
ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର +୩ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଛାତ୍ରୀମାନଙ୍କ ସୁରକ୍ଷା, ସ୍ୱାବଲମ୍ବନ, ଆତ୍ମବିଶ୍ୱାସ ଓ ସଶକ୍ତିକରଣ ଉଦ୍ଦେଶ୍ୟରେ ଆୟୋଜିତ ‘ଶକ୍ତିଶ୍ରୀ ସଶକ୍ତିକରଣ ଓ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପ୍ରମାଣୀକରଣ ସମାରୋହ ଏକ ଗମ୍ଭୀର ଓ ଉତ୍ସାହପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ସନତ କୁମାର ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଆଗଲପୁର ଥାନାର ଅଧିକାରୀ ଇନ୍-ଚାର୍ଜ ଶ୍ରୀମତୀ ଦୀପ୍ତିମୟୀ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳ ସହିତ ସଚେତନତା, ସାହସ ଓ ଆତ୍ମବିଶ୍ୱାସ ବିକାଶ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଶକ୍ତିଶ୍ରୀ ସଂଯୋଜିକା ଶ୍ରୀମତୀ ସୁନିତା ଦୋରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶକ୍ତିଶ୍ରୀ କାର୍ଯ୍ୟକ୍ରମର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଛାତ୍ରୀମାନଙ୍କ ଜୀବନରେ ଏହାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଇତିହାସ ବିଭାଗର ଅଧ୍ୟାପକ କୁଳମଣି ମେହେର ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କ ସାମଗ୍ରିକ ବିକାଶ ଓ ସୁରକ୍ଷିତ ଭବିଷ୍ୟତ ପାଇଁ ଏପରି କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମର ନୋଡାଲ ଅଫିସର ଡ. ଉମାଶଙ୍କର ପାଢ଼ୀ ଶକ୍ତିଶ୍ରୀ ଓ ଆତ୍ମରକ୍ଷା ପ୍ରଶିକ୍ଷଣର ବିଭିନ୍ନ ଦିଗ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ଏହି ପ୍ରଶିକ୍ଷଣ ଛାତ୍ରୀମାନଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ସହ ଆପତ୍କାଳୀନ ପରିସ୍ଥିତିରେ ନିଜକୁ ସୁରକ୍ଷିତ ରଖିବାର ବ୍ୟବହାରିକ କୌଶଳ ପ୍ରଦାନ କରିଛି । ସମାରୋହରେ ମହାବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରଶିକ୍ଷଣରେ ଅଂଶଗ୍ରହଣ କରିଥିବା ଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ଓ ଆତ୍ମବିଶ୍ୱାସର ଏକ ନୂତନ ଉତ୍ସାହ ପରିଲକ୍ଷିତ ହୋଇଥିଲା ।