jayashree

ସଡ଼କ ଦୁର୍ଘଟଣାରେ ବରିଷ୍ଠ କଂଗ୍ରେସ ନେତା ସୁରେଶ ଚନ୍ଦ୍ର ପଧାନଙ୍କ ପରଲୋକ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍‌ର ବରିଷ୍ଠ କଂଗ୍ରେସ ନେତା ତଥା ଗର୍ଭଣା ଗ୍ରାମର ବିଶିଷ୍ଟ ସମାଜସେବୀ ସୁରେଶ ଚନ୍ଦ୍ର ପଧାନଙ୍କ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି । ତାଙ୍କ ଅକାଳ ବିୟୋଗରେ ସୋହେଲା ସମେତ ସମଗ୍ର ଅଞ୍ଚଳରେ ଗଭୀର ଶୋକରଛାୟା ଖେଳିଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ସୁରେଶ ଚନ୍ଦ୍ର ପଧାନ କୌଣସି କାର୍ଯ୍ୟରେ ନିଜ ବାଇକ୍‌ ଯୋଗେ ୧୦ ମାଇଲ ଛକ ଅଭିମୁଖେ ଯାଉଥିଲେ । ଏହି ସମୟରେ ମହାରାଷ୍ଟ୍ର ନମ୍ବର ବିଶିଷ୍ଟ ଏକ ଆର୍ଟିଗା କାର୍‌ର ଚକ ଫାଟିଯିବାରୁ ଗାଡ଼ିଟି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତ୍ୟୁ ବେଳକୁ ସେ ପତ୍ନୀ ଯଶୋବନ୍ତି ପଧାନ, ଦୁଇ ପୁଅ ବାପୁନ ଓ ଲିପୁନ, ଏକମାତ୍ର ଝିଅ ଚେତନା, ପୁତ୍ରବଧୂ ଏବଂ ନାତିନାତୁଣୀଙ୍କୁ ଛାଡ଼ି ଯାଇଛନ୍ତି । ଜଣେ ଦକ୍ଷ ରାଜନୈତିକ କର୍ମୀ, ବରିଷ୍ଠ କଂଗ୍ରେସ ନେତା ଓ ସମାଜସେବୀ ଭାବେ ସୁରେଶ ଚନ୍ଦ୍ର ପଧାନଙ୍କର ଅଞ୍ଚଳରେ ଏକ ସ୍ୱତନ୍ତ୍ର ପରିଚୟ ରହିଥିଲା । ତାଙ୍କ ବିୟୋଗରେ ରାଜନୈତିକ ମହଲ ସମେତ ବିଭିନ୍ନ ବର୍ଗର ଲୋକେ ଗଭୀର ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.