
ଭଦ୍ରକ : ନାମୀଦାମୀ କମ୍ପାନୀର ବ୍ରାଣ୍ଡ ନାଁକୁ ବ୍ୟବହାର କରି ଚାଲିଥିଲା ନକଲି ସର୍ଫ ତିଆରି କାରବାର। ଭଦ୍ରକ ଜିଲ୍ଲାରେ ଏଭଳି ଏକ ନକଲି ସର୍ଫ ପ୍ରସ୍ତୁତି କାରଖାନାର ପର୍ଦ୍ଦାଫାସ କରିଛି ପୁଲିସ। ରାତି ଅଧିଆ ଚଢ଼ାଉ କରି କାରଖାନା ଭିତରୁ ବିପୁଳ ପରିମାଣର ନକଲି ସର୍ଫ ପ୍ୟାକେଟ୍ ଓ ବିଭିନ୍ନ କମ୍ପାନୀର ଲୋଗୋ ଜବତ କରାଯାଇଛି। ସୂଚନା ଅନୁଯାୟୀ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଣୀତାଲ ବଜାର ନିକଟରେ ଦୀର୍ଘଦିନ ଧରି ଏହି ବେଆଇନ କାରଖାନା ଚାଲିଥିଲା। ଏଠାରେ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀର ନାଁ ଓ ଲୋଗୋ ବ୍ୟବହାର କରି ନକଲି ସର୍ଫ ପ୍ରସ୍ତୁତ କରାଯାଉଥିଲା। ପରେ ଏହାକୁ ଆକର୍ଷଣୀୟ ପ୍ୟାକେଟ୍ରେ ଭର୍ତ୍ତି କରି ବଜାରରେ ବିକ୍ରି କରାଯାଉଥିଲା। ଏନେଇ ଖବର ପାଇବା ପରେ ପୁଲିସ ରାତିରେ କାରଖାନା ଉପରେ ଅଚାନକ ଚଢ଼ାଉ କରିଥିଲା। ତେବେ ପୁଲିସ ଚଢ଼ାଉ ସମ୍ପର୍କରେ ଜାଣିପାରି କାରଖାନାରେ ତାଲା ପକାଇ କର୍ମଚାରୀମାନେ ଫେରାର ହୋଇଯାଇଥିଲେ। ଏହାପରେ ପୁଲିସ କାରଖାନା ଭିତରେ ଯାଞ୍ଚ କରି ବିପୁଳ ପରିମାଣର ନକଲି ସର୍ଫ ପ୍ୟାକେଟ୍ ଓ ବ୍ରାଣ୍ଡେଡ୍ କମ୍ପାନୀର ଲୋଗୋ ଜବତ କରିଛି। ପ୍ରାଥମିକ ସୂଚନା ଅନୁସାରେ, ଏହି ନକଲି ସର୍ଫ ଭଦ୍ରକ ସମେତ ବାଲେଶ୍ୱର ଓ ଯାଜପୁର ଜିଲ୍ଲାର ବିଭିନ୍ନ ବଜାରକୁ ଯୋଗାଣ ହେଉଥିଲା। ନାମୀଦାମୀ କମ୍ପାନୀର ନାଁରେ ନକଲି ସାମଗ୍ରୀ ବିକ୍ରି କରି ଗ୍ରାହକଙ୍କୁ ଠକାଯାଉଥିବା ଘଟଣା ସାମ୍ନାକୁ ଆସିଛି। ଅନ୍ୟପଟେ କାରଖାନାର ମାଲିକ କିଏ ଏବଂ ଏହି ନକଲି କାରବାର ପଛରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।