
ବଲାଙ୍ଗିର, (କେପିଏନ୍ଏସ୍) : କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ନୂଆ ଦିଲ୍ଲୀର, ଅଷ୍ଟାଦଶୀ ଯୋଜନା ଅନ୍ତର୍ଗତ ଛାତ୍ର-ଛାତ୍ରୀ ମାନଙ୍କ ପାଇଁ ସାୟଂ କାଳୀନ ସଂସ୍କୃତ ଅଧ୍ୟୟନ ଏବଂ ସଂସ୍କୃତରେ ସମ୍ଭାଷଣ, ଦ କ୍ୟାଚ, ଓଡ଼ିଶାର ଏକ କ୍ରାନ୍ତିକାରୀ ପଦକ୍ଷେପ, ଯାହାକି ବିଗତ ଏକ ମାସ ଧରି ସରକାରୀ ମହିଳା ମହାବିଦ୍ୟାଳୟ, ବଲାଙ୍ଗିରରେ ଏକ କାର୍ଯ୍ୟଶାଳା ମାଧ୍ୟମରେ, ଏକ ପ୍ରୟୋଗାତ୍ମକ ଧାରାରେ କାର୍ଯ୍ୟାନ୍ୱୟନ କରାଯାଇଥିଲା । ଏହାର ଉଦ୍ଯାପନୀ ସମାରୋହରେ ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ବୋଧୟନଙ୍କ ଦ୍ୱାରା ରଚିତ ଏକ ପ୍ରହସନକୁ ପ୍ରସ୍ତୁତ କରିଥିଲେ । ଏହାଦ୍ୱାରା ତାଙ୍କର ସଂସ୍କୃତ ସମ୍ଭାଷଣର ଏକ ନମୁନା ତଥା ଦକ୍ଷତା ପ୍ରଦର୍ଶିତ ହୋଇଥିଲା । ସେମାନଙ୍କର ଉତ୍ସାହ ଏହି ନାଟ୍ୟ ଦ୍ୱାରା ସମ୍ପୂର୍ଣ୍ଣ ପ୍ରତିଫଳିତ ହୋଇଛି ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଅରବିନ୍ଦ କୁମାର ଓଝା କହିଥିଲେ । ଏହିପରି ସଂସ୍କୃତ ସମ୍ଭାଷଣ ଓ ପ୍ରଚାର ପ୍ରସାରକୁ ମହାବିଦ୍ୟାଳୟର ସଂସ୍କୃତ ବିଭାଗ ମୁଖ୍ୟ ଡ. ସଦାଶିବ ମଲ୍ଲିକ ସାଧୁବାଦ ଦେବା ସହିତ ଦ କ୍ୟାଚ, ଓଡ଼ିଶା ତଥା କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ନୂଆଦିଲ୍ଲୀର ଭୂରି ଭୂରି ପ୍ରଶଂସା କରିଥିଲେ । ଉଦ୍ଯାପନୀ ସତ୍ରରେ ପଦ୍ମଶ୍ରୀ ଶ୍ରୀନିବାସ ଉଦ୍ଗାତା ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ଆଶୀର୍ବାଦ ଦେଇଥିଲା ବେଳେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ଡଃ. ବିଭୂତି ଭୂଷଣ ମଲ୍ଲିକ ବର୍ତ୍ତମାନ ଆଧୁନିକ ଯୁଗରେ ସଂସ୍କୃତର ପ୍ରାସଙ୍ଗିକତା ଏବଂ ଦ କ୍ୟାଚ, ଓଡ଼ିଶାର ମୁଖ୍ୟ ଚିତ୍ତରଞ୍ଜନ ଶତପଥୀଙ୍କୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ମଧ୍ୟ ଏହିପରି କାର୍ଯ୍ୟଶାଳା ତଥା ନାଟ୍ୟ ପ୍ରଦର୍ଶନ କରିବା ପାଇଁ ଆମନ୍ତ୍ରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ରତନ ମେହେର, ମଞ୍ଚ ଅଭିନେତା ଚିତ୍ତରଞ୍ଜନ ଦାଶ, ସଂସ୍କୃତ ଭାରତୀର ପଶ୍ଚିମ ଓଡ଼ିଶାର ସଭାପତି ଆୟୁଷ୍ମନ୍ତ ଷଡ଼ଙ୍ଗୀ ଆଦି ଯୋଗଦେଇ ପ୍ରହସନର ସମୀକ୍ଷା କରି ଭୂୟସୀ ପ୍ରଶଂସା କରିଥିଲେ । ଅଜିତ୍ କୁମାର ପଣ୍ଡାଙ୍କ ଉତ୍ତମ ସଂଯୋଜନା ସଭା ତଥା ନାଟ୍ୟ ପ୍ରଦର୍ଶନରେ ସଫଳତା ଆଣି ପାରିଥିଲା । ବେଦମନ୍ତ୍ର ତଥା ପ୍ରହସନର ଭୂମିକା ପାଠ ଡଃ. ସମୀର ବିଶ୍ୱାଳ କରିଥିଲେ । ଏହି କାର୍ଯ୍ୟଶାଳାର ଚଓ ତଥା ଦ କ୍ୟାଚ, ଓଡ଼ିଶାର ମୁଖ୍ୟ ଚିତ୍ତରଞ୍ଜନ ଶତପଥୀ ନିର୍ଦ୍ଦେଶନା ଦେଇଥିବା ବେଳେ ମାଷ୍ଟର ରାଜ ସଙ୍ଗୀତରେ ସଜାଇଥିଲେ । ବିଧାନ ଷଡଙ୍ଗୀ ଏବଂ ଅଧିକାରୀ ସାମଲ ଏଥିରେ ବେଶଭୂଷା କରାଇ ଆହୁରି ଚମତ୍କାର କରିଦେଇଥିଲେ । ବିଭିନ୍ନ ଭୂମିକାରେ ଅଂଶିକା, ସୁଜାତା, ପ୍ରତୀକ୍ଷା, ସତ୍ୟଭାମା, ରଞ୍ଜିତା, ରେଶ୍ମା, ତେଜସ୍ଵୀନି, ନମିତା, ରୀମା, ପୂଜା, ଫଗୁନି, ଦିବ୍ୟା, ଆଶା ଏବଂ ଲିଜା ପ୍ରମୁଖ ଅଭିନୟ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ତଥା ଛାତ୍ରୀମାନେ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଶେଷରେ ସମସ୍ତଙ୍କୁ ଶ୍ରୀ ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ରତିକାନ୍ତ ନାଏକ ତଥା ଦିନେଶ ସହଯୋଗ କରିଥଲେ ।