
ରାୟଗଡା, (ଅକ୍ଷୟ କୁମାର ପିଡିଶିକା) : ଦନ୍ତାହାତୀର ଦାଉ ଘରେ ପଶି ଖାଇଲା ଭାତ, ନଷ୍ଟ କଲା ସପୁରୀ ଚାଷ । ରାତିରେ ଗାଁ ଭିତରକୁ ପଶିଲା ଦନ୍ତାହାତୀ । ଘରର କାନ୍ଥ ଭାଙ୍ଗି ଶୁଣ୍ଡ ପୁରାଇ ଖାଇଗଲା ଭାତ, ଡାଲି ଆଉ ତରକାରୀ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ଉପରପୋଲି ଗାଁରେ । ରାତି ପ୍ରାୟ ଗୋଟାଏ ବେଳେ କୁଲି ହୁଇକାଙ୍କ ପରିବାର ଘରେ ଶୋଇଥିବା ସମୟରେ ହଠାତ୍ ଘର ନିକଟରେ ପହଞ୍ଚିଥିଲା ଏକ ଦନ୍ତାହାତୀ । ପରିବାର ଲୋକେ କିଛି ବୁଝିବା ଆଗରୁ ହାତୀଟି ଘରର ବାଡ କାନ୍ଥ ଭାଙ୍ଗି ଦେଇଥିଲା । ଆଉ ତା’ପରେ ଶୁଣ୍ଢ ପୁରାଇ ଘର ଭିତରେ ରଖାଯାଇଥିବା ଭାତ, ଡାଲି, ତରକାରୀ ଓ ପେଜ ଖାଇବାରେ ଲାଗିଥିଲା । ଦୃଶ୍ୟ ଥିଲା ଭୟଙ୍କର । ଘର ଭିତରେ ପରିବାର ଲୋକେ ଭୟରେ ଚୁପଚାପ୍ ଚାପି ହୋଇ ରହିଥିବା ବେଳେ, ବାହାରେ ଦନ୍ତାହାତୀ ନିର୍ଭୟରେ ଖାଇ ଚାଲିଥିଲା । ଭାତ ଓ ତରକାରୀ ଖାଇ ସାରିବା ପରେ ଡେକ୍ଚି, ଥାଳି ଓ ଅନ୍ୟ ସାମଗ୍ରୀ ଏଣେତେଣେ ପିଙ୍ଗି ଦେଇଥିଲା ହାତୀ । ଏହାପରେ ଘର ଛାଡ଼ି ନିକଟସ୍ଥ ସପୁରୀ ଚାଷ ଜମିରେ ପଶି ଫସଲ ନଷ୍ଟ କରିବା ସହ ଗଛପତ୍ର ଭାଙ୍ଗି ଚାଲିଥିଲା । ଶେଷରେ ଜଙ୍ଗଲ ଆଡ଼କୁ ଚାଲିଯାଇଥିଲା ଦନ୍ତାହାତୀ । ହାତୀ ଚାଲିଯିବା ପରେ ଘର ବାହାରକୁ ଆସି ପରିସ୍ଥିତି ଦେଖିଥିଲେ ପରିବାର ଲୋକେ । ରାତିସାରା ଭୟରେ ଆଖିରେ ନିଦ ନଥିବା କହିଛନ୍ତି କୁଲି ହୁଇକାଙ୍କ ପୁଅ ରାମଚନ୍ଦ୍ର ଓ ପରିବାର ସଦସ୍ୟ । ଅନ୍ୟପଟେ ସପୁରୀ ଚାଷ ନଷ୍ଟ ହୋଇଯାଇଥିବାରୁ ପରିବାର ଉପରେ ଏବେ ଆଉ ଏକ ଚିନ୍ତା ଘାରିଛି । ହାତୀ ଉପଦ୍ରବରୁ ରକ୍ଷା ସହ ଫସଲ କ୍ଷତିର କ୍ଷତିପୂରଣ ଦାବି କରିଛନ୍ତି ପରିବାର ଲୋକେ ।