pakka

୭ ଆନ୍ତଃଜିଲ୍ଲା ଡକାୟତ ଗିରଫ : ବିଭିନ୍ନ ମାରଣାସ୍ତ୍ର ସହ ପିସ୍ତଲ୍, ମୋବାଇଲ ଏବଂ ବୋଲେରୋ ଜବତ

bbehera

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ପଣ୍ଡ ହେଲା ଡକାୟତି ଯୋଜନା । ଡକାୟତି ପାଇଁ ଯୋଜନା କରିଥିବା ଆନ୍ତଃ ଜିଲ୍ଲାର ୭ଜଣ ସଦସ୍ୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଟିଟିଲାଗଡ଼ ପୁଲିସ । ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସୂଚନାମତେ, ଗତକାଲି ରାତି ସାଢ଼େ ୧୦ଟାରେ ଟିଟିଲାଗଡ଼ ପୁଲିସର ଏକ ଟିମ୍ ଟିଟିଲାଗଡ଼ ବ୍ଲକ ସିହିନୀ ପଞ୍ଚାୟତ ଅଞ୍ଚଳରେ ରାତ୍ରୀକାଳୀନ ପାଟ୍ରୋଲିଂ କରୁଥିଲେ । ତେବେ ସିହିନୀର ବଛାଯୁଝାରୁ ୧କିମି. ଦୂରସ୍ଥ ଏକ ଧାନ ଖଳାରେ ଗୋଟିଏ ବଲେରୋ ଗାଡ଼ି ସହ ଦୁଇ ଜଣ ଛିଡ଼ା ହୋଇଥିବା ଦେଖି ପୁଲିସ ସନ୍ଦେହ କରି ପଚରା ଉଚୁରା କରୁଥିଲା । ଏହି ସମୟରେ ଖଳାର ଅନ୍ୟପଟେ ବସିଥିବା ଆଉ ଜଣେ ଫେରାର ମାରିବାକୁ ଉଦ୍ୟମ କରିବାରୁ ପୁଲିସ ତା’ସହ ୭ ଜଣକୁ କାବୁ କରିନେଇଥିଲା । କାବୁ କରିବା ପରେ ଥାନାଧିକାରୀ ରଞ୍ଜନ ବରିହା ଓ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥି ଘଟଣାସ୍ଥଳରେ ପହଂଚିଥିଲେ । ତଦନ୍ତ କରିବାରୁ ଜଣା ପଡିଥିଲା ଯେ, ୭ଜଣ ବଙ୍ଗୋମୁଣ୍ଡା ଥାନା ପଛପଟେ ରହିଥିବା ଜଣେ ବ୍ୟବସାୟୀଙ୍କ ଘରେ ଡକାୟତି କରିବା ଯୋଜନା କରିଥିଲେ । ଆଉ କିଛି ସମୟ ପରେ ଡକାୟତି କରିବାକୁ ଯାଇଥାନ୍ତେ । ସେଥିପାଇଁ ଏମାନେ ଯୋଜନା ମଧ୍ୟ କରିଥିଲେ । ଏହା ଜାଣି ପୁଲିସ ୭ଜଣକୁ ଟିଟିଲାଗଡ଼ ଥାନାକୁ ଆଣି ରାତ୍ରି ସାଢ଼େ ୪ଟାରେ ଗିରଫ ଦର୍ଶାଇଥିଲା । ତେବେ ଗିରଫ ହୋଇଥିବା ଡ଼କାୟତମାନଙ୍କ ଠାରୁ ପୁଲିସ ବିଭିନ୍ନ ମାରଣାସ୍ତ୍ର ସମେତ ଗୋଟିଏ ପିସ୍ତଲ, ୫ଟି ମୋବାଇଲ, ଘଟଣା ଘଟାଇବାକୁ ଥିବା ଘରର ରୋଡ ମ୍ୟାପ ଓ ଓଡି ୦୨ସି ୦୩୩୦ ନମ୍ୱର୍ ବିଶିଷ୍ଟ ଏକ ବୋଲେରୋ ଗାଡ଼ି ଜବତ କରିଛି । ଏନେଇ ପୁଲିସ ଥାନା କେସ୍ ନମ୍ବର ୪୨୬ରେ ଭାରତୀୟ ଦଣ୍ଡ ବିଧି ଆଇନର ୩୯୯, ୪୦୨ ଓ ଆର୍ମସ ଆକ୍ଟରେ ମାମଲା ରୁଜୁ କରି ଗିରଫ ୭ଜଣ ଡକାୟତଙ୍କୁ କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଟିଟିଲାଗଡ଼ ଥାନା ବାଛାଯୁଝା ଗ୍ରାମର ବୁଧୁ ପରଭୁଏ(୬୦), ସୁକୁନଭଟା ଗ୍ରାମର ହେମନ୍ତ ଚନ୍ଦନ(୪୦), ଶିଲୁଆଁ ଗ୍ରାମର ଦେବ ମାଝୀ(୨୭), ଭାଟିପଡ଼ାର ଗୋବିନ୍ଦ ସିପକା(୨୫), ଟିଟିଲାଗଡ ଠିକାଦାରପଡ଼ାର ଚିନୁ ଓରଫ ଚିନ୍ମୟ ସାହୁ(୪୩), ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଅଧିନସ୍ଥ ମାନେଶ୍ୱର ଗ୍ରାମର ରବିନ୍ଦ୍ର ବିଭାର(୩୯) ଓ କନେକପୁର ଗ୍ରାମର ଅଭିମନ୍ୟୁ ସାଣ୍ଡ(୪୧) ପ୍ରମୁଖ ରହିଛନ୍ତି ।ଏମାନଙ୍କ ମଧ୍ୟରୁ ହେମନ୍ତ ଚନ୍ଦନଙ୍କ ବିରୋଧରେ ଭବାନୀପାଟଣା, କେସିଙ୍ଗା, କେଗାଁ, ନର୍ଲା, ଗୋଲାମୁଣ୍ଡା ଓ ଖରିଆର ଥାନାରେ ୧୧ଟି ମାମଲା, ଚିନ୍ମୟ ସାହୁଙ୍କ ବିରୁଦ୍ଧରେ ଟିଟିଲାଗଡ଼, ପାଟଣାଗଡ଼, ଲରମ୍ଭା, ଅମ୍ବାଦୋଲା ଆଦି ଥାନାରେ ୭ଟି ମାମଲା, ବୁଧୁ ପରାଭୁଏଙ୍କ ବିରୋଧରେ ଟିଟିଲାଗଡ଼, ଭବାନୀପାଟନା, ଏସ ରାମପୁର, ସମ୍ବଲପୁରର ଜମନକିରା ଓ କୁଚିଣ୍ଡା ଥାନାରେ ୧୪ଟି ମାମଲା ଓ ରବିନ୍ଦ୍ର ବିଭାରଙ୍କ ବିରୋଧରେ ବାଉଁଶୁଣୀ ଓ ଜମନକିରା ଥାନାରେ ୨ଟି ମାମଲା ରହିଥିବା ପୁଲିସ ସୂଚନା ଦେଇଛି । ବଲାଙ୍ଗିର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଓ ଟିଟିଲାଗଡ଼ ଏସଡ଼ିପିଓ ସୁରେନ୍ଦ୍ର ନାଥ ଶତପଥିଙ୍କ ତତ୍ତ୍ଵାବଧାନରେ ପୁଲିସ ଏସଆଇ ହେମକନ୍ତୀ ଛତ୍ରିଆ, ଏଏସଆଇ କାର୍ତ୍ତିକ ପ୍ରଧାନ, ହାବିଲଦାର ଚେତନ ବାଗ ଓ ଅରବିନ୍ଦ ଖମାରୀ, ସିପାହୀ ଏସ ଭୋଇ ଓ ଏପି ଫୋର୍ସର ପୀତାମ୍ବର ପୁଜାରୀ, ମୀନକେତନ ପାଣ୍ଡେ, ରାଜକୁମାର ମାଝୀ, ରାବା ମୂତା, ନରେଶ କହଁର ପ୍ରମୁଖ ଅଭିଯୁକ୍ତ ମାନଙ୍କୁ ମିଳିତ ଭାବେ କାବୁ କରିଥିଲେ ।

Leave A Reply

Your email address will not be published.

12 + three =