jayashree

ବାତ୍ୟା ‘ଅର୍ଣ୍ଣବ’ର ତାଣ୍ଡବ : କନ୍ଧମାଳରେ ପ୍ରବଳ ବର୍ଷା, ଭାଙ୍ଗିଲା ନଦୀବନ୍ଧ, ଅନେକ ଗାଁ ଜଳମଗ୍ନ

ଫୁଲବାଣୀ : ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ପ୍ରକୃତିର କରାଳ ରୂପ। ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁଁ ଜିଲ୍ଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବା ବେଳେ ଅନେକ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଜିଲ୍ଲାର ୧୨ଟି ବ୍ଲକ୍‌ରେ ମୋଟ ୨ ହଜାର ୫୫୭ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ହାରାହାରି ବର୍ଷା ପରିମାଣ ୨୧୩ ମିଲିମିଟର ରହିଛି। ଅତ୍ୟଧିକ ବର୍ଷା ଯୋଗୁଁ ନଦୀନାଳ ଫୁଲିବା ସହ ଅନେକ ସ୍ଥାନରେ ରାସ୍ତା ଧୋଇଯାଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଖଡ୍‌ଗ, ବାଘ, ବୃତଙ୍ଗ, ଉତ୍ତେଇ ଓ ରାହୁଳ ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ନଦୀକୂଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ବଢ଼ିଛି। ରାଇକିଆ ବ୍ଲକ୍‌ର ଇନ୍ଦ୍ରଗଡ଼ ପଞ୍ଚାୟତରେ ନଦୀବନ୍ଧ ଭାଙ୍ଗିଯିବାରୁ ଗାଁ ଭିତରକୁ ବନ୍ୟାଜଳ ପ୍ରବେଶ କରିଛି। ଫଳରେ ୯୦ ଜଣଙ୍କୁ ଇନ୍ଦ୍ରଗଡ଼ ସ୍କୁଲକୁ ସ୍ଥାନାନ୍ତର କରାଯାଇଛି। ସେହିପରି ବର୍ଷାରେ ଘର ଭାଙ୍ଗିଯିବାରୁ ୧୯ଟି ପରିବାରକୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଦାରିଙ୍ଗବାଡ଼ି ବ୍ଲକ୍‌ରେ ମଧ୍ୟ ୫୨ଟି ପରିବାରକୁ ସ୍ଥାନାନ୍ତର କରାଯାଇଛି। ବର୍ଷାର ପରିମାଣକୁ ଦେଖିଲେ ଘୁ. ଉଦୟଗିରିରେ ସର୍ବାଧିକ ୪୬୨.୮୦ ମିମି ବର୍ଷା ହୋଇଥିବା ବେଳେ ରାଇକିଆରେ ୩୮୪.୮୦, ଦାରିଙ୍ଗବାଡ଼ିରେ ୨୭୩, ଚକାପାଦରେ ୨୪୯, କ.ନୂଆଗାଁରେ ୨୪୦.୮୦, ଫିରିଙ୍ଗିଆରେ ୨୧୬, ଟିକାବାଲିରେ ୧୮୩, ଖଜୁରୀପଡ଼ାରେ ୧୭୫, ଫୁଲବାଣୀରେ ୧୩୨.୬୦, ବାଲିଗୁଡ଼ାରେ ୧୨୮.୬୦, ତୁମୁଡ଼ିବନ୍ଧରେ ୭୯ ଏବଂ କୋଟଗଡ଼ରେ ୩୩ ମିମି ବର୍ଷା ରେକର୍ଡ ହୋଇଛି। ଅନ୍ୟପଟେ ପ୍ରବଳ ବର୍ଷା ଓ ପବନରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଛି। ଖଜୁରୀପଡ଼ା ବ୍ଲକ୍‌ର ଜାମୁଝରି, ଚକାପାଦ ଘାଟି, ବାଲିଗୁଡ଼ାର ମୁଣ୍ଡାସାହି ରାସ୍ତା ଏବଂ ଦାରିଙ୍ଗବାଡ଼ି-ଚାରିଛକ ରାସ୍ତା ସମେତ ସୁନ୍ଦରପଙ୍କା ଓ ଗଦାପୁର ରାସ୍ତାରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଛି। ରାଇକିଆ ବ୍ଲକ୍‌ର ମାଣିକେଶ୍ୱର ପଞ୍ଚାୟତ ଅନ୍ତର୍ଗତ କୃହାବାଦା ଗାଁରେ ମଧ୍ୟ ପାଣି ପଶିଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏଭଳି ସ୍ଥିତିରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ପ୍ରଭାବିତ ଅଞ୍ଚଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିବା ସହ ଯଥାଶୀଘ୍ର ଜନଜୀବନ ସ୍ୱାଭାବିକ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଅତ୍ୟଧିକ ବର୍ଷା ଯୋଗୁଁ ଧାନ ଓ ପନିପରିବା ଚାଷ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। କ୍ଷତିଗ୍ରସ୍ତଙ୍କ ତାଲିକା ପ୍ରସ୍ତୁତ ସହ ନିୟମ ଅନୁଯାୟୀ କ୍ଷତିପୂରଣ ପ୍ରଦାନ ପାଇଁ ବ୍ୟବସ୍ଥା ହେଉଥିବା ଜିଲ୍ଲାପାଳ ବେଦଭୂଷଣ ସୂଚନା ଦେଇଛନ୍ତି।

Leave A Reply

Your email address will not be published.