
ବ୍ରହ୍ମପୁର/ଗଞ୍ଜାମ: ଜୁଆ ଆଡ୍ଡା ଉପରେ ପୁଲିସର ବଡ଼ ଧରଣର ଚଢ଼ଉ । ଗୋଟିଏ ରାତିରେ ବ୍ରହ୍ମପୁର ଓ ଗଞ୍ଜାମ ପୁଲିସ ଜିଲ୍ଲାର ୩୪ଟି ଜୁଆ ଆଡ୍ଡାରେ ଚଢ଼ଉ କରି ୧୯୪ ଜଣଙ୍କୁ ଗିରଫ କରିଛି ପୁଲିସ । ଏହି ଚଢ଼ଉରେ ନଗଦ ୧୨ ଲକ୍ଷ ୮୮ ହଜାର ଟଙ୍କା ସହ ବହୁ ମୋବାଇଲ ଫୋନ୍ ଓ ବାଇକ୍ ଜବତ ହୋଇଛି । ବ୍ରହ୍ମପୁର ପୁଲିସ ଜିଲ୍ଲାରେ ସର୍ବାଧିକ ଜୁଆ ଆଡ୍ଡା ଠାବ ହୋଇଛି । ୧୦ଟି ଥାନା ଅଞ୍ଚଳରେ ୨୫ଟି ମାମଲା ରୁଜୁ ହୋଇଥିବା ବେଳେ ୧୩୧ ଜଣ ଗିରଫ ହୋଇଛନ୍ତି । ସେମାନଙ୍କଠାରୁ ୮ ଲକ୍ଷ ୬୭ ହଜାର ଟଙ୍କା, ୪୦ଟି ମୋବାଇଲ ଫୋନ୍, ଗୋଟିଏ କାର୍ ଓ ୨୭ଟି ବାଇକ୍ ଜବତ କରାଯାଇଛି । କେବଳ ଗୋପାଳପୁର ଥାନା ଅଞ୍ଚଳରେ ୩ଟି ଜୁଆ ଆଡ୍ଡାରେ ଚଢ଼ଉ କରି ୧୫ ଜଣଙ୍କୁ ଗିରଫ କରିବା ସହ ୧ ଲକ୍ଷ ୩୩ ହଜାର ଟଙ୍କା ଜବତ କରାଯାଇଛି । ସେହିପରି ଗଞ୍ଜାମ ପୁଲିସ ଜିଲ୍ଲାର ୩ଟି ଥାନା ଅଞ୍ଚଳରେ ୯ଟି ଜୁଆ ଆଡ୍ଡାରେ ଚଢ଼ଉ କରି ୬୩ ଜଣଙ୍କୁ ଗିରଫ କରିଛି । ଏଠାରୁ ୪ ଲକ୍ଷ ୨୦ ହଜାର ଟଙ୍କା ଜବତ ହୋଇଥିବା ଏସ୍ପି ହରିଶ ବିସି ସୂଚନା ଦେଇଛନ୍ତି । ଜୁଆ ଖେଳ ଉପରେ ରୋକ୍ ଲଗାଇବା ପାଇଁ ପୁଲିସର ଏହି ବଡ଼ ଅଭିଯାନକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି ।