କ୍ରେନ୍‌ – ବାଇକ୍ ମୁହାମୁହିଁ ଘଟଣା : ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ, ବୁର୍ଲା ଯିବା ବେଳେ ଜଣେ ଓ ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଜଣକ ବି ଚାଲିଗଲେ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ- ତୁଷୁରା ରାସ୍ତାର ରେଲୱେ ଫାଟକ ଓ ଡଙ୍ଗାପଥର ଗାଁ ମଝିରେ କ୍ରେନ ସହ ସାମ୍ନା ପଟରୁ ଧକ୍କା ହେଲା ବାଇକ । ଯାହାଫଳରେ ବାଇକରେ ଥିବା ତିନି ଯୁବକଙ୍କ ମଧ୍ୟରୁୁ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଥିଲେ । ଗୁରୁତର ଯୁବକମାନଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କୁ ବୁର୍ଲା ଡ଼ାକ୍ତରଖାନାକୁ ପଠାଯାଇଥିଲା । ସୂଚନା ଅନୁସାରେ ଘଟଣା ସ୍ଥଳରେ ମୃତ ଯୁବକ ଜଣକ ବଲାଙ୍ଗିର ସହର ସାଗରପଡାର ହେମନ୍ତ ମନହୀରା । ଗୁରୁତର ହୋଇ ବୁର୍ଲା ଯାଉଥିବା ବେଳେ ନୁଆଁଖାଉ ଚାଆର ଓ ଇଚ୍ଛାପଡ଼ାର ପେଟୁ ମହାଲିଙ୍ଗ ଗୁରୁତର ଅବସ୍ଥାରେ ବୁର୍ଲାରେ ଭର୍ତ୍ତି ହେବା ପରେ ଚିକିତ୍ସା ବେଳେ ମୃତ୍ୟୁମୁଖରେ ପଡ଼ିଛ‌ନ୍ତି ।

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ସହରର ତିନି ଯୁବକ ତୁଷୁରା ନିକଟରେ ଥିବା ଉଡାଜାହାଜ ପଡିଆ ନିକଟରେ ରଂଗ କାମ କରି ଫେରୁଥିବା ସମୟରେ କ୍ରେନ୍‌ ଧକ୍କା ଦେଇଥିଲା । କ୍ଷତିପୂରଣ ଦାବୀ ନେଇ ପରିବାର ଲୋକ ଦେଓଗାଁ-ତୁଷୁରା ରାସ୍ତାକୁ ୩ ଘଣ୍ଟା ଶବ ରଖି ଅବରୋଧ କରିଥିଲେ । ତୁଷୁରା ଆଇଆଇସି ଯଶୋବନ୍ତ ପ୍ରଧାନୀ, ଏସଆଇ ତୁଳସୀରାମ ଶବର ଘଟଣା ସ୍ଥଳକୁ ପହଞ୍ଚି ଲୋକଙ୍କୁ ବୁଝାସୁଛା କରି ପଡିଥିବା ଶବ ଓ ଗାଡିକୁ ଜବତ କରିଥିଲେ । କ୍ଷତିପୂରଣ ବାବଦରେ ଗାଡି ମାଲିକ କିଛି ଆର୍ଥିକ ସହାୟତା ଦେବାକୁ ଲିଖିତ ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା । ତୁଷୁରା ପୁଲିସ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.