
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଜେନିଥ୍ ନର୍ସିଂ କଲେଜ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଶିକ୍ଷାମୂଳକ କ୍ଷେତ୍ର ପରିଦର୍ଶନର ଆୟୋଜନ କରାଯାଇଥିଲା । ଏହି କ୍ରମରେ ଛାତ୍ରଛାତ୍ରୀମାନେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ନୃସିଂହନାଥ ମନ୍ଦିର ଏବଂ ଏହାର ଚତୁଃପାର୍ଶ୍ୱର ପ୍ରାକୃତିକ ସୌନ୍ଦର୍ଯ୍ୟ ପରିପୂର୍ଣ୍ଣ ଅଞ୍ଚଳ ପରିଦର୍ଶନ କରିଥିଲେ । କଲେଜର ଉପାଧ୍ୟକ୍ଷ ରଞ୍ଜିତ କୋଚିଆରୀଙ୍କ ନେତୃତ୍ୱ ଓ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଭ୍ରମଣ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉତ୍ସାହର ସହ ଯୋଗ ଦେଇଥିଲେ । ପାଠ୍ୟପୁସ୍ତକ ବାହାରେ ପ୍ରକୃତି, ପରିବେଶ, ଇତିହାସ ଓ ସଂସ୍କୃତି ବିଷୟରେ ବ୍ୟବହାରିକ ଜ୍ଞାନ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା । ଏହି ଅବସରରେ ଛାତ୍ରଛାତ୍ରୀମାନେ ଗନ୍ଧମାର୍ଦ୍ଦନର ଜୈବ ବିବିଧତା, ବିଭିନ୍ନ ଔଷଧୀୟ ଗଛ, ପ୍ରାକୃତିକ ଝରଣା ଏବଂ ନୃସିଂହନାଥ ମନ୍ଦିରର ଐତିହାସିକ ଓ ପୌରାଣିକ ଗୁରୁତ୍ୱ ସମ୍ପର୍କରେ ବିସ୍ତୃତ ଭାବେ ଜାଣିବାକୁ ପାଇଥିଲେ । ଏହି ଶିକ୍ଷଣୀୟ ଯାତ୍ରା ଛାତ୍ରଛାତ୍ରୀମାନଙ୍କ ପାଇଁ ବେଶ୍ ଆନନ୍ଦଦାୟକ ଓ ଅବିସ୍ମରଣୀୟ ରହିଥିଲା ବୋଲି ସେମାନେ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଶିକ୍ଷୟିତ୍ରୀ ସୁଶ୍ରୀ ପ୍ରୀତି ଲୋହାର, ସୁଶ୍ରୀ ମିତାଲି ମଧୁସ୍ମିତା ପ୍ରଧାନ, ସୁଶ୍ରୀ ଗାୟତ୍ରୀ ବାରିକ ଏବଂ ସୁଶ୍ରୀ ଶ୍ରେଷ୍ଠା ସିଂହ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଉପାଧ୍ୟକ୍ଷ ଶ୍ରୀ କୋଚିଆରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।