- ସନ୍ଥ କବି ଭୀମ ଭୋଇଙ୍କ ସମାଧି ପୀଠ ଖଲିଆପାଲିଠାରେ ମାଘମେଳା କେବଳ ନୀତିକାନ୍ତିରେ ଅନୁଷ୍ଠିତ ହେବ
- ସର୍ବ ସାଧାରଣ ଦର୍ଶନ ଉପରେ କଟକଣା
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ନିର୍ଦେଶ କ୍ରମେ ସୋନପୁର ଉପଜିଲ୍ଲାପାଳ ନିହାର ରଞ୍ଜନ କଁହରଙ୍କ ଅଧ୍ୟକ୍ଷ୍ୟତାରେ ଉପଜିଲ୍ଲାପାଳ ସୋନପୁରଙ୍କ କାର୍ଯ୍ୟାଳୟଠାରେ ଚଳିତ ବର୍ଷ
ତା ୧୪/୦୨/୨୨ ଠାରୁ ତା ୧୬/୦୨/୨୨ ପର୍ଯ୍ୟନ୍ତ ହେବାକୁ ଥିବା ମାଘମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କରୋନା ସଂକ୍ରମଣ ଦୃଷ୍ଟିରୁ ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ପ୍ରଦର୍ଶନ ପୂର୍ବକ ମାଘମେଳାର ଆନୁସଙ୍ଗିକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିବା ବେଳେ କେବଳ ନୀତିକାନ୍ତି ସହ ପୂଜାର୍ଚ୍ଚନା କରାଯିବ ।
ବୈଠକରେ ନିଷ୍ପତ୍ତି ମୁତାବକ ମେଳାରେ କୌଣସି ଦୋକାନ ବଜାର, ମିନାବଜାର ଆଦିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ବେଳେ ବାହାର ଦୋକାନ ବଜାର, ସାଂସ୍କୃତିକ କାର୍ଯ୍ୟକ୍ରମ, ସାହିତ୍ୟ ସମାରୋହ ପ୍ରଭୁତିକୁ ମଧ୍ୟ ବାରଣ କରାଯାଇଥିବା ସୂଚନା ଦିଆଯାଇଛି । ମେଳାଦିନ ଗୁଡ଼ିକରେ ଭକ୍ତ, ଶ୍ରଦ୍ଧାଳୁ ତଥା ସର୍ବସାଧାରଣଙ୍କଙ୍କ ଦର୍ଶନକୁ ସମ୍ପୂର୍ଣ ଭାବେ ବାରଣ କରାଯାଇଛି । ଚଳିତବର୍ଷ ସମାରୋହକୁ ନିରାଡ଼ମ୍ବର ସହ ସରକାରଙ୍କ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ନୀତି କାନ୍ତି ମଧ୍ୟରେ ପାଳନ କରାଯିବ । ଆଜିର ଏହି ବୈଠକରେ ସୋନପୁର ଉପଖଣ୍ଡ ଆରକ୍ଷୀଅଧିକ୍ଷକ ପୁଷ୍ପାଞ୍ଜଳି ନିଙ୍ଗୀ, ସୋନପୁର ବିଡ଼ିଓ ସୌମ୍ୟ ରଞ୍ଜନ ସ୍ୱାଇଁ, ସୋନପୁର ତହସିଲଦାର ନବୀନ କିଶୋର ପାଢ଼ୀଙ୍କ ସମେତ ମ୍ୟାନେଜିଂ ଟ୍ରଷ୍ଟି ଛତ୍ରଧାରୀ ଅଗ୍ରୱାଲ, ଟ୍ରଷ୍ଟ ସମ୍ପାଦକ ଜନ୍ମେଜୟ ସ୍ୱାଇଁ, ପୀଠ ମହନ୍ତ ବାବା ସନ୍ୟାସୀ ଦାସ, କମିଟି ସଦସ୍ୟ ସୁମନ୍ତ ପଟେଲ, ମହାଦେବ ବଗର୍ତ୍ତୀ, କାର୍ତ୍ତିକ ଭୋଇ, ରଘୁନାଥ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।