jayashree

ବିଜେଡିର ଜନ ସଂପର୍କ ପଦଯାତ୍ରା : ଯୋଗଦେଲେ ସୁଜାତା ରାଉତ

  • ସୁବର୍ଣ୍ଣପୁର ଜିଲ୍ଲାରେ ବିଜେଡିର ଶକ୍ତି ପ୍ରଦର୍ଶନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଠାରେ ବିଜେଡିର ଜନସଂର୍ପକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସୋନପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୁଜାରୀଙ୍କ ନେତୃତ୍ୱରେ ସ୍ଥାନୀୟ ଶିବ ମନ୍ଦିରରୁ ହଜାର ହଜାର ସଂଖ୍ୟାରେ କର୍ମୀ ପଦଯାତ୍ରାରେ ବାହାରିଥିଲେ । ପଦଯାତ୍ରାରେ ସାମିଲ ହୋଇଥିଲେ ଖୋଦ୍ ସୁଜାତା ରାଉତ । ଶ୍ରୀମତୀ ରାଉତ ପ୍ରଥମେ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ପରେ ପଦଯାତ୍ରାରେ ସାମିଲ ହୋଇଥିଲେ । ପଦଯାତ୍ରାରେ ୨୬ନମ୍ବର ଜାତୀୟ ରାଜପଥ ଲୋକାରଣ୍ୟ ହୋଇପଡିଥିଲା । ଜାତୀୟ ରାଜପଥ ଦୀର୍ଘ ସମୟ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଯିବା ଆସିବା କଷ୍ଟକର ହୋଇପଡିଥିଲା । ପୁଲିସ ପ୍ରଶାସନକୁ ଟ୍ରାଫିକ ନିୟନ୍ତ୍ରଣ ପାଇଁ ନାକେଦମ ହେବାକୁ ପଡିଥିଲା । ଶୋଭାଯାତ୍ରା ଡେଲି ମାର୍କେଟ, ରାମପୁରରୋଡ ଛକ, ଥାନା ଛକ, ସହଲା ଛକ, ଷ୍ଟେଟବ୍ୟାଙ୍କ ଛକ ଦେଇ ଆର୍‌ଏମ୍‌ସି ପରିସରରେ ପହଞ୍ଚିବା ପରେ ବ୍ଲକ ବିଜେଡି ସଭାପତି ହିମାଂଶୁ ଶେଖର ବିଶ୍ଵାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଧାରଣ ସଭାରେ ସୁଜାତା ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜନସମୁଦ୍ରକୁ ଦେଖି ବିଧାୟକଙ୍କୁ ପ୍ରଶଂସାରେ ପୋତି ପକାଇବା ସହ ଓଡିଶାରେ ନବୀନ ଏବଂ ସୋନପୁରରେ ନିରଞ୍ଜନଙ୍କ କ୍ରେଜ୍ କମି ନଥିବା ଶ୍ରୀମତୀ ରାଉତ ପ୍ରକାଶ କରିଥିଲେ । ପରେ ରାଜ୍ୟର ବିଜେପି ସରକାରଙ୍କୁ ଆକ୍ରମଣ କରିଥିଲେ । ରାଜ୍ୟରେ ଖଣି ନୀତି ଯୋଗୁଁ ଆଜି କେନ୍ଦ୍ର ସରକାରଙ୍କ ପାଖରେ ଓଡିଶାର ଖଣିର ଲାଭାଂଶକୁ ଟେକି ଦେଇଥିବା, ଭତ୍ତା କ୍ଷେତ୍ରରେ ବିଫଳତା, ନବୀନ ସରକାର ସମୟରେ ଯେଉଁ ମାନେ ଭତ୍ତା ନେଇ ଆସିବାକୁ ଅକ୍ଷମ ସେମାନଙ୍କ ଘରକୁ ଯାଇ ଭତ୍ତା ଦିଆଯାଉଥିଲା । ଧାନ ବିକ୍ରୀ ପଞ୍ଜିକରଣ ସରଳୀ କରଣ କରାଯିବା କହି ଏଭଳି ଅବସ୍ଥା କରିଛନ୍ତି ଯେ, ଆଜି ଜଣେ ଚାଷୀ ପଞ୍ଜିକରଣ କରିପାରୁ ନାହିଁ । ୩୧ଶହ ଧାନ କ୍ୱିଣ୍ଟାଲ ନାଁରେ ଚାଷୀ ଆଜି ବାଧ୍ୟ ହୋଇ ୧୫ ଶହରୁ ୨ହଜାର ଟଙ୍କାରେ ଆନ୍ଧ୍ର ଚାଷୀ, ମିଲର୍ସ ଏବଂ ଦଲାଲ ମାନଙ୍କ ଠାରେ ବିକ୍ରୀ କରିବାକୁ ବାଧ୍ୟ ହେଉଛନ୍ତି । ମହିଳା ଏସ୍‌ଏଚ୍‌ଜି ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଧାନକିଣା ପାଇଁ ନବୀନ ସରକାର ଦାୟିତ୍ୱ ଦେଇଥିଲେ । କିନ୍ତୁ ଏବେ ବିଜେପି ସରକାର ଏମାନଙ୍କୁ ନ୍ୟାୟାଳୟ ଦେଖାଉଛି । ଖଣି ନିୟମରେ ଏଭଳି ବ୍ୟବସ୍ଥା କରିଛନ୍ତି ଏହାର ଲାଭାଂଶ ଆଜି କେନ୍ଦ୍ର ହାତକୁ ଟେକି ଦେଇଛନ୍ତି । ମହାନଦୀ ପାଣିକୁ ଆଗାମୀ ଦିନରେ ଛତିଶଗଡ ରାଜ୍ୟକୁ ମଧ୍ୟ ଦେଇଦେବାର ମସୁଧା ଚାଲିଥିବା ସେ କହିଛନ୍ତି । ସମସ୍ତ କଥାରେ କେନ୍ଦ୍ରର ନିର୍ଦ୍ଦେଶରେ ରାଜ୍ୟ ସରକାର ଉଠବସ ହେଉଛନ୍ତି । ବିଜେଡି ସମୟର ଅସଂପୂର୍ଣ କାମକୁ ଆଜି ପର୍ଯ୍ୟନ୍ତ ପୁରା କରିପାରି ନାହାନ୍ତି । ନୂତନ କାମ କେବେ କରିବେ । ନୂଆ କାମ କରିବାକୁ ତାଙ୍କର ଆଉ ଶକ୍ତି ନାହିଁ । ମୁଖ୍ୟମନ୍ତ୍ରୀ ପାଣ୍ଠି ଆଣିବାକୁ ଦୁବାଇ ଯାଉଛନ୍ତି । କେତେ ପାଣ୍ଠି ଆଣିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ପୁଣି ଏହି ସକରକାରେ ଓଡିଶାର ଆଇନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି । ମହିଳାମାନେ ଘରୁ ବାହାରକୁ ଯିବାକୁ ସୁରକ୍ଷିତ ମଣୁନାହାନ୍ତି । ନାବାଳିକା ଠାରୁ ଆରମ୍ଭ କରି ବୃଦ୍ଧା ପଯ୍ୟନ୍ତ ଦୁଷ୍କର୍ମର ଶିକାର ହେଉଛନ୍ତି । ବିଜେପି ଶାସନ ରହିଲେ ଆଗାମୀ ଦିନରେ କେହି ସୁରକ୍ଷିତ ରହିବେ ନାହିଁ । ଚାଷୀ, ଶ୍ରମିକ, ମହିଳା ସମସ୍ତେ ପ୍ରଭାବିତ ହେବେ ବୋଲି ସେ ତାଙ୍କ ବକ୍ତବ୍ୟରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ବିଧାୟକ ନିରଞ୍ଜନ ପୂଜାରୀ ତାଙ୍କ ପିତାଙ୍କ ଅମଳରୁ ଆରମ୍ଭ କରି ‌ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ପରିବାରର ଅବଦାନ ସୋନପୁର ମାଟି ପ୍ରତି ଯାହା ରହିଛି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ, ବରଗଡ଼ର ପୂର୍ବ ବିଧାୟକ ଦେବେଶ ଆଚାର୍ଯ୍ୟ, କୃଷକ ନେତା ଆକାଶ ମିଶ୍ର, ବିଜେଡି ଜିଲ୍ଲା ସଭାପତି ସରୋଜ କମ୍ପ, ରାଜ୍ୟ ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ସୁବ୍ରତ ସିଂ, ରାଜୁ ଘିବେଲା, ମନ୍ମଥ ରାଉତରାୟ, ରାଜ୍ୟ ବିଜେଡି ସମ୍ପାଦକ ନାରାୟଣ ଲୁହା, ବରଗଡ ଜିଲ୍ଲା ସଭାପତି ମାନିନୀ ଭୋଇ, ସୋନପୁର ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁପାର ଠେଲା, ସଭ୍ୟ ମଧୁସୂଦନ ଓତା, ବରଗଡ ଏନ୍‌ଏସି ଚେୟାରମ୍ୟାନ କଳ୍ପନା ମାଝୀ, ଡୁଙ୍ଗୁରିପାଲି ବ୍ଳକ ଅଧ୍ୟକ୍ଷା ଅହଲ୍ୟା ସାହୁ, ଉପାଧ୍ୟକ୍ଷ ମକରଧ୍ଵଜ ସାହୁ, ଗୌରହରି ମିଶ୍ର, ସୋନପୁର ବ୍ଲକ ଚେୟାମେନ ପ୍ରହଲ୍ଲାଦ ନାୟକ, ଯୁବ ଜିଲ୍ଲା ବିଜେଡି ସଭାପତି ଅଶୋକ ନନ୍ଦ, ଅଭିମନ୍ୟୁ କୁଶଳ, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ଅମିୟ ରଞ୍ଜନ ଦାଶ, ଶାଶ୍ୱତ ମିଶ୍ର, ଜିଲ୍ଲା ଛାତ୍ର ସଭାପତି ଅଭିଷେକ ଶର୍ମା ପ୍ରମୁଖ ଉପସ୍ଥିତ ରହି ବିଜେପି ସରକାର ଉପରେ ବର୍ଷିଥିଲେ ।

Leave A Reply

Your email address will not be published.