ରାଜ୍ୟରେ ସ୍ୱଚ୍ଛ ତଥା ସବୁଜ ଶକ୍ତିର ବ୍ୟାପକ ବ୍ୟବହାର ଉପରେ ସରକାର ଯୋଜନା ପ୍ରସ୍ତୁତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ସ୍ୱଚ୍ଛ ତଥା ସବୁଜ ଶକ୍ତିର ବ୍ୟାପକ ବ୍ୟବହାର ଉପରେ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ପ୍ରଦୂଷଣ ରହିତ ଶକ୍ତିର ଆବଶ୍ୟକତା ତଥା ଏ ସଂକ୍ରାନ୍ତ ଯୋଜନା ପ୍ରସ୍ତୁତ ପାଇଁ ରାଜ୍ୟସ୍ତରୀୟ ଷ୍ଟିଅରିଂ କମିଟି ବୈଠକ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି । ବିଦ୍ୟୁତ, ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ ପରିବର୍ତ୍ତେ ସୌର, ପବନ, ଜଳ ଭଳି ନବୀକରଣ ଯୋଗ୍ୟ ଉତ୍ସରୁ ଉତ୍ପନ୍ନ ଶକ୍ତିକୁ ବ୍ୟବହାର କରିବା ଉପରେ ବୈଠକରେ ଗୁରୁତ୍ଵାରୋପ କରାଯାଇଥିଲା । ଏହା ଦ୍ୱାରା ରାଜ୍ୟରେ ଶକ୍ତି ସଂରକ୍ଷଣ ଲକ୍ଷ୍ୟ ହାସଲ ହୋଇ ପାରିବ ଏବଂ କୃଷି, ପରିବହନ ଓ ଶିଳ୍ପ ଭଳି କ୍ଷେତ୍ରରେ ସ୍ୱଚ୍ଛ ଶକ୍ତିର ବ୍ୟାପକ ବ୍ୟବହାର ହୋଇପାରିବ । ରାଜ୍ୟରେ ଶକ୍ତି ସଂରକ୍ଷଣର ଆବଶ୍ୟକତା ରହିଛି ଏବଂ ସ୍ୱଚ୍ଛ ତଥା ସବୁଜ ଶକ୍ତି ବ୍ୟବହାର ଆଜିର ସମୟର ଆହ୍ୱାନ ଥିବାରୁ ଏ ସଂକ୍ରାନ୍ତୀୟ ଯୋଜନା ପ୍ରସ୍ତୁତି ପାଇଁ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏ ସଂପର୍କିତ ଯୋଜନା ଆସନ୍ତା ଏକ ମାସ ମଧ୍ୟରେ ପ୍ରସ୍ତୁତ କରିବାକୁ ବିଭାଗୀୟ ସଚିବ ମାନଙ୍କୁ ସେ ପରାମର୍ଶ ଦେଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

4 × 5 =