
ବଲାଙ୍ଗିର, (କେପିଏନ୍ଏସ୍) : ଭୋଟର ତାଲିକାର ସ୍ୱଚ୍ଛତା, ନିର୍ଭୁଲତା ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସର୍ବାଧିକ ଜନସହଭାଗିତା ସୁନିଶ୍ଚିତ କରିବା ଲକ୍ଷ୍ୟରେ SIR-2026କୁ ସଫଳ ଓ ତ୍ରୁଟିହୀନ ଭାବେ କାର୍ଯ୍ୟକାରୀ କରିବା ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ SVEEP (Systematic Voters’ Education and Electoral Participation) କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମକୁ ବଲାଙ୍ଗିର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଗୌରୱ ଶିୱାଜୀ ଇସଲୱାର ଉଦ୍ଘାଟନ କରିଥିଲେ । ଉଦ୍ଘାଟନୀ ଅଭିଭାଷଣରେ ସେ କହିଥିଲେ ଯେ, ଭୋଟର ତାଲିକାର ସ୍ୱଚ୍ଛତା ଓ ଶତ ପ୍ରତିଶତ ଭୋଟଦାନ ହିଁ ସୁଦୃଢ଼ ଗଣତନ୍ତ୍ର ମୂଳ ଆଧାର । ପ୍ରତ୍ୟେକ ଯୋଗ୍ୟ ନାଗରିକ ନିଜ ନାମ ଭୋଟର ତାଲିକାରେ ସଂଶୋଧନ/ସଂଯୋଜନ କରିବା ସହ ପରିବାର ସମସ୍ତଙ୍କର ନାମ ପଞ୍ଜୀକରଣ ପାଇଁ ଉତ୍ସାହିତ କରନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ । SVEEP କାର୍ଯ୍ୟକ୍ରମରେ ନୂତନ ଭୋଟରଙ୍କ ପଞ୍ଜୀକରଣ, ଭୋଟର ତାଲିକାରେ ନାମ ସଂଶୋଧନ, ସଚେତନତା ଏବଂ ନିର୍ଭୁଲ ଭୋଟର ତାଲିକାର ଗୁରୁତ୍ୱ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହାସହ ଭୋଟର ତାଲିକାର ଗୁଣାତ୍ମକ ଉନ୍ନତି ଏବଂ ନିର୍ବାଚକ ସଚେତନତା ବୃଦ୍ଧି ପାଇଁ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଏବଂ ସାଧାରଣ ନାଗରିକମାନେ ଯୋଗଦେଇ ନିର୍ବାଚକ ସଚେତନତା ଓ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ଅବଗତ ହୋଇଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପବିତ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଡ. ବିଜୟାନନ୍ଦ ସେଠୀ, ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ, ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ, ବଲାଙ୍ଗିର ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝୀ, ଡେପୁଟି କଲେକ୍ଟର (ନିର୍ବାଚନ) ସୂର୍ଯ୍ୟକାନ୍ତ ପରିଡ଼ାଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଶେଷରେSIR-2026 ଅଭିଯାନକୁ ସଫଳ କରିବା ପାଇଁ ସମସ୍ତ ସରକାରୀ କର୍ମଚାରୀ, ବୁଥ୍ ସ୍ତରୀୟ ଅଧିକାରୀ ଏବଂ ସାଧାରଣ ନାଗରିକଙ୍କ ସକ୍ରିୟ ସହଯୋଗ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।