
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବକୁ ନେଇ ଗଞ୍ଜାମ ଜିଲ୍ଲାରେ ଜୋରଦାର ହୋଇଛି ପ୍ରଶାସନିକ ତତ୍ପରତା । ବିପଦକୁ ମୁକାବିଲା କରିବା ସହ ଜନଜୀବନର ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର, ସ୍ଥାନାନ୍ତର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମଣିଷ ଓ ପଶୁଙ୍କ ମୃତ୍ୟୁ ସଂଖ୍ୟା ଶୂନ ରହିଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ୱି. କୀର୍ତ୍ତି ଭାସନ୍ । ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ବାତ୍ୟା ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ସମୟରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା ଏବଂ ବ୍ରହ୍ମପୁର ମହାନଗର ନିଗମ କମିଶନର ଏ. ଶେଷା ରେଡ୍ଡୀ ଉପସ୍ଥିତ ଥିଲେ । ବାତ୍ୟାର ମୁକାବିଲା ପାଇଁ ଜିଲ୍ଲାରେ ୧୭୭ଟି ସୁରକ୍ଷିତ ଆଶ୍ରୟସ୍ଥଳୀକୁ ମୋଟ ୬ ହଜାର ୧୭୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ଏଥିରେ ୨ ହଜାର ୪୧୫ ଜଣ ପୁରୁଷ, ୨ ହଜାର ୪୨୮ ଜଣ ମହିଳା ଓ ୧ ହଜାର ୩୨୭ ଜଣ ଶିଶୁ ରହିଛନ୍ତି । ସମସ୍ତ ଆଶ୍ରୟସ୍ଥଳୀରେ ମାଗଣା ରନ୍ଧା ଖାଦ୍ୟ ବଣ୍ଟନ ସହ ଖାଦ୍ୟର ମାନ ଓ ପରିମଳ ବ୍ୟବସ୍ଥା ଉପରେ ନଜର ରଖାଯାଇଛି । ସେହିପରି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ୩ଟି ଓଡ୍ରାଫ୍ ଟିମ୍, ୨ଟି ଏନ୍ଡିଆର୍ଏଫ୍ ଟିମ୍ ଏବଂ ୨୪ଟି ଅଗ୍ନିଶମ ୟୁନିଟ୍କୁ ପ୍ରସ୍ତୁତ ରଖାଯାଇଛି । ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ ୪ଟି ମୋଟରଚାଳିତ ଡଙ୍ଗା ମଧ୍ୟ ନିୟୋଜିତ କରାଯାଇଛି । ଜିଲ୍ଲାର ସମସ୍ତ ସ୍ତରରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଛି । ଅନ୍ୟପଟେ ଗର୍ଭବତୀ ମହିଳାଙ୍କ ସୁରକ୍ଷାକୁ ମଧ୍ୟ ପ୍ରାଥମିକତା ଦିଆଯାଇଛି । ଆସନ୍ତା ୧୫ ଦିନ ମଧ୍ୟରେ ପ୍ରସବ ତାରିଖ ଥିବା ୧ ହଜାର ୨୬୨ ଜଣ ଗର୍ଭବତୀଙ୍କୁ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ୪୮୨ ଜଣଙ୍କୁ ସୁରକ୍ଷିତ ଭାବେ ମା’ ଗୃହ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ୨୨୮ ଜଣଙ୍କର ସୁରକ୍ଷିତ ପ୍ରସବ ହୋଇଛି । ଜଳଭଣ୍ଡାର ଓ ନଦୀର ଜଳସ୍ତର ଉପରେ ମଧ୍ୟ ପ୍ରଶାସନ ନଜର ରଖିଛି । ସମସ୍ତ ଜଳଭଣ୍ଡାରର ଜଳସ୍ତର ବିପଦ ସଙ୍କେତ ତଳେ ରହିଥିବା ବେଳେ ବାଘଲଟି ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୫୦୦ ଘନମିଟର ଜଳ ପ୍ରବେଶ କରୁଛି ଏବଂ ୨୦୦ ଘନମିଟର ଜଳ ନିଷ୍କାସିତ ହେଉଛି । ଏହାକୁ ନେଇ ଜଳଭଣ୍ଡାରର ଜଳସ୍ତର ଓ ତଳମୁଣ୍ଡର ସ୍ଥିତି ଉପରେ ସତର୍କ ନଜର ରଖାଯାଇଛି । ବ୍ରହ୍ମପୁର ସହରରେ ଜଳବନ୍ଦୀ ସ୍ଥିତିକୁ ଏଡ଼ାଇବା ପାଇଁ ବିଭିନ୍ନ ଅଞ୍ଚଳରେ ଡ୍ରେନ୍ ସଫେଇ ଓ ଅବରୋଧ ହଟାଇବା କାର୍ଯ୍ୟ ଚାଲିଛି । ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଥିବା ବେଳେ ଉପକୂଳ ଅଞ୍ଚଳରେ ପାଟ୍ରୋଲିଂ ଜାରି ରହିଛି । ଏପରିକି ଦୁର୍ଗମ ଅଞ୍ଚଳରେ ମଧ୍ୟ ପ୍ରଶାସନ ପହଞ୍ଚି ବିପନ୍ନଙ୍କୁ ସହାୟତା ଯୋଗାଇ ଦେଉଛି । ପୋଲସରା ବ୍ଲକ୍ର ପାଲାବା ଓ ଚଞ୍ଚେରା ଗ୍ରାମକୁ ବିଡିଓ ଓ ତହସିଲଦାରଙ୍କ ସମେତ ପ୍ରଶାସନିକ ଟିମ୍ ପ୍ରାୟ ୩ କିଲୋମିଟର ଦୁର୍ଗମ ପଥ ଚାଲି ପହଞ୍ଚିଥିଲେ । ସେଠାରେ ଖାଦ୍ୟ ସାମଗ୍ରୀ ବଣ୍ଟନ ସହ ଗ୍ରାମବାସୀଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ନେବାର ବ୍ୟବସ୍ଥା କରାଯାଇଥିଲା । ବାତ୍ୟାର ପ୍ରଭାବ ଯେପରି ଜନଜୀବନକୁ ଅଧିକ ପ୍ରଭାବିତ ନକରେ, ସେଥିପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଜରୁରୀକାଳୀନ ବ୍ୟବସ୍ଥାକୁ ହାଇଆଲର୍ଟରେ ରଖାଯାଇଛି ।