jayashree

ସରକାରୀ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ବଲାଙ୍ଗିର ନାଗରିକ କମିଟିର ପ୍ରୟାସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନାଗରିକ କମିଟି ସଭାପତି ଡ. ଶ୍ରୀକର ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସରକାରୀ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଆଜି ବିଭିନ୍ନ ଅଫିସ ଯାଇଥିଲେ । ସହରରେ ବର୍ତ୍ତମାନ ପାନୀୟ ଜଳ ଯୋଗାଣ ସଙ୍କଟରେ ଗତି କରୁଛି । ଦିନେ ଛଡା ଦିନେ ପାଳି କରି ଜଳ ଯୋଗାଣ ହେଉଛି । ଏହାକୁ ନିୟମିତ କରିବା ପାଇଁ ବଲାଙ୍ଗିର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । ସେହିପରି ଗ୍ରାମାଞ୍ଚଳରେ ଲୋକେ ସ୍ୱଚ୍ଛ ପାନୀୟ ଜଳ ପାଇବାରେ ଅସୁବିଧା ଭୋଗୁଛନ୍ତି । ଉଚ୍ଚତା ସମ୍ପନ୍ନ ପାଣି ଟାଙ୍କି ଥିଲେ ମଧ୍ୟ ଗାଁ ମାନଙ୍କରେ ପିଇବା ପାଣି ଅଭାବ ଦେଖାଦେଇଛି । ତେଣୁ ଗ୍ରାମାଞ୍ଚଳ ଜଳ ଯୋଗାଣ ଅଧିକ୍ଷଣ ଯନ୍ତ୍ରୀଙ୍କୁ ସମସ୍ୟାର ସମାଧାନ ପାଇଁ ଅନୁରୋଧ କରାଯାଇଛି । ଭୀଷଣ ଖରାରେ ମଣିଷ କାଳତିପାତ କରୁଥିବା ବେଳେ ଅଘୋଷିତ ବିଦ୍ୟୁତ ସରବରାହ ଲୋକଙ୍କୁ କଲବଲ କରୁଛି । ତେଣୁ ବିଦ୍ୟୁତ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କୁ ତାର ପ୍ରତିକାର ପାଇଁ ପତ୍ରାଳାପ କରାଯାଇଛି । ପାଣିପାଗ ବିଶେଷଜ୍ଞଙ୍କ ମତରେ ଚଳିତ ବର୍ଷ ବର୍ଷା ଅଭାବରୁ ମରୁଡି ହେବାର ସମ୍ଭାବନା ଅଛି । ତେଣୁ ଲୋୟର ସୁକତେଲ ପ୍ରକଳ୍ପରୁ କିପରି ଜଳ ଯୋଗାଣ ହୋଇ ଚଳିତ ବର୍ଷ ଚାଷ ହୋଇପାରିବ ତଥା ପାନୀୟ ଜଳ ଯୋଗାଣ ହୋଇପାରିବ, ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି । ପୌରାଞ୍ଚଳର ୧୧ଟି ଜଳାଶୟର ପଙ୍କୋଦ୍ଧାର କାର୍ଯ୍ୟ ଦୃତ ଗତିରେ ଚାଲିଛି । ବର୍ଷକୁ ବର୍ଷ ଜଳାଶୟ ମାନଙ୍କରୁ ଜଳ ନିଷ୍କାସନ କରି ମାଟି କାମ କରିବା ସମ୍ଭବ ନୁହେଁ । ତେଣୁ ଏହି ପଙ୍କୋଦ୍ଧାର କାର୍ଯ୍ୟକୁୁ ସ୍ୱଚ୍ଛତାର ସହ ତ୍ୱରାନ୍ନିତ କରି ବର୍ଷା ପୂର୍ବରୁ ସମସ୍ତ କାମ ଶେଷ କରିବା ପାଇଁ ନିର୍ବାହୀ ଅଧିକାରୀଙ୍କୁ ଲିଖିତ ଆକାରରେ ଅନୁରୋଧ କରାଯାଇଛି । ପ୍ରତ୍ୟେହ ବିଭିନ୍ନ ସମୟରେ ଦୁଇ ଚାରି ଘଣ୍ଟା ଅଘୋଶିତ ବିଦ୍ୟୁତ ସରବରାହ ହେଉଛି । ତେଣୁ କ୍ଷତି ପୂରଣ ଆକାରରେ ବଲାଙ୍ଗିର ଜିଲ୍ଲାବାସୀଙ୍କୁ ମାଗଣାରେ ୩୦୦ ୟୁନିଟ ବିଦ୍ୟୁତ ଯୋଗାଇଦେବା ପାଇଁ ଓଡିଶା ସରକାରଙ୍କ ଶକ୍ତି ବିଭାଗ, ଟି.ପି.ଡବ୍ଲୁ.ଓ.ଡି.ଏଲ. ଓ ଓ.ପି.ଟି.ସି.ଏଲ ଅଧ୍ୟ୍ୟକ୍ଷଙ୍କୁ ଅନୁରୋଧ କରାଯାଇଛି । ଶେଷରେ ବଲାଙ୍ଗିର ରେଲୱେ ଷ୍ଟେସନରେ ପିଟ୍‌ ଲାଇନ ନିର୍ମାଣ, ସ୍ୱତନ୍ତ୍ର ଟ୍ରେନ ବିଶାଖାପାଟଣା-ଦିଲ୍ଲୀକୁ ନିୟମିତ ଟ୍ରେନରେ ପରିଣତ କରି ବଲାଙ୍ଗିର ଷ୍ଟେସନରେ ୫ ମିନିଟ ରହଣୀ, ସମ୍ବଲପୁର-ଜାମ୍ମୁ ସାଲିମାର ଏକ୍ସପ୍ରେସକୁ ଟିଟିଲାଗଡରୁ ଚଲାଇବା ପାଇଁ ଏବଂ ସମ୍ବଲପୁର-ଗୋରଖପୁର ଟ୍ରେନକୁ ବିଶାଖାପାଟଣା ପର୍ଯ୍ୟନ୍ତ ବଢାଇବାକୁ ପ୍ରଧାନମନ୍ତ୍ରୀ ତଥା ରେଳମନ୍ତ୍ରୀଙ୍କୁ ଇ-ମେଲ ଜରିଆରେ ପତ୍ରାଳାପ କରି ଅନୁରୋଧ କରାଯାଇଛି । ଏତେ ଟାଣ ଖରାରେ ନାଗରିକ କମିଟିର ପ୍ରତିନିଧି ମଣ୍ଡଳୀ ଅଫିସକୁ ଯାଇ ସଭାପତିଙ୍କୁ ସହଯୋଗ କରିଥିବାରୁ ଶ୍ରୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ପ୍ରତିନିଧି ମଣ୍ଡଳୀରେ ଡା. ପ୍ରମୋଦ ମିଶ୍ର, ଲୋକନାଥ ସିଂହ, ପ୍ରଫୁଲ୍ଲ ମିଶ୍ର, ସତ୍ୟବାଦୀ ନାଏକ, ହରେକୃଷ୍ଣ ରାଉତ ଆଦି ସାମିଲଥିଲେ ।

Leave A Reply

Your email address will not be published.