
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ସହରର ବିଶିଷ୍ଟ କଳାକାର ବ୍ୟାସଦେବ ପାତ୍ରଙ୍କ ଦେହାନ୍ତ ହୋଇଯାଇଛି । ଏହି ଖବର ଜଣାପଡିବା ପରେ ସହରରେ ଶୋକର ଛାୟା ଖେଳିଯାଇଛି । ସୂଚନାରୁ ପ୍ରକାଶ ଯେ, ସେ ଗତ ୫ ତାରିଖ ଶନିବାର ଦିନ ତାଙ୍କ ସ୍କୁଟିରେ ଆସୁଥିବା ବେଳେ ବ୍ଲକ୍ ଛକ ନିକଟ ହମ୍ପସରେ ପଡ଼ିଯାଇଥିଲେ । ସେଠାରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ତୁରନ୍ତ ତାଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ଅବସ୍ଥା ଗୁରୁତର ହେବାରୁ ବୁର୍ଲା ବଡ଼ ଡାକ୍ତରଖାନାରେ ଆଇସିୟୁରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ହେଲେ ସେ ୧୦ ତାରିଖ ରାତି ୨.୩୦ ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପରିବାର ଓ ଭାଇ କ୍ଷୀରୋଦ ପାତ୍ର ଉପସ୍ଥିତ ଥିଲେ । ଶ୍ରୀ ପାତ୍ର ତାଙ୍କ ଛାତ୍ର ଜୀବନ ଘୋଡ଼ାଘାଟପଡା ସ୍ଥିତ ଆଦର୍ଶ ସ୍କୁଲ ସମୟରୁ ସଙ୍ଗୀତ, ନାଚ ଓ ନାଟକରେ ରୁଚି ରଖୁଥିବା ବେଳେ ନାଟକରେ ସୁନ୍ଦର ଅଭିନୟ କରୁଥିଲେ । ପୂର୍ବରୁ ମଞ୍ଚସ୍ଥ ନାଟକରେ ମହିଳା କଳାକାରଙ୍କ ଘୋର ଅଭାବ ଥିବା ବେଳେ ଶ୍ରୀ ପାତ୍ର ମହିଳା କଳାକାର ଭାବରେ ସୁନ୍ଦର ଅଭିନୟ କରି ବେଶ ପ୍ରଶଂସିତ ହେଉଥିଲେ । ତାଙ୍କ ସାହିରେ ପ୍ରଗତି କ୍ଲବରେ ଅନୁଷ୍ଠିତ ହେଉଥିବା ଥିବା ଅଭିମନ୍ୟୁ ବଦ୍ଧ ନାଟକରେ ମଧ୍ୟ ମହିଳା କଳାକାର ଭାବରେ ସୁନ୍ଦର ଅଭିନୟ କରୁଥିଲେ । ସେ ତାଙ୍କ ସାହିରେ ଥିବା ଭାଗବତ ଟୁଙ୍ଗୀରେ କୃଷ୍ଣ ଗୁରୁ ଗୀତ ରଚନା ସହ ସଙ୍ଗୀତ ଗାନ କରି ବେଶ ପ୍ରଶଂସିତ ହେଉଥିଲେ । ଏପରିକି ସେ ଜିଲ୍ଲା ବାହାରକୁ ବଲାଙ୍ଗିର ଓ ବୌଦ୍ଧ ଜିଲ୍ଲାକୁ ମଧ୍ୟ ତାଙ୍କ କଳା ପ୍ରଦର୍ଶନ କରିବା ପାଇଁ ଯିବା ସହ ପୁରସ୍କୃତ ହେଉଥିଲେ । ତାଙ୍କ ଶେଷ କୃତ୍ୟ ସହରର ଗୋକନେଶ୍ୱର୍ ଶ୍ମଶାନ ଘାଟରେ ସମ୍ପନ୍ନ ହୋଇଥିବା ବେଳେ ତାଙ୍କ ବଡ଼ ପୁଅ ଚନ୍ଦନ ପାତ୍ର ମୁଖାଗ୍ନୀ ଦେଇଥିଲେ ।