
- ଚୋରି ହୋଇଥିବା ତିନିଟି ପୁରାତନ ରୂପା ମୁକୁଟ ଉଦ୍ଧାର ଦାବି
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଖାଣ୍ଟି ରୂପା ଖଚିତ ଅଳଙ୍କାର ଏପର୍ଯ୍ୟନ୍ତ ମିଳିପାରି ନାହିଁ । ଯେଉଁ ସାମଗ୍ରୀ ପୋଲିସ ଦେଇଛି ତାହା ମା’ଙ୍କ ଅରିଜିନାଲ ମୁକୁଟ ନୁହେଁ । ଅଧିକ(ଡବଲ)ସୁନା ମିଳିଛି ସତ କିନ୍ତୁ ସେ ସୁନା ମା’ଙ୍କ ବ୍ୟବହୃତ ଅଳଙ୍କାର ମୁକୁଟ ନୁହେଁ । ଆବାହମାନ କାଳରୁ ରୂପା ମୁକୁଟ ବ୍ୟବହାର ହେଉଛି । ସେହି ମୁକୁଟ ତୁରନ୍ତ ଉଦ୍ଧାର କରାଯାଉ । ଚୋର କହୁଛି ଆମେ ମା’ଙ୍କ ମନ୍ଦିର ଚୋରି କରି ନାହୁଁ । ବଙ୍ଗୋମୁଣ୍ଡା – ମାଆ ଦ୍ୱାରସନୀ ମନ୍ଦିରରୁ ଚୋରି ହୋଇଥିବା ରୂପା ଖଚିତ ତିନିଟି ଅରିଜିନାଲ ମୁକୁଟ ସମେତ ଅନ୍ୟାନ୍ୟ ଅଳଙ୍କାର ଏପର୍ଯ୍ୟନ୍ତ ଉଦ୍ଧାର ହୋଇପାରିନଥିବାରୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଗଭୀର ଉଦ୍ବେଗ ପ୍ରକାଶ କରିଛି । ମନ୍ଦିରରୁ ଚୋରି ହୋଇଥିବା ମା’ଙ୍କ ମୁକୁଟ ଫେରିବା ଦରକାର । କିଛି ଲୋକ ମା’ ଦ୍ୱାରସନୀ ମନ୍ଦିର ଚୋରିକୁ ଖାମଖିଆଲି ଭାବରେ ନେଉଛନ୍ତି, ଶସ୍ତା ରାଜନୀତି କରୁଛନ୍ତି, ଲୋକଙ୍କୁ ଭୁଆଁବୁଲାଉଛନ୍ତି । ଦ୍ୱିଗୁଣା ସୁନା ନିଅ ଘଟଣାକୁ ଚପାଇ ଦିଅ ବୋଲି କିଛି ଲୋକ ଚକ୍ରାନ୍ତ କରିଥିଲେ, ମା’ଙ୍କ ଦରବାରରେ ମିଛ କାମ ଦେଲା ନାହିଁ । ଗତ ସୋମବାର ଦିନ ତା. ୭. ୯. ୨୬ରେ ମା’ ତାଙ୍କର ସେବାୟତ ମାନଙ୍କୁ ଏହି ବିଷୟରେ ଜଣାଇ ଦେଇଛନ୍ତି । ଅନ୍ୟ ଲୋକ ବ୍ୟବହାର କରିଥିବା ସୁନା ରୂପା ମାଆଙ୍କ ଦେହରେ ଲାଗିବ ନାହିଁ । ଚୋରମାନଙ୍କ ଠାରୁ ଅଧିକ ସୁନା ମିଳିଛି ସତ କିନ୍ତୁ ମନ୍ଦିରର ସୁନା ନୁହେଁ, ମାଆଙ୍କ ମୁକୁଟ ନୁହେଁ । ତେଣୁ ମା’ ଦ୍ୱାରସନୀଙ୍କ ବ୍ୟବହୃତ ଅଳଙ୍କାର ହିଁ ତୁରନ୍ତ ଉଦ୍ଧାର କରି ମନ୍ଦିରକୁ ଫେରାଇ ଆଣିବା ପାଇଁ ସଂଘ ପକ୍ଷରୁ ପୁଲିସ ପ୍ରଶାସନ ନିକଟରେ ଦୃଢ଼ ଦାବି କରାଯାଇଛି । ସଂଘ ପକ୍ଷରୁ କୁହାଯାଇଛି ଯେ, ମା’ ଦ୍ୱାରସନୀ ମନ୍ଦିର ଆଦିବାସୀ ସମାଜର ଆସ୍ଥା, ପରମ୍ପରା ଓ ସାଂସ୍କୃତିକ ପରିଚୟ ସହିତ ଗଭୀର ଭାବେ ଜଡ଼ିତ । ମନ୍ଦିରର ଦେବୀଙ୍କ ଅଳଙ୍କାର ଚୋରି ହେବା କେବଳ ସମ୍ପତ୍ତି ଚୋରିର ଘଟଣା ନୁହେଁ, ଏହା ଭକ୍ତମାନଙ୍କ ଧାର୍ମିକ ଭାବନା ଓ ସମାଜର ସାମୂହିକ ଆସ୍ଥାକୁ ମଧ୍ୟ ଆଘାତ ପହଞ୍ଚାଇଛି । ବିଶେଷକରି ସୁନା ଓ ରୂପା ଖଚିତ ତିନିଟି ମୁକୁଟ ଏପର୍ଯ୍ୟନ୍ତ ମିଳିନଥିବାରୁ ଭକ୍ତ ଓ ଆଦିବାସୀ ସମାଜ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଦାବି କରିଛି ଯେ, ପୁଲିସ ଏହି ଘଟଣାର ତଦନ୍ତକୁ ଅଧିକ ତ୍ୱରାନ୍ୱିତ କରି ଚୋରି ହୋଇଥିବା ଅଳଙ୍କାରଗୁଡ଼ିକର ସନ୍ଧାନ କରୁ । ଆବଶ୍ୟକ ହେଲେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରି ଚୋରି ସାମଗ୍ରୀ ଉଦ୍ଧାର ପାଇଁ ପ୍ରଭାବଶାଳୀ ପଦକ୍ଷେପ ନିଆଯାଉ । ଏଥିସହ ତଦନ୍ତର ଅଗ୍ରଗତି ସମ୍ପର୍କରେ ମନ୍ଦିର ପରିଚାଳନା କମିଟି ଓ ସମ୍ପୃକ୍ତ ଭକ୍ତମାନଙ୍କୁ ଅବଗତ କରାଯାଉ । ସଂଘ ଆହୁରି ଦାବି କରିଛି ଯେ, ଚୋରି ହୋଇଥିବା ସୁନା ଓ ରୂପା ଖଚିତ ତିନିଟି ମୁକୁଟ ସମେତ ସମସ୍ତ ଅଳଙ୍କାର ଉଦ୍ଧାର କରି ଯଥାଶୀଘ୍ର ମନ୍ଦିର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଉ । ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରାଯାଉ । ଦ୍ୱାରସନୀ ମନ୍ଦିରର ଚୋରି ହୋଇଥିବା ତିନିଟି ସୁନା ଓ ରୂପା ଖଚିତ ମୁକୁଟ ସମେତ ସମସ୍ତ ଅଳଙ୍କାର ଉଦ୍ଧାର ନହେବା ପର୍ଯ୍ୟନ୍ତ ଭକ୍ତ ଶାନ୍ତି ହେବେ ନାହିଁ । ପୁଲିସ ପ୍ରଶାସନ ଏହାକୁ ପ୍ରାଥମିକତା ଦେଇ ତୁରନ୍ତ ଚୋରି ସାମଗ୍ରୀ ଉଦ୍ଧାର କରୁ ବୋଲି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ବଙ୍ଗୋମୁଣ୍ଡା ବ୍ଲକ ସଭାପତି ମନରଞ୍ଜନ ଭୋଇ, ଟିଟିଲାଗଡ଼ ବ୍ଲକ ସଭାପତି ପଦ୍ମନ ପ୍ରଧାନୀ, ସଂଗଠନ ସମ୍ପାଦକ ଥବିର ପୁଝାରୀ, ନଗର ସଭାପତି ନିତ୍ୟାନନ୍ଦ ମାଝି, ସିନ୍ଧେକେଲା ସଭାପତି ଲୟକର ଛତ୍ରିଆ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଦାବୀ କରିଥିଲେ ।