jayashree

ଆତ୍ମସୁରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଉଚ୍ଚ ଶିକ୍ଷା ବିଭାଗ, ଓଡ଼ିଶା ସରକାର ନିର୍ଦ୍ଦେଶିତ ମହାବିଦ୍ୟାଳୟ ସ୍ତରର ପ୍ରଥମ ବର୍ଷ ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା କୌଶଳ ଅଭିବୃଦ୍ଧି ପାଇଁ ସ୍ଥାନୀୟ ସେକ୍ଟର ୪ ସ୍ଥିତ ରାଉରକେଲା କଲେଜ, ରାଉରକେଲା ଆନୁକୂଲ୍ୟରେ ଏକ ଅଷ୍ଟ-ଦିବସୀୟ ଶିବିର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସେକ୍ଟର ୩ ଥାନାଧିକାରୀ ପିଙ୍କି କୁମାରୀ ମୁର୍ମୁଙ୍କ ଦ୍ୱାରା ଶିବିରଟି ଉଦ୍‌ଘାଟିତ ହୋଇଥିବା ବେଳେ ସମାରୋପ କାର୍ଯ୍ୟକ୍ରମରେ ରାଉରକେଲାର ଅତିରିକ୍ତ ପୋଲିସ ଅଧୀକ୍ଷକ ଶ୍ରାବଣୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାଙ୍କର ଦୀକ୍ଷାନ୍ତ ବକ୍ତବ୍ୟରେ ଛାତ୍ରୀମାନଙ୍କୁ ନିଜର ସୁରକ୍ଷାକୁ ପ୍ରାଥମିକତା ପ୍ରଦାନ କରିବା ସହ ଆତ୍ମ ସୁରକ୍ଷା କୌଶଳରେ ନିପୂଣ ହେବାକୁ ପରାମର୍ଶ ଦେଇଥିଲେ ତଥା ସାମାଜିକ ଗଣମାଧ୍ୟମରେ ନିଜର ବ୍ୟକ୍ତିଗତ ସୂଚନା ପ୍ରଦାନ ନ କରିବାକୁ ସତର୍କ କରାଇଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସତ୍ୟାନନ୍ଦ ବେହେରା ଯୋଗଦେଇ ଛାତ୍ରୀମାନଙ୍କୁ ସଶକ୍ତ ହେବା ସହ ସମାଜ ଗଠନରେ ସହଭାଗୀ ହେବା ପାଇଁ ପ୍ରେରିତ କରିଥିଲେ । କଲେଜର ଅଧ୍ୟକ୍ଷ ଡଃ. ରବୀନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଆତ୍ମ ସୁରକ୍ଷା କୌଶଳ ପ୍ରଶିକ୍ଷଣ ଶିବିରଟି ବରିଷ୍ଠ ପ୍ରାଧ୍ୟାପିକା ବନ୍ଦନା ସୋରେନ ଦ୍ୱାରା ପରିଚାଳିତ ହୋଇଥିଲା । ସହଯୋଗୀ ଭାବେ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ପ୍ରାଧ୍ୟାପିକା ରଶ୍ମିପ୍ରଭା ମାଥାନ ଏବଂ ଦୀପାଳି ପ୍ରଧାନ । ଅଷ୍ଟ-ଦିବସୀୟ ଶିବିରର ପ୍ରଶିକ୍ଷଣ ଦାୟିତ୍ଵ ନିର୍ବାହ କରିଥିଲେ ଜୟା କୁମାରୀ ସିଂ, ଖୁସବୁ କେରକେଟା ଏବଂ ନିକି କୁମାରୀ କୁଶୱାହ । ସମାପନ କାର୍ଯ୍ୟକ୍ରମରେ ପ୍ରଶିକ୍ଷିତ ଛାତ୍ରୀମାନେ ନିଜ ନିଜର ଆତ୍ମ ସୁରକ୍ଷା କୌଶଳର ପ୍ରୟୋଗ ପ୍ରଦର୍ଶନ କରିଥିଲେ । ଛାତ୍ରୀ ପୂଜା ତିର୍କି ଏବଂ ଅନ୍ୱେଷା ନାୟକ ପ୍ରଶିକ୍ଷଣ ଶିବିରର ଉପାଦେୟତା ସଂପର୍କରେ ଅନୁଭବ ରଖିଥିଲେ । ବରିଷ୍ଠ ପ୍ରାଧ୍ୟାପିକା ଭାରତୀ ବରୱା, ମୌସୁମୀ ଦାସ, ରଂଜିତା ପାଣିଗ୍ରାହୀ, ପ୍ରତିମା ପାତ୍ର, ପ୍ରିୟଙ୍କା ପଲାଇ, ରଚନା ମିଶ୍ର, ସ୍ୱାତୀ ସ୍ମିତା ସାହୁ, ରଂଜିତ ପ୍ରଧାନ, ସୁଶାନ୍ତ ରଣା, ସୁମନ ଡୁଙ୍ଗଡୁଙ୍ଗ, ସିଦ୍ଧାର୍ଥ ସାହୁ ଏବଂ ଅଜୟ କୁମାର ଯାଦବ ପ୍ରମୁଖ ଶିବିରର ସଫଳତା ପାଇଁ ସହଯୋଗ ପ୍ରଦାନ କରିଥିଲେ ।

Leave A Reply

Your email address will not be published.