pakka

ଅରୁଣ କୁମାର ନାଏକଙ୍କ ପ୍ରଥମ କୋଶଳୀ ଉପନ୍ୟାସ : ଋସି ବାଗର୍‌ କଥା ପ୍ରକାଶିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅବସରପ୍ରାପ୍ତ ଓଡ଼ିଆ ପ୍ରାଧ୍ୟାପକ ଡ. ଅରୁଣ କୁମାର ନାଏକଙ୍କ ପ୍ରଥମ କୋଶଳୀ ଉପନ୍ୟାସ ଋସି ବାଗର୍‌ କଥା ପ୍ରକାଶିତ ହୋଇଯାଇଛି । ଏହି ଉପନ୍ୟାସରେ କୋଶଳାଞ୍ଚଳର ଚାଲିଚଳନ, ସଂସ୍କୃତି, ପରମ୍ପରା, ଲୋକ ଚରିତ୍ର, ଜୀବନ ଜୀବିକା ସନ୍ନିବେଶିତ ହୋଇରହିଛି । ଖୁବ୍ ସୁନ୍ଦର ଭାବରେ ଗାଁ ଉଲି ମଣିଷଙ୍କ ଜୀବନ ଚର୍ଯ୍ୟା ସହ ମଣିଷର ଆତ୍ମୀୟତା ପରିସ୍ଫୁଟିତ ହୋଇଛି । ଲୁକ୍କାୟିତ ପ୍ରାୟ ଯାନିଯାତ୍ରା, ପର୍ବପର୍ବାଣୀ, ଖେଳକୁଦ, ବାହାଘର ନୀତିନିୟମ ଖୁବ୍ ସରଳ ଭାଷାରେ ଉପସ୍ଥାପନା କରାଯାଇଛି, ଯାହାକି ଆମର ପୂର୍ବ ସୁରୀମାନଙ୍କୁ ଥରେ ମନେପକାଇ ଦେବାରେ ଔପନ୍ୟାସିକ ସଫଳ ହୋଇପାରିଛନ୍ତି । ଏଥିରେ ବର୍ଣ୍ଣନା ଚାତୁରୀ ବେଶ୍ ବଳିଷ୍ଠ ହୋଇଛି । ପଶ୍ଚିମ ଓଡ଼ିଶାର ଭାଷା ସାହିତ୍ୟରେ ରୁଚି ରଖୁଥିବା ଲୋକଙ୍କ ପାଇଁ ନିଶ୍ଚୟ ଅନେକ ଖୋରାକ ଯୋଗାଇବ । ଶବ୍ଦ ବିନ୍ୟାସ ବେଶ୍ ବଳିଷ୍ଠ ହୋଇଥିବା ବେଳେ ଆଦର୍ଶ ରୂପୀକୋଶଳୀ ଶବ୍ଦ ମନକୁ ଛୁଇଁ ଦେଉଛି । ଏସବୁ ଶବ୍ଦ ଏବେ ପ୍ରାୟତଃ ଶୁଣିବାକୁ ମିଳୁନାହିଁ । ସମୟ ପରିବର୍ତ୍ତନଶୀଳ ଏହି କ୍ରମରେ ମଣିଷର ବ୍ୟବହାର ଚାଲିଚଳନ ସଙ୍ଗେ ମାନସିକତାରେ ମଧ୍ୟ ଘୋର ପରିବର୍ତ୍ତନ ଆସିଯାଇଛି । କିନ୍ତୁ ଆଗକାଳର ମଣିଷ ବଞ୍ଚିବାର କେଳଶଳ ବା ଶୈଳୀ ସେମାନଙ୍କୁ କିଭଳି ଭାବରେ ଆତ୍ମୀୟତାର ସୂତ୍ରରେ ବାନ୍ଧି ରଖୁଥିଲା ତାହା ଏହି ଉପନ୍ୟାସରେ ଦେଖାଯାଉଛି । ଋସି ବାଗ ନିପଟ ମଫସଲ ଗାଁରେ ବଞ୍ଚୁଥିବା ଜଣେ ନିଷ୍କପଟ ମଣିଷ । ଗାଁ ପ୍ରତି, ଗାଁରେ ରହୁଥିବା ମଣିଷମାନଙ୍କ ପ୍ରତି ତାର ଆବେଗ, ମଣିଷ ପଣିଆଁକୁ ସେ ସର୍ବଦା ତା ଜୀବନରେ ପ୍ରଥମ ସ୍ଥାନ ଦେଇଛି । ସେଥିପାଇଁ ତାର ଅନୁପସ୍ଥିତିକୁ ଲୋକେ ଝୁରି ହେଉଛନ୍ତି । ତାର ଆସିବା ବାଟକୁ ସେମାନେ ଆତୁର ହୋଇ ଚାହିଁ ରହିଛନ୍ତି । ମନରେ ଦୃଢ ଆଶା ରଖିଛନ୍ତି ଯେ ଋସି ବାଗର୍‌ ସକାଳର ନିତ୍ୟ ନୈମିତ୍ତିକ ଡାକ, “ଗାଏ ଢିଲଗୋ ଗାଏ ଢିଲ” ଓ ସନ୍ଧ୍ୟାର ଡାକ” ଗାଏ ଢୁକଗୋ ଗାଏ ଢୁକ ” ପୁଣିଥରେ ନିଶ୍ଚୟ ଶୁଭିବ । ଡ. ନାଏକଙ୍କ ଲେଖନୀରୁ ମାଁ, ଧରମ ଡଅଁରିଆ, କଲିଯୁଗେ ବେଲାଲସେନ୍, ଦିଲଚୁରି ଭଳି ଅନେକ ନାଟକ ରଚିତ ହୋଇଥିବା ବେଳେ ଅନେକ କୋଶଳୀ ଗଳ୍ପ ମଧ୍ୟ ସେ ଲେଖିଛନ୍ତି । ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସାହିତ୍ୟ ସ୍ରଷ୍ଟା ମନୋଜ ଦାସଙ୍କ ଗଳ୍ପକୁ ନେଇ ଡ଼. ନାଏକ, ମନୋଜ ଦାସଙ୍କ କ୍ଷୁଦ୍ର ଗଳ୍ପରେ ଶିଳ୍ପରୀତି ସନ୍ଦର୍ଭ ଉପସ୍ଥାପନା କରି ସେ ଡକ୍ଟରେଟ୍‌ ଉପାଧି ହାସଲ କରିଛନ୍ତି ।

Leave A Reply

Your email address will not be published.

17 − one =