
ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ତକତପୁରସ୍ଥିତ ମୟୂରଭଞ୍ଜ ଆଇନ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୂଚନା ଅଧିକାର ଆଇନ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ତଥା ବ୍ୟବହାରିକ ଜ୍ଞାନ ବୃଦ୍ଧି ଉଦ୍ଦେଶ୍ୟରେ “ସୂଚନା ଅଧିକାର ଆଇନ -୨୦୦୫” ଶୀର୍ଷକ ଏକଦିବସୀୟ କର୍ମଶାଳା ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରଞ୍ଜନ କୁମାର ତରେଇ ଏହି କର୍ମଶାଳାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଏଥିରେ ବାରିପଦା ଜିଲ୍ଲା ବାର୍ ଆସୋସିଏସନର ବରିଷ୍ଠ ଆଇନଜୀବୀ ବିଭୁ ପ୍ରସାଦ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆର୍ଟିଆଇ ଆଇନର ଗୁରୁତ୍ୱ ଓ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ସେ ନାଗରିକଙ୍କ ସୂଚନା ପାଇବାର ଅଧିକାର, ଆବେଦନ ପ୍ରକ୍ରିୟା, ନିର୍ଦ୍ଧାରିତ ସମୟସୀମା, ଲୋକ ସୂଚନା ଅଧିକାରୀ (ପିଆଇଓ)ଙ୍କ ଦାୟିତ୍ୱ ତଥା ଆବେଦନ ପ୍ରତ୍ୟାଖ୍ୟାନ ହେଲେ ପ୍ରଥମ ଓ ଦ୍ୱିତୀୟ ଅପିଲ୍ କରିବାର ଆଇନଗତ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଶିକ୍ଷାଦାନ ପ୍ରକ୍ରିୟାକୁ ଅଧିକ ପ୍ରଭାବଶାଳୀ ଓ ଶିକ୍ଷଣୀୟ କରିବା ଲାଗି ଡିଜିଟାଲ୍ ପ୍ରୋଜେକ୍ଟର୍ ମାଧ୍ୟମରେ ବିଷୟବସ୍ତୁ ଉପସ୍ଥାପନ କରାଯାଇଥିଲା, ଯାହାକୁ ସ୍ନେହାଶିଷ ଦାସ ସଫଳତାର ସହ ପରିଚାଳନା କରିଥିଲେ । ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ଉତ୍ସାହର ସହ ଅଂଶଗ୍ରହଣ କରି ବିଭିନ୍ନ ପ୍ରଶ୍ନ ପଚାରି ସନ୍ଦେହ ଦୂର କରିବା ସହ ଆର୍ଟିଆଇ ଆଇନର ବ୍ୟବହାରିକ ପ୍ରୟୋଗ, ଗଣତାନ୍ତ୍ରିକ ବ୍ୟବସ୍ଥାରେ ପାରଦର୍ଶିତା ଓ ଉତ୍ତରଦାୟିତ୍ୱର ମହତ୍ତ୍ୱ ସମ୍ପର୍କରେ ବୁଝିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଧ୍ୟାପକ ଡ. ବନମାଳୀ ବାରିକ, ଅଧ୍ୟାପକ ଭକ୍ତ ଚରଣ ସୋରେନ, ଅଧ୍ୟାପିକା ଶ୍ରୀମତୀ ଜୟଶ୍ରୀ ମିଶ୍ର, ଅଧ୍ୟାପକ ଧୀରେନ୍ଦ୍ର ବେହେରା, ଅଧ୍ୟାପିକା ଶ୍ରୀମତୀ ସୁଶ୍ରୀ ଏସ୍. ନାୟକ, ଶ୍ରଦ୍ଧା ସୋରେନ ଏବଂ ଅତିଥି ଅଧ୍ୟାପକ ବୀରେନ୍ଦ୍ର ମୁର୍ମୁ ଓ ଅଧ୍ୟାପିକା ଶ୍ରୀମତୀ ଅଙ୍କିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏଥିସହିତ ଅଫିସ ସୁପରିଟେଣ୍ଡେଣ୍ଟ ଅତୁଲ କୁମାର ମହାନ୍ତି, ସିନିୟର କ୍ଲର୍କ ତାପସ ରଞ୍ଜନ ଜେନା ଓ ଡାଟା ଏଣ୍ଟ୍ରି ଅପରେଟର ସ୍ନେହାଶିଷ ଦାସଙ୍କ ସକ୍ରିୟ ସହଯୋଗରେ ସମଗ୍ର କର୍ମଶାଳାଟି ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା ।