jayashree

ଜରାସିଂହା ବାଇପାସକୁ ମିଳିଲା ପ୍ରଶାସନିକ ମଞ୍ଜୁରୀ : ୧୦କୋଟି ଟଙ୍କାର ନିର୍ମାଣହେବ ୨କି.ମି.ର ରାସ୍ତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟସରକାର ବିଭିନ୍ନ ରାସ୍ତାରେ ପଡୁଥିବା ଗ୍ରାମମାନଙ୍କରେ ବାଇପାସ ରାସ୍ତା ନିର୍ମାଣ କରାଉଛନ୍ତି । ମୁଖ୍ୟତଃ ପୂର୍ତ୍ତରାସ୍ତାମାନଙ୍କରେ ପଡୁଥିବା ବଡଗ୍ରାମମାନଙ୍କରେ ବଡବଡ ଯାନବାହନ ପାଇଁ ବସ୍ତିଭିତରେ ଟ୍ରାଫିକ ସମସ୍ୟା ଦେଖାଦେଉଛି । ତେଣୁ ବାଇପାସ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ବଲାଙ୍ଗିର ପୂର୍ତ୍ତଡିଭିଜନ ଅନ୍ତର୍ଗତ ଦେଓଗାଁ ବ୍ଲକର ଐତିହାସିକ ଜରାସିଂହା ଗ୍ରାମରେ ବାଇପାସ ରାସ୍ତାପାଇଁ ବିଧାୟକ କଳିକେଶ ନାରାୟଣ ସିଂହଦେଓ ରାଜ୍ୟସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ଏହାର ଆବଶ୍ୟକ ସର୍ଭେପରେ ଏହାକୁ ପ୍ରଶାସନିକ ମଞ୍ଜୁରୀ ଦିଆଯାଇଛି । ପୂର୍ତ୍ତ ବିଭାଗର ଇଞ୍ଜିନିୟରିଂ ଇନ-ଚିଫ କାର୍ଯ୍ୟାଳୟରୁ ଚିଫ୍‌ଇଞ୍ଜିନିୟର(ରାସ୍ତା)ଓଡିଶା ବଲାଙ୍ଗିର ମୁଖ୍ୟ ନିର୍ମାଣଯନ୍ତ୍ରୀଙ୍କୁ ଦେଇଥିବା ତାଙ୍କ ପତ୍ରସଂଖ୍ୟା-୩୯୪୦୫ ତା.୨୭.୧୦.୨୦୨୬ରେ ଜରାସିଂହା ବାଇପାସ(୧.୮୨୨କିମି) ରାସ୍ତାର ନିର୍ମାଣ ପାଇଁ ଏଲାଇନମେଣ୍ଟକୁ ମଞ୍ଜୁରୀ ଦିଆଯାଇଥିବା ଉଲ୍ଲେଖ ରହିଛି । ଏଥିପାଇଁ ପ୍ରାୟ ୧୦କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି । ପ୍ରକାଶ ଯେ, ଦେଓଗାଁ ତୁଷୁରା ପୂର୍ତ୍ତବିଭାଗର ରାସ୍ତାରେ ଜରାସିଂହା ଏକ ବଡଗ୍ରାମ ପଡୁଛି । ବିଭିନ୍ନ ଯାନବାହନ ଗଲାବେଳକୁ ବସ୍ତି ଭିତରେ ଟ୍ରାଫିକ ସମସ୍ୟା ଦେଖାଦେଉଛି । ସେଥିପାଇଁ ଗ୍ରାମବାସୀ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ପାଖରେ ଦାବି ଜଣାଇଥିଲେ । ବିଧାୟକ ଶ୍ରୀ ସିଂହଦେଓ ଏନେଇ ପୂର୍ତ୍ତବିଭାଗରମନ୍ତ୍ରୀ ଓ କମିଶନରଙ୍କୁ ଚିଠି ଲେଖିଥିଲେ । ଏହାପରେ ରାଜ୍ୟସରକାରଙ୍କ ନିର୍ଦ୍ଦେଶରେ ବଲାଙ୍ଗିର ପୂର୍ତ୍ତ ଡିଭିଜ ପକ୍ଷରୁ ଆବଶ୍ୟକ ସର୍ଭେ କରାଯାଇ ସରକାରଙ୍କୁ ପ୍ରସ୍ତାବ ପଠାଇଥିଲେ । ଏହି ପ୍ରସ୍ତାବକୁ ରାଜ୍ୟସରକାରଙ୍କ ପୂର୍ତ୍ତବିଭାଗ ଅନୁମୋଦନ କରିଛି । ଏହି ଖବର ପ୍ରଚାରିତ ହେବାପରେ ଦେଓଗାଁ ଜରାସିଂଘା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଜରାସିଂହା ବାଇପାସକୁ ମଞ୍ଜୁରୀ ଦେଇଥିବାରୁ ଦେଓଗାଁ ବ୍ଲକର ପୂର୍ବବ୍ଲକ ଅଧ୍ୟକ୍ଷ ତଥା ବିଜେଡିର ରାଜ୍ୟସଂପାଦକ ଲକ୍ଷ୍ମଣକୁମାର ମେହେର, ବିଜେଡିର ବରିଷ୍ଠନେତା ଉମାଶଙ୍କର ସିଂ, ଦେଓଗାଁ ବ୍ଲକର ବିଧାୟକଙ୍କ ପ୍ରତିନିଧି ସୁଶିଳ କୁମାର ଚାନ୍ଦ ପ୍ରମୁଖ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ, ରାଜ୍ୟସରକାରଙ୍କ ପୂର୍ତ୍ତ ବିଭାଗର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଂଞ୍ଜୟ ସିଂଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.