
ବଲାଙ୍ଗିର, (କେପିଏନ୍ଏସ୍) : ସରକାରୀ ମହାବିଦ୍ୟାଳୟ, ବଲାଙ୍ଗିର ଠାରେ ଆଜି ଶକ୍ତିଶ୍ରୀ କେନ୍ଦ୍ର ଦ୍ଵାରା ଏକ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆର୍ଥିକ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ସହକାରୀ ପ୍ରଫେସର ବନ୍ଦନା ବାର୍ ତଥା ଶକ୍ତିଶ୍ରୀ ସଂଯୋଜିକା ଅତିଥିମାନଙ୍କୁ ମଞ୍ଚକୁ ନିମନ୍ତ୍ରଣ କରିଥିଲେ । ଏହାପରେ ଦୀପ ପ୍ରଜ୍ଜ୍ୱଳନ ଓ ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ଅଧ୍ୟାପିକା ଅର୍ପିତା ପରିଚ୍ଛା ସ୍ୱାଗତ ଭାଷଣ ପ୍ରଦାନ କରି ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. କୌତୁକ ପନ୍ଦର ନିଜ ଅଭିଭାଷଣରେ ବର୍ତ୍ତମାନ ଡିଜିଟାଲ ଯୁଗରେ ଯୁବପିଢ଼ି ପାଇଁ ଆର୍ଥିକ ସାକ୍ଷରତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଫକୀରମୋହନ ସେନାପତିଙ୍କ ରେବତୀ ଠାରୁ ବର୍ତ୍ତମାନର ରେବତୀ ଶିକ୍ଷା, ଆର୍ଥିକ, ଖେଳ ପ୍ରଭୃତି କ୍ଷେତ୍ରରେ କି ଭଳି ନିଜକୁ ସଶକ୍ତିକରଣ କରିଛନ୍ତି ତାହାର ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ସୁରେନ୍ଦ୍ର କୁମାର ମିଶ୍ର, ମୁଖ୍ୟ ପରିଚାଳକ, ଏସ୍ବିଆଇ, ବଲାଙ୍ଗିର ବ୍ୟାଙ୍କିଙ୍ଗ ସେବା, ଡିଜିଟାଲ ଲେଣଦେଣ, ସଞ୍ଚୟ, ନିବେଶ ଏବଂ ସାଇବର ଠକେଇ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ । ସମ୍ମାନିତ ଅତିଥି ଦିଲୀପ କୁମାର ଛତ୍ରିଆ, ଜିଲ୍ଲା କୋଷାଧ୍ୟକ୍ଷ, ବଲାଙ୍ଗିର ସରକାରୀ କୋଷାଗାର ବ୍ୟବସ୍ଥା ଓ ଆର୍ଥିକ ଶୃଙ୍ଖଳା ବିଷୟରେ ଆଲୋଚନା କରିଥିଲେ । ପ୍ରକାଶ କୁମାର ପଣ୍ଡା, ଯୁଗ୍ମ କମିଶନର, ବାଣିଜ୍ୟିକ କର ଓ ଦ୍ରବ୍ୟ ଓ ସେବା କର, ଆଞ୍ଚଳିକ ପରିସର, ବଲାଙ୍ଗିର ଦ୍ରବ୍ୟ ଓ ସେବା କର ଏବଂ ଦେଶ ଗଠନରେ ଏହାର ଭୂମିକା ବିଷୟରେ ବୁଝାଇଥିଲେ । ଶେଷରେ ଅଧ୍ୟାପିକା ରମଣୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ।