
- ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ଶପଥ ଗ୍ରହଣ
- ଦୁର୍ନୀତିମୁକ୍ତ ପ୍ରଶାସନ ଓ ସ୍ୱଚ୍ଛ ସେବା ପ୍ରଦାନ ଉପରେ ଜିଲ୍ଲା ପ୍ରଶାସନର ପ୍ରାଥମିକତା
ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ ପ୍ରଶାସନିକ ସ୍ୱଚ୍ଛତା ଏବଂ ଦୁର୍ନୀତି ନିବାରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ଆଜି ଦୁର୍ନୀତି ନିବାରଣ ସପ୍ତାହର ପ୍ରଥମ ଦିନରେ ଜନଶୁଣାଣି ଅଭିଯୋଗ ଶୁଣାଣି ଅବସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି ବିରୋଧରେ ସାଧୁତାର ଶପଥ ଗ୍ରହଣ କରିଛନ୍ତି । ରାଜବୋଡ଼ାସମ୍ବର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦେଶର ପ୍ରଗତି ପାଇଁ ଦୁର୍ନୀତି ବିରୋଧରେ ଲଢ଼ିବାକୁ ସଂକଳ୍ପ ନେଇଥିଲେ । ଆଜିଠାରୁ ‘ଦୁର୍ନୀତି ନିବାରଣ ସପ୍ତାହ’ର ଶୁଭାରମ୍ଭ ହୋଇଥିବା ବେଳେ ଆଗାମୀ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ବିଭାଗ ତରଫରୁ ବିଭିନ୍ନ ସଚେତନତା ଓ ଦୁର୍ନୀତି ବିରୋଧୀ କାର୍ଯ୍ୟକ୍ରମମାନ ଆୟୋଜିତ ହେବ । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀ ଗୋୟଲଙ୍କ ସହିତ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଲଲାଟ କୁମାର ଲୁହା, ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସରୋଜିନୀ ପ୍ରସନ୍ କୁଲୁ ଏବଂ ଉପ-ଜିଲ୍ଲାପାଳ ହେମସାଗର ଭୋଇ ପ୍ରମୁଖ ଏହି ଶପଥ ପାଠ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସାଙ୍ଗକୁ ସେମାନଙ୍କୁ ସ୍ୱଚ୍ଛ ଏବଂ ଦୁର୍ନୀତିମୁକ୍ତ ପ୍ରଶାସନିକ ସେବା ଯୋଗାଇଦେବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ବୋଲି ବିବେଚନା କରାଯାଉଛି । ଅନ୍ୟପକ୍ଷରେ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ଏକ ସାଧୁତା ଓ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନ ୧୧ ଘଟିକା ସମୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀମତୀ ମଧୁଛନ୍ଦା ସାହୁ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସନତ ପାଢ଼ୀଙ୍କ ଉପସ୍ଥିତିରେ ଅଧିକାରୀ ତଥା କର୍ମଚାରୀମାନେ ଶପଥ ପାଠ କରିଥିଲେ । ଶପଥ ଗ୍ରହଣ କାଳରେ ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ରକ୍ଷା କରିବା, ଲାଞ୍ଚ ନ ନେବା ଓ ନ ଦେବା, ସ୍ୱଚ୍ଛତାର ସହ ଦାୟିତ୍ୱ ନିର୍ବାହ କରିବା ଏବଂ ଜନସାଧାରଣଙ୍କ ହିତ ସାଧନ ଲାଗି ସର୍ବଦା ସମର୍ପିତ ରହିବାକୁ ପ୍ରତିଜ୍ଞା କରାଯାଇଥିଲା । ଏହି କ୍ରମରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ସାଧୁତାର ଶପଥ ପାଠ କରାଯାଇ ଦୁର୍ନୀତିକୁ ବିରୋଧ କରିବା ପାଇଁ ଦୃଢ଼ ପ୍ରଣ ନିଆଯାଇଛି ।