
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ କେବଳ ଏକ ପର୍ବ ନୁହେଁ, ଏହା ମାଟି, ଚାଷୀ ଓ ନୂଆ ଧାନ ସହ ଜଡିତ ଆମର ଜୀବନଧାରା । ଏହି ପରମ୍ପରାକୁ ନୂଆ ପିଢ଼ି ସହ ଯୋଡ଼ିବା ଏବଂ ପାଠ୍ୟପୁସ୍ତକ ବାହାରେ ବ୍ୟବହାରିକ ଶିକ୍ଷା ଦେବା ଉଦ୍ଦେଶ୍ୟରେ ପଦ୍ମପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଜେନିଥ୍ ଲାୟନ୍ସ ଗୁରୁକୁଳ ପକ୍ଷରୁ ରାଜପଡା ସ୍ଥିତ ଲିଓ କ୍ୟାମ୍ପସରେ ଏକ ଅଭିନବ ‘ନୂଆଖାଇ ହାଟ’ ଆୟୋଜନ କରାଯାଇଥିଲା । ଏହି ଦିନ ବିଦ୍ୟାଳୟ ପରିସର ଏକ ଛୋଟ ପାରମ୍ପରିକ ଗାଁ ହାଟର ରୂପ ନେଇଥିଲା। ଏହି ହାଟକୁ ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ଉଦ୍ଘାଟନ କରିଥିଲେ । ମଞ୍ଚରେ ପରିଚାଳନା କମିଟିର ସଭାପତି ତଥା ବଣିକ ସଂଘ ସଭାପତି ପ୍ରତାପ କୁମାର ମିଶ୍ର, ଉପସଭାପତି ସୁଶାନ୍ତ କୁମାର ରଥ, ସମ୍ପାଦକ ପବନ କୁମାର ଅଗ୍ରୱାଲ, କୋଷାଧ୍ୟକ୍ଷ ଏମ୍.ଡି. ଜାଭେଦ, ଅଧ୍ୟକ୍ଷ ଡ. ମନୋଜ କୁମାର ପଣ୍ଡା ଏବଂ ଉପାଧ୍ୟକ୍ଷା ଶ୍ରୀମତୀ ମମତା ସିହ୍ନା ଉପସ୍ଥିତ ଥିଲେ । ବଣିକ ସଂଘର ସଦସ୍ୟ, ଅଭିଭାବକ ଓ ଶିକ୍ଷକବୃନ୍ଦ ମଧ୍ୟ ଉପସ୍ଥିତ ରହି ପିଲାଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମର ଶୁଭାରମ୍ଭ ‘ଆଏଲା ଆଏଲା ନୂଆଖାଇ’ ସମ୍ବଲପୁରୀ ନୃତ୍ୟ ପରିବେଷଣ ମାଧ୍ୟମରେ ହୋଇଥିଲା । ଏହା ଏକ ସାଧାରଣ ପ୍ରଦର୍ଶନୀ ନଥିଲା । ଛାତ୍ରଛାତ୍ରୀମାନେ ନିଜେ ବ୍ୟବସାୟୀ ସାଜି ୧୦୦ରୁ ଅଧିକ ଷ୍ଟଲ ଖୋଲିଥିଲେ । ପ୍ରତ୍ୟେକ ଷ୍ଟଲରେ ସମ୍ବଲପୁରୀ ଜୀବନଶୈଳୀର କାହାଣୀ ଥିଲା – ନୂଆ ଚାଉଳ, କୁଲା-ଟୋକେଇ, ମାଟି ହାଣ୍ଡି, ପିତ୍ତଳ ସାମଗ୍ରୀ, ହସ୍ତତନ୍ତ, ପାନ, ଆରିସା, ବରା, ପିଠା, ଜଙ୍ଗଲଜାତ ଖାଦ୍ୟ, ଋତୁକାଳୀନ ପନିପରିବା, ଫଳ, ପ୍ରାକୃତିକ ରଙ୍ଗ, ହାତ ତିଆରି ରାକ୍ଷୀ ଓ ପୂଜା ସାମଗ୍ରୀ । ପଶ୍ଚିମ ଓଡ଼ିଶାର ପାରମ୍ପରିକ ଖାଦ୍ୟ ଷ୍ଟଲ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥିଲା । ଏହି ହାଟ ମାଧ୍ୟମରେ ଛାତ୍ରଛାତ୍ରୀମାନେ ପାଠ୍ୟପୁସ୍ତକ ବାହାରେ ବାସ୍ତବ ଜୀବନର ଶିକ୍ଷା ପାଇଥିଲେ । ହିସାବ-ନିକାଶ, ଟଙ୍କାର ମୂଲ୍ୟ, କ୍ରୟ-ବିକ୍ରୟ, ଗ୍ରାହକଙ୍କ ସହ ବ୍ୟବହାର, ଦାୟିତ୍ୱବୋଧ ଓ ଉଦ୍ୟୋଗୀ ମନୋଭାବ ଭଳି ବିଷୟରେ ସେମାନେ ପ୍ରାୟୋଗିକ ଅନୁଭୂତି ହାସଲ କରିଥିଲେ । ନିଜ ଅଞ୍ଚଳର ପାରମ୍ପରିକ ଖାଦ୍ୟ ଓ ଶସ୍ୟ ସମ୍ପର୍କରେ ଜାଣିବା ସହ ଏହାର ମହତ୍ତ୍ୱ ମଧ୍ୟ ଅନୁଭବ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଡା. ମହାଲିଙ୍ଗ ଏହି ଅନନ୍ୟ ପ୍ରୟାସକୁ ଭୂୟସୀ ପ୍ରଶଂସା କରି କହିଲେ, “ସରକାର କୌଶଳ ଭିତ୍ତିକ ଶିକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି ଏବଂ ଜେନିଥ୍ ଲାୟନ୍ସ ଗୁରୁକୁଳ ଏହାକୁ ସବୁଠୁ ସୁନ୍ଦର ସାଂସ୍କୃତିକ ଢଙ୍ଗରେ କାର୍ଯ୍ୟକାରୀ କରିଛି । ଆଧୁନିକତାର ଦୌଡ଼ରେ ଯେତେବେଳେ ପିଲାମାନେ ନିଜ ପରମ୍ପରା ଭୁଲିଯାଉଛନ୍ତି, ସେତେବେଳେ ଏହି ହାଟ ସେମାନଙ୍କୁ ନିଜ ମାଟି ସହ ଯୋଡ଼ିବ । ଏହିପରି ପ୍ରୟାସ ହିଁ ନୂଆଖାଇକୁ ପିଢ଼ି ପର୍ଯ୍ୟନ୍ତ ବଞ୍ଚାଇ ରଖିବ” । ଅଧ୍ୟକ୍ଷ ଡା. ମନୋଜ କୁମାର ପଣ୍ଡା କହିଲେ, “ଆମେ ଚାହୁଁଛୁ ଆମ ପିଲାମାନେ ଗର୍ବର ସହ କୁହନ୍ତୁ – ମୁଁ ସମ୍ବଲପୁରୀ । ବିକିବା ବେଳେ ସେମାନେ ଗଣିତ ଶିଖିଲେ, କଥା ହେବା ବେଳେ ଭାଷା ଶିଖିଲେ ଏବଂ ନୂଆଖାଇକୁ ପାଳିବା ବେଳେ ନିଜ ସଂସ୍କୃତିକୁ ସମ୍ମାନ କରିବା ଶିଖିଲେ । ବିଦ୍ୟାଳୟ ହେଉଛି ବିଶ୍ୱର ଏକ ଛୋଟ ରୂପ, ଏଠାରେ ହିଁ ସେମାନେ ବାସ୍ତବ ଦୁନିଆର ଅନୁଭବ ପାଇବେ” । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମନୋଜ୍ଞ ସମ୍ବଲପୁରୀ ଲୋକନୃତ୍ୟ ଓ ସଙ୍ଗୀତ ପରିବେଷିତ ହୋଇଥିଲା, ଯାହା ସମସ୍ତଙ୍କ ମନ ଜିଣି ନେଇଥିଲା ।