ଆଜି ବିଶ୍ୱ ଏଡ୍ସ ଦିବସ : ଲୋଇସିଂହାରେ ୧୦ ବର୍ଷରେ ୬୪ ଏଡ୍ସ ରୋଗୀ ଚିହ୍ନଟ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅଂଚଳରେ ମହାମାରୀ ଏଡ୍‌ସ କ୍ରମଶଃ ତାର କାୟା ବିସ୍ତାର କରିବାରେ ଲାଗିଛି । ଅନିୟନ୍ତ୍ରିତ ଡ୍ରଗ୍ସ ସେବନ, ବିଶୃଙ୍ଖଳିତ ଯୌନ ଜୀବନ ତଥା ଦେଶାନ୍ତରୀ ଶ୍ରମିକ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି ।

ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତ ୨୦୧୦ ଅଗଷ୍ଟରେ ସମନ୍ବିତ ପରାମର୍ଶ ଓ ପରୀକ୍ଷା କେନ୍ଦ୍ର (ଆଇସିଟିସି) ସ୍ଥାପିତ ହେବାପରେ ସେହିବର୍ଷ ଡିସେମ୍ବର ୧୫ରୁ ଏଚଆଇଭି ପରୀକ୍ଷା ଆରମ୍ଭ କରାଯାଇଥିଲା । ଚଳିତ ୨୦୨୦ ନଭେମ୍ବର ୩୦ ସୁଦ୍ଧା ଏହି ପରୀକ୍ଷା କେନ୍ଦ୍ରରେ ମୋଟ ୩୩ ହଜାର ୯୮୧ ବ୍ୟକ୍ତି ରକ୍ତ ପରୀକ୍ଷା କରାଇଥିବା ବେଳେ ତନ୍ମଧ୍ୟରୁ ପ୍ରାୟ ୬୪ ଜଣ ବ୍ୟକ୍ତିଙ୍କ ଶରୀରରେ ଏଚଆଇଭି ଭୁତାଣୁ ଥିବା ପରୀକ୍ଷଣ କେନ୍ଦ୍ର ସୂତ୍ରରୁ ଜଣାଯାଇଛି । ଏହି ୬୪ ଜଣଙ୍କ ମଧ୍ୟରୁ ୪୭ ଜଣ ପୁରୁଷ, ୧୫ ଜଣ ମହିଳା ଓ ଜଣେ କିନ୍ନର ଏଡ୍ସ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଉଦବେଗର ବିଷୟ ହେଲା ଏହି ୬୪ ଜଣଙ୍କ ମଧ୍ୟରୁ ଅର୍ଦ୍ଧାଧିକ ହେଲେ ଯୁବକ, ଆଉ ସେମାନଙ୍କ ବୟସ ୨୨ ରୁ ୩୫ ବର୍ଷ ମଧ୍ୟରେ । ଲୋଇସିଂହା ଭଳି ଛୋଟ ସହର ତଥା ଆଖପାଖ ଗ୍ରାମାଞ୍ଚଳରେ ମାତ୍ର ଦଶ ବର୍ଷ ମଧ୍ୟରେ ୬୪ ଜଣ ଏଡ୍ସରୋଗୀ ଚିହ୍ନଟ ହେବା ବୁଦ୍ଧିଜୀବୀ ମହଲରେ ଆଲୋଡନ ସୃଷ୍ଟି କରିଛି । ଚଳିତ ବର୍ଷ କରୋନା ମହାମାରୀ ପରିପ୍ରେକ୍ଷୀରେ ପୂର୍ବବର୍ଷ ଅପେକ୍ଷା କମ ବ୍ୟକ୍ତି ରକ୍ତ ପରୀକ୍ଷା କରାଇଥିବା ଜଣାଯାଇଛି । ଗତ ୨୦୧୬ ରେ ୩୫୨୩ ଜଣ, ୨୦୧୭ ରେ ୩୩୩୧, ୨୦୧୮ ରେ ୩୪୬୪, ୨୦୧୯ ରେ ୨୮୪୭ ଏବଂ ଚଳିତ ୨୦୨୦ ନଭେମ୍ବର ସୁଦ୍ଧା ୨୨୦୭ ଜଣ ବ୍ୟକ୍ତି ରକ୍ତ ପରୀକ୍ଷା କରାଇଥିବା ଜଣାଯାଇଛି । ଏହି ପରୀକ୍ଷଣ କେନ୍ଦ୍ର ଆରମ୍ଭ ହେବାର ବର୍ଷକ ମଧ୍ୟରେ ୮ ଜଣ ଏଡ୍ସ ରୋଗୀ ଚିହ୍ନଟ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଏହି ସଂଖ୍ୟା ୮ ଗୁଣ ବୃଦ୍ଧି ପାଇଥିବା ଯୋଗୁଁ ବୁଦ୍ଧିଜୀବୀ ମହଲରେ ଚିନ୍ତାର ବିଷୟ ପାଲଟିଛି । ଦୀର୍ଘଦିନ ହେଲା ଲୋଇସିଂହା ସ୍ଥିତ ଆଇସିଟିସି କେନ୍ଦ୍ରରେ କୌଣସି ଲେବ ଟେକ୍ନିସିଆନ ନ ଥିବାରୁ ସାଧାରଣରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ପ୍ରକାଶ କରିଛିନ୍ତି ଏହାର ପରାମର୍ଶଦାତା ଖଗେଶ୍ବର ଗଡତ୍ୟା । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.