jayashree

ବିଶ୍ୱ ଷ୍ଟ୍ରୋକ୍ ଦିବସରେ ଆପୋଲୋର ସଚେତନତା ଅଭିଯାନ : BEFAST ମନେ ରଖିବାକୁ ପରାମର୍ଶ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱ ଷ୍ଟ୍ରୋକ୍ ଦିବସ ଅବସରରେ ଆପୋଲୋ ହସ୍ପିଟାଲ୍ସ, ରାଉରକେଲା ପକ୍ଷରୁ ‘ଷ୍ଟ୍ରାଇକ୍ ଷ୍ଟ୍ରୋକ୍ – ସଠିକ୍ ପ୍ରତିକ୍ରିୟାର ଶକ୍ତି’ ଅଭିଯାନ ଆରମ୍ଭ କରାଯାଇଛି । ଏହି ଅବସରରେ ଆପୋଲୋ ହସ୍ପିଟାଲ ପରିସରରେ ବିଶେଷଜ୍ଞଙ୍କ ସହ ଆୟୋଜିତ ଆଲୋଚନା ଚକ୍ରର ନିଷ୍କର୍ଷ ଅନୁଯାୟୀ ମସ୍ତିଷ୍କକୁ ରକ୍ତ ଯୋଗାଣ ବନ୍ଦ ହେଲେ ବା ରକ୍ତନଳୀ ଫାଟିଗଲେ ଷ୍ଟ୍ରୋକ୍ ହୁଏ । ଏହାର ଲକ୍ଷଣ ଦେଖିଲେ ତୁରନ୍ତ ଜରୁରୀ ଚିକିତ୍ସା ନେବାକୁ ହସ୍ପିଟାଲ ପରାମର୍ଶ ଦେଇଛି । ଲକ୍ଷଣ କମିଗଲେ ମଧ୍ୟ ଅଣଦେଖା ନକରି ଡାକ୍ତରଙ୍କୁ ଦେଖାଇବା ଜରୁରୀ । ହସ୍ପିଟାଲରେ ୨୪ ଘଣ୍ଟା ଜରୁରୀ, କ୍ରିଟିକାଲ କେୟାର, ଷ୍ଟ୍ରୋକ୍ ଆସେସମେଣ୍ଟ, ଥ୍ରୋମ୍ବୋଲିସିସ୍, ସିଟି-ଏମଆରଆଇ, ଆଞ୍ଜିଓଗ୍ରାଫି, ନ୍ୟୁରୋ-ଏଣ୍ଡୋଭାସ୍କୁଲାର ପ୍ରକ୍ରିୟା ଓ ଡିକମ୍ପ୍ରେସିଭ୍ କ୍ରାନିଏକ୍ଟୋମି ସୁବିଧା ରହିଛି । ଏଥିସହ ଫାଇବ ଜି ଆମ୍ବୁଲାନ୍ସ, ଏଆଇ ଆସେସମେଣ୍ଟ, ୨୪ ଘଣ୍ଟା ପର୍ଯ୍ୟନ୍ତ ଥ୍ରୋମ୍ବେକ୍ଟୋମି, ରୋବୋଟିକ୍ ରିହାବ, ହୋମ୍ ନର୍ସିଂ ଓ ରିମୋଟ ମନିଟରିଂ ବ୍ୟବସ୍ଥା ରହିଛି । ଏସମ୍ପର୍କରେ ବରିଷ୍ଠ ନ୍ୟୁରୋ ସର୍ଜନ ଡା. ଆୟୁଷ୍ମାନ ସତପଥୀ କହିଛନ୍ତି, ଷ୍ଟ୍ରୋକ୍ ଓ ମସ୍ତିଷ୍କ ଆଘାତରେ ତୁରନ୍ତ ନିଷ୍ପତ୍ତି ନେଇ ମସ୍ତିଷ୍କକୁ ସୁରକ୍ଷିତ ରଖିବା ଜରୁରୀ । ବରିଷ୍ଠ ନ୍ୟୁରୋଲୋଜିଷ୍ଟ ଡା. ଦୀପ୍ତି ରଞ୍ଜନ ତ୍ରିପାଠୀ କହିଛନ୍ତି, ଉଚ୍ଚ ରକ୍ତଚାପ, ଡାଇବେଟିସ, କୋଲେଷ୍ଟ୍ରଲ, ହୃଦସ୍ପନ୍ଦନ ଅନିୟମିତତା ଭଳି ବିପଦକୁ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ଦ୍ୱାରା ଚିହ୍ନିବା ଦରକାର । ଡା. ଅଭିଷେକ ନନ୍ଦା କହିଛନ୍ତି, BEFAST ମନେ ରଖନ୍ତୁ – B- ବାଲାନ୍ସ ହରାଇବା, E- ଆଖି ଦୃଷ୍ଟି ବଦଳିବା, F- ମୁହଁ ବଙ୍କା ହେବା, A- ହାତ ଦୁର୍ବଳ, S- କଥାରେ ଅସୁବିଧା, T- ତୁରନ୍ତ ସାହାଯ୍ୟ ନିଅନ୍ତୁ । ଔଷଧ ସେବନ, ଡାକ୍ତର ପରାମର୍ଶ ଓ ରିହାବ ମଧ୍ୟ ଜରୁରୀ । ସେହିପରି ଡା. ଚେତନ ରେଡି ଉପାଦେୟ ବକ୍ତବ୍ୟ ରଖିଥିଲେ । ଡା. ଅନୁପମ ମହାପାତ୍ରଙ୍କ ସଂଯୋଜନାରେ ଏହି ଉପାଦେୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ବହୁ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ତଥା ବିଶେଷଜ୍ଞ ସହ ଡାକ୍ତରମାନଙ୍କୁ ସମ୍ମାନିତ କରାଯାଇଥିଲା । ହସ୍ପିଟାଲର ମୁଖ୍ୟ ପରିଚାଳକ ଡା. ଅଖିଳ ଜୈନ ଓ ବରିଷ୍ଠ ଡ଼ାକ୍ତର ଦେବାଶିଷ ପଟ୍ଟନାୟକ ଉପସ୍ଥିତ ଥିଲେ । ଆବଶ୍ୟକ ଷ୍ଟ୍ରୋକ୍ ଜରୁରୀ ସହାୟତା ପାଇଁ ୧୦୬୬ ନମ୍ବର ରେଆପୋଲୋ ହସ୍ପିଟାଲ୍ସ, ସେକ୍ଟର ୧୯, ରାଉରକେଲାରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.