jayashree

ଶ୍ରୀରାମ ସିକ୍ୟୁରିଟି ଏଜେନ୍ସିକୁ କାହାର ଅନୁକମ୍ପା ? ନିରବ ଦେବୋତ୍ତର ବିଭାଗକୁ ନେଇ ଉଠିଲା ପ୍ରଶ୍ନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଧୀନ ହରିଶଙ୍କରଠାରେ କାର୍ଯ୍ୟରତ ସୁରକ୍ଷା କର୍ମଚାରୀଙ୍କ ଦରମାକୁ ନେଇ ଏବେ ଅସନ୍ତୋଷ ତୀବ୍ର ହୋଇଛି । ଶ୍ରୀରାମ ସିକ୍ୟୁରିଟି ଏଜେନ୍ସି ଦରମା ଟଙ୍କାରେ ହେରଫେର କରୁଥିବା ଅଭିଯୋଗ ଆଣି ସୁରକ୍ଷା କର୍ମଚାରୀମାନେ ଖପ୍ରାଖୋଲ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି । କର୍ମଚାରୀମାନଙ୍କ ଅଭିଯୋଗ ଅନୁଯାୟୀ, ଏହି ଚାକିରି ପାଇଁ ସେମାନେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିବା କହୁଛନ୍ତି । ମାସର ପ୍ରାୟ ସମସ୍ତ ଦିନ ନିୟମିତ ଡ୍ୟୁଟି କରିବା ସତ୍ତ୍ୱେ ପ୍ରତିମାସ ଦରମାରୁ ପ୍ରାୟ ୨ରୁ ୩ ହଜାର ଟଙ୍କା କଟୁଥିବା ସେମାନେ ଅଭିଯୋଗ କରିଛନ୍ତି । ତେବେ କେଉଁ ନିୟମ ଆଧାରରେ ଏହି ଟଙ୍କା କଟାଯାଉଛି, ତାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । ଅଭିଯୋଗ ନେଇ କର୍ମଚାରୀମାନେ ଥାନାରେ ପହଞ୍ଚିବା ପରେ ଏଜେନ୍ସିର କର୍ମଚାରୀମାନେ ସେମାନଙ୍କୁ ବୁଝାସୁଝା କରି ଫେରାଇ ନେଇଥିବା ଜଣାପଡ଼ିଛି । ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି—ଶ୍ରୀରାମ ସିକ୍ୟୁରିଟି ଏଜେନ୍ସିକୁ ନେଇ ବାରମ୍ବାର ଅଭିଯୋଗ ଉଠୁଥିବା ଦାବି ହେଉଥିଲେ ମଧ୍ୟ ସମ୍ପୃକ୍ତ ଦେବୋତ୍ତର ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ ପକ୍ଷରୁ କାହିଁକି ଦୃଶ୍ୟମାନ ଭାବେ କୌଣସି କଠୋର ପଦକ୍ଷେପ ନିଆଯାଉନାହିଁ ? ଅଭିଯୋଗ ପରେ ତଦନ୍ତ ହେବା ପରିବର୍ତ୍ତେ ଯଦି କର୍ମଚାରୀମାନଙ୍କୁ ବୁଝାସୁଝା କରି ଘଟଣାକୁ ଚାପି ଦିଆଯାଉଛି, ତେବେ ଏହା ପ୍ରଶାସନର ନିରବ ସମର୍ଥନ ନା କେବଳ ନିଷ୍କ୍ରିୟତା—ତାହା ଏବେ ଲୋକଙ୍କ ମନରେ ପ୍ରଶ୍ନ ହୋଇ ଛିଡ଼ା ହୋଇଛି । ଶେଷରେ ପ୍ରଶ୍ନ ହେଉଛି—ସାଧାରଣ ସୁରକ୍ଷା କର୍ମଚାରୀଙ୍କ ଦରମା ଟଙ୍କା ଯଦି କଟୁଛି ବୋଲି ଅଭିଯୋଗ ଆସୁଛି, ତେବେ ତାହାର ନିରପେକ୍ଷ ତଦନ୍ତ କାହିଁକି ହେଉ ନାହିଁ ? ଏବଂ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏଜେନ୍ସି ପ୍ରତି ଏତେ ନରମ ଆଭିମୁଖ୍ୟ କାହିଁକି ? କେଉଁ ସ୍ୱାର୍ଥରେ ଏହି ଅନୁକମ୍ପା ?

Leave A Reply

Your email address will not be published.