
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅବସରରେ ଓଡିଶା ଗ୍ରାମୀଣ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ବଲାଙ୍ଗିର ପକ୍ଷରୁ ଏକ ସଚେତନ ପଦଯାତ୍ରା ଆୟୋଜିତ ହୋଇଛି । ଏହାକୁ ଆଞ୍ଚଳିକ ପ୍ରବନ୍ଧକ ସୂର୍ଯ୍ୟକାନ୍ତ ସାହୁ ଏବଂ ମ୍ୟାନେଜର ବିଜିନେସ ବିଶ୍ୱଜିତ ମହାନ୍ତି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପଦଯାତ୍ରାରେ ଆଞ୍ଚଳିକ କାର୍ଯ୍ୟାଳୟ ସମେତ ନିକଟବର୍ତ୍ତୀ ବିଭିନ୍ନ ଶାଖାର କର୍ମଚାରୀମାନେ ଉତ୍ସାହର ସହ ସାମିଲ ହୋଇଥିଲେ । ଏହି ପଦଯାତ୍ରା ଆଞ୍ଚଳିକ କାର୍ଯ୍ୟାଳୟରୁ ବାଳିକା ମହାବିଦ୍ୟାଳୟ ପର୍ଯ୍ୟନ୍ତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବାଳିକା ମହାବିଦ୍ୟାଳୟର ପ୍ରିନ୍ସପାଲ ଡ. ଅରବିନ୍ଦ କୁମାର ଓଝା ଓ ଆଞ୍ଚଳିକ ମହାପ୍ରବନ୍ଧକ ସୂର୍ଯ୍ୟକାନ୍ତ ସାହୁ କଲେଜ ପରିସରରେ ବୃକ୍ଷ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥିତ ଥିବା ଛାତ୍ରୀମାନଙ୍କୁ ଦୁର୍ନୀତି ନିବାରଣ ସଚେତନ କିପରି କରାଯାଇପାରିବ ତାହା ସରଳ ଭାବେ ବୁଝାଇଥିଲେ । ଏହା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ ବୋଲି ଶ୍ରୀ ଓଝା ଛାତ୍ରୀମାନଙ୍କୁ ନିଜ ଅଭିଭାଷଣରେ ଜଣାଇଥିଲେ । ଏହି କାର୍ଯ୍ୟକ୍ରମକୁ ଆଲଫା ରଥ ଏବଂ ଅନିଲ ପଟ୍ଟନାୟକ ସଂଯୋଜନା କରିଥିଲେ ।