jayashree

ଶ୍ରମିକ ନେତା କୃଷ୍ଣଚନ୍ଦ୍ର ପାତ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ, ସ୍ମୃତିଚାରଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ

ରାଉରକେଲା, (କେପିଏନ୍‌ଏସ୍‌) : ସମାଜବାଦୀ ଶ୍ରମିକ ନେତା ତଥା ବିଶିଷ୍ଟ ରାଜନେତା ସ୍ୱର୍ଗତ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିସଭା ଅନୁଷ୍ଠିତ ହୋଇଛି । ଅକ୍ଟୋବର ୨୪ ତାରିଖ ସନ୍ଧ୍ୟା ୭ଟାରେ ବିଶ୍ରାରୋଡ଼ସ୍ଥିତ ରାଉରକେଲା ମଜଦୂର ସଭା ଓ ହିନ୍ଦ ମଜଦୂର ସଭା କାର୍ଯ୍ୟାଳୟରେ ଏହି ସଭା ଆୟୋଜିତ ହୋଇଥିଲା । ଏନ୍‌ଏସ୍‌ପିସିଏଲ୍‌ ଏମ୍ପ୍ଲୋୟିଜ୍‌ ଆସୋସିଏସନ୍‌ର ସଭାପତି ତଥା ହିନ୍ଦ ମଜଦୂର ସଭାର ନେତା ହରେକୃଷ୍ଣ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ହିନ୍ଦ ମଜଦୂର ସଭାର ରାଜ୍ୟ ଉପସଭାପତି ଦେବେନ୍ଦ୍ର ନାଥ ଆଚାର୍ଯ୍ୟ ଓ ବିଜୁ ଜନତା ଦଳର ରାଉରକେଲା ମଣ୍ଡଳ ସଭାପତି ଗଗନ ପଣ୍ଡା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ହିନ୍ଦ ମଜଦୂର ସଭାର ରାଜ୍ୟ ସମ୍ପାଦକ ତଥା ସୁନ୍ଦରଗଡ଼ ଜିଲ୍ଲା ଶିଳ୍ପାଞ୍ଚଳ ଶ୍ରମିକ ସଭାର ସଭାପତି ନିର୍ମଳ କୁମାର ଦାସ ସଭାରେ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅତିଥି ଓ ଉପସ୍ଥିତ ଶ୍ରମିକ ନେତାମାନେ ସ୍ୱର୍ଗତ ପାତ୍ରଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ପରେ ଆୟୋଜିତ ସ୍ମୃତିସଭାରେ ତାଙ୍କର ଶ୍ରମିକ ସଂଗଠନ ପ୍ରତି ଅବଦାନ, ସମାଜବାଦୀ ଚିନ୍ତାଧାରା ଓ ରାଜନୈତିକ ଜୀବନକୁ ମନେ ପକାଇ ଉପସ୍ଥିତ ବ୍ୟକ୍ତିମାନେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ସଭାରେ ବହୁ ଶ୍ରମିକ ନେତା, ସାମାଜିକ କର୍ମୀ ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଯୋଗଦେଇ ସ୍ୱର୍ଗତ ପାତ୍ରଙ୍କ ପ୍ରତି ଗଭୀର ସମ୍ମାନ ଜଣାଇଥିଲେ । ଶେଷରେ ଆୟୋଜକ ଦିଗମ୍ବର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.