
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହ ଠାରେ ୧୫ ତମ ସ୍ୱତନ୍ତ୍ର କାଉନସିଲ ବୈଠକ ଶୁକ୍ରବାର ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଧ୍ୟକ୍ଷ ସମେତ ଉପାଧ୍ୟକ୍ଷା ଶାନ୍ତି କୁମାରୀ ନାୟକ, ବିଧାୟକ ପ୍ରତିନିଧି ଅବନୀ କାନ୍ତ ନାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇଙ୍କ ସମେତ ୧୦ ଜଣ କାଉନସିଲର ଉପସ୍ଥିତ ଥିଲେ । ଏନଏସି ଅଧ୍ୟକ୍ଷଙ୍କ ଅନୁମତି କ୍ରମେ ପୂର୍ବ କାଉନସିଲ ବୈଠକର ବିବରଣୀ ବରିଷ୍ଠ ଏନଏସି କର୍ମଚାରୀ ବାଇଧର ମଲ୍ଲିକ ପାଠ କରିବା ସହିତ ଦୃଢ଼ି କରଣ କରାଯାଇଥିଲା । ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ କାଉନସିଲ ବୈଠକରେ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଅଭିବ୍ୟକ୍ତ ରଖିଥିଲେ । ଏହି ବୈଠକରେ ବାଲିଗୁଡା ଏନଏସିର ୧୩ଟି ୱାର୍ଡର ରାସ୍ତାଘାଟ, ଡ୍ରେନେଜ ସମସ୍ୟା, ସହର ପରିମଳ ବ୍ୟବସ୍ଥା ସୌନ୍ଦର୍ଯ୍ୟୀକରଣ, ଆଲୋକିକରଣ ସମେତ ସହରରେ ଥିବା ବିଭିନ୍ନ ସମସ୍ୟା ତଥା ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ୧୦ ଜଣ କାଉନସିଲରଙ୍କ ସମେତ ସମସ୍ତ ଏନଏସି କର୍ମଚାରୀ ଉପସ୍ଥିତ ଥିଲେ । ଏହି ବୈଠକରେ ଦୁଇ କଂଗ୍ରେସ କାଉନସିଲର ଅସନ୍ତୋଷ ପ୍ରକାଶ କରି ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ବ୍ୟାପକ ଦୁର୍ନୀତି ସହ ଆୟବ୍ୟୟର ହିସାବ ଦେଉନଥିବା ପ୍ରତିବାଦରେ ଧାରଣା ଦେଇଥିଲେ ।