
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ତାରା ଦରବାର ଠାରେ ଅଖିଳ ଭାରତ ବ୍ୟବସାୟୀ ସଂଘର ଏକ ଅଧିବେଶନ ସ୍ଥାନୀୟ ପ୍ରତିଷ୍ଠିତ ବ୍ୟବସାୟୀ ଏବଂ ରାଷ୍ଟ୍ରୀୟ ତଥା ପ୍ରାଦେଶିକ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅଧିବେଶନରେ ରିଙ୍କୁ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରବି ଅଗ୍ରୱାଲ, ବିକାଶ ଅଗ୍ରୱାଲ ଏବଂ ଆଶିଷ ଅଗ୍ରୱାଲଙ୍କ ସଂଯୋଜନାରେ ସଭା କାର୍ଯ୍ୟ ଆୟୋଜିତ ହୋଇଥିଲା । ଅଧିବେଶନରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଆର୍.କେ. ଶୁକ୍ଳା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବ୍ୟବସାୟୀମାନେ ସମ୍ମୁଖିନ ହେଉଥିବା ବିଭିନ୍ନ ସମସ୍ୟା ତଥା ଏହି ସଂଘ ଦ୍ୱାର କେଉଁ ଭଳି ଭାବରେ ସମସ୍ୟା ଗୁଡିକର ସମାଧାନ କରାଯାଉଛି ଆଲୋକପାତ କରିଥିଲେ । ଓଡିଶା ପ୍ରାଦେଶିକ ଅଧ୍ୟକ୍ଷ ଗୋବିନ୍ଦ ଅଗ୍ରୱାଲ, ଓଡିଶା ସଭାପତି ଜିତେନ ଗୁପ୍ତା ତଥା ଜିଏସ୍ଟି ଉପଦେଷ୍ଟା ପ୍ରକାଶ ଜୈନ ଏହି ଅଧିବେଶନରେ ଉଦ୍ବୋଧନ ଦେଇଥିଲେ । ଆଜିର ଏହି ଅଧିବେଶନରେ ବଲାଙ୍ଗିର ଶାଖାର ଅଧ୍ୟକ୍ଷ ରୂପେ ମହେନ୍ଦ୍ର ଅଗ୍ରୱାଲ, ସଭାପତି ପ୍ରକାଶ କୁମାର ନେପାକ, ସମ୍ପାଦକ ରାଜୀବ ଗୋୟଲ, ଉପସଭାପତି ବିକାଶ ଅଗ୍ରୱାଲ, ଯୁଗ୍ମ ସଂପାଦକ ରିଙ୍କୁ ପାତ୍ର ତଥା କୋଷାଧ୍ୟକ୍ଷ ଅଗ୍ରୱାଲଙ୍କୁ ସର୍ବ ସମ୍ମତିକ୍ରମେ ମନୋନୀତ କରାଯିବା ପରେ ପ୍ରାଦେଶିକ ସଭାପତି ଜିତେନ୍ଦ୍ର ଗୁପ୍ତ ଶପଥ ପାଠ କରାଇଥିଲେ । ଆଜିର ଏହି ଅଧିବେଶନରେ ୨୨ଜଣ ସଭ୍ୟଙ୍କୁ ଅଖିଳ ଭାରତ ବ୍ୟବସାୟୀ ସଂଘ (ସିଏଆଇଟି)ର ଆଜୀବନ ସଭ୍ୟ ରୂପେ ଗ୍ରହଣ କରାଯାଇ ଶପଥ ପାଠ କରାଇଥିଲେ । ଅଧିବେଶନରେ ବଲାଙ୍ଗିର ବିଶିଷ୍ଟ ଯୁବ ବ୍ୟବସାୟୀ ରମେଶ ଅଗ୍ରୱାଲଙ୍କ ଆକସ୍ମିକ ବିୟୋଗରେ ତାଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଅଧିବେଶନରେ ବଲାଙ୍ଗିର ଶାଖା ଅଧ୍ୟକ୍ଷ ମହେନ୍ଦ୍ର ଅଗ୍ରୱାଲ ତଥା ସଭାପତି ପ୍ରକାଶ କୁମାର ନେପାକ ଉଦ୍ବୋଧନ ଦେଇ ବ୍ୟବସାୟୀମାନଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହି ସଂଘକୁ ମଜବୁତ କରିବା ପାଇଁ ଆହ୍ୱାନ ଦେଇଥିଲେ । ପରିଶେଷରେ ସଭାପତି ଶ୍ରୀ ଗୁପ୍ତା ଏବଂ ବଲାଙ୍ଗିର ଶାଖା ସମ୍ପାଦକ ରାଜୀବ ଗୋୟଲ ଧନ୍ୟବାଦ ଅର୍ପଣ କରିଥିଲେ ।