର୍ଯ୍ୟକାରୀ କରାଯିବ ବୋଲି ଖବର ସଂଗ୍ରହ ବେଳେ କହିଛନ୍ତି । ଦୀର୍ଘ ଆଠବର୍ଷ ବିତି ଯାଇଥିଲେ ସୁଦ୍ଧା ଗାଁରେ ପାଣି ପାଇଁ ପ୍ରତ୍ୟେକ ଗ୍ରୀଷ୍ମ ଋତୁ ସମୟରେ ଲୋକେ ବ୍ୟାକୁଳ ହେଉଥିଲେ ମଧ୍ୟ କାହିଁକି ସଂପୂର୍ଣ୍ଣ କରାଯାଇ ନାହିଁ ବୋଲି ପ୍ରଶ୍ନ ଉଠୁଛି । ଏଥିରେ ସଂପୃକ୍ତ ଠିକଦାର ଓ ଅଧିକାରୀମାନେ ପ୍ରକଳ୍ପ ଟଙ୍କା ଆତ୍ମସାତ୍‌ କରିଥିବା ମହିଳା ସ୍ୱଂୟ ସହାୟକ ଗୋଷ୍ଠୀର ସଭ୍ୟା ଜୟନ୍ତୀ ଆଡଯୁଏଡ, ନନ୍ଦିନୀ ଆଡଯୁଏଡ, ଲୁଚନେ ଆଡଯୁଏଡ, ଭାନୁମତି ଆଡଯୁଏଡ, ଫୁଲମତି ଆଡଯୁଏଡ, ମମତା ଆଡଯୁଏଡ, ଗୀତାଞ୍ଜଳି ଆଡଯୁଏଡ ଅଭିଯୋଗ କରିବା ସହିତ ସଂପୃକ୍ତ ଠିକଦାର ଓ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତି ଦାବୀ କରିଛନ୍ତି ।

Leave A Reply

Your email address will not be published.