
ରାଉରକେଲା, (ସସ୍ମିତା ପ୍ରଧାନ) : ଝିରପାଣି ମକର ମିଳନ କମିଟି ତରଫରୁ ୨୪ତମ ଟୁସୁ ମିଳନ ୱାଇଏସି ପଡିଆ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ହାଲୁ ମୁଣ୍ଡାରୀଙ୍କ ସଭାପତିତ୍ୱ, ସମ୍ପାଦକ ନିଳାମ୍ବର ମୁଣ୍ଡାରୀଙ୍କ ଆବାହକତ୍ୱ ତଥା ଗଙ୍ଗାଧର ବୀରଙ୍କ ମଞ୍ଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସର ପ୍ରାକ୍ତନ ସଭାପତି ବିରେନ୍ଦ୍ର ନାରାୟଣ ପଟ୍ଟନାୟକ ମୁଖ୍ୟଅତିଥି, ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ବିଧାୟକ ତଥା ଜିଲ୍ଲା ପରିଷଦ ସଭ୍ୟ ହାଲୁ ମୁଣ୍ଡାରୀ, ସମିତି ସଭ୍ୟା ପ୍ରତିମା ପାତ୍ର, ସରପଞ୍ଚ ଅଜିତ ତିର୍କି, ସମାଜସେବୀ ଗୌରୀ କୁମ୍ଭାର, ରାମଚନ୍ଦ୍ର ଖାଡିଆ, ମଙ୍ଗଲୁ ଖାଡିଆ ପ୍ରମୁଖ ଯୋଗଦେଇ ଦେବୀ ପୁରୁଙ୍କ ଜୀବନୀ ଓ ତାଙ୍କର ଆଦର୍ଶ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ ଟୁସୁଙ୍କ ଆଶିର୍ବାଦ କାମନା କରି ଭାଇଚାରା, ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଅନ୍ୟ ଅତିଥିମାନେ ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ମତ ରଖିଥିଲେ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ୯ଟି ଟୁସୁ ଦେବୀଙ୍କ ମେଲଣରେ ସହସ୍ରାଧିକ ଜନସମାଗମ ହୋଇଥିଲା । ସେହିପରି ବିଭିନ୍ନ ଦଳ ପକ୍ଷରୁ ନୃତ୍ୟଗୀତ ପରିବେଷଣ କରାଯାଇ କୃତିତ୍ୱ ହାସଲ କରିଥିବା ଦଳଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଗଣେଶ ଲୋହାର, ଅମିତ ବାରା, ଅଜୟ ଖାଲଖୋ, ରାଜେଶ ଖାଡିଆ, ନବୀନ ମୁଣ୍ଡାରୀ, ଚନ୍ଦ୍ର ଖାଡିଆ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ମେଲୋଡି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।