om academy

ବଲାଙ୍ଗିର ଜିଲ୍ଲାରେ ରବି ଧାନ କ୍ରୟ ନିମନ୍ତେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ : ମଇ ମାସ ୧୭ ତାରିଖ ଠାରୁ ଖୋଲିବ ମଣ୍ଡି

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ରବି ଧାନ କ୍ରୟ ନିମନ୍ତେ ମଇ ମାସ ୧୭ ତାରିଖଠାରୁ ମଣ୍ଡି ଖୋଲିବା ପାଇଁ ଜିଲ୍ଲା ସ୍ତରୀୟ ଧାନକ୍ରୟ କମିଟି ବୈଠକରେ ସ୍ଥିର କରାଯାଇଛି । ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଜିଲ୍ଲାପାଳ ଚଂଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ପଂଜକୃତ ଚାଷୀ ମାନଙ୍କ ଠାରୁ କିପରି ସୁଚାରୁ ରୂପେ ରବି ଧାନ କ୍ରୟ କରାଯାଇ ପାରିବ ସେ ସଂପର୍କରେ ବିଷଦ ଭାବେ ଆୋରାଯାଇଥିଲା । ଏହି ଭିଡ଼ିଓ କନ୍‌ଫରେନ୍ସିଂ ବୈଠକରେ ଲୋଇସିଂହା ବିଧାୟକ ଡ.ମୁକୋଶ ମହାଲିଙ୍ଗ, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ରବଦନ ପୁରୋହିତ, ବଲାଙ୍ଗିର ବିଧାୟକଙ୍କ ପ୍ରତିନିଧି କୈଳାଶ ମିଶ୍ର, ପାଟଣାଗଡ଼ ଉପଜିଲ୍ଲାପାଳ ସୋମନାଥ ପ୍ରଧାନ, ଚାଷୀ ପ୍ରତିନିଧି ଜତି ପ୍ରଧାନଙ୍କ ସମେତ ଖାଦ୍ୟ ଯୋଗାଣ ଓ ଖାଉଟି କଣ୍ୟାଣ, କୃଷି, ସମବାୟ, ଲିଡ଼ ବ୍ୟାଙ୍କ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ନିୟନ୍ତ୍ରିତ ବଜାର କମିଟିର ଅଧିକାରୀ ମାନେ ଉପସ୍ଥିତ ଥିଲେ । ବୈଠକରେ ଜିଲ୍ଲା ଯୋଗାଣ ଅଧିକାରୀ ବିକ୍ରମ ମାଝୀ ଜିଲ୍ଲାରେ ରବି ଧାନ କ୍ରୟ ନିମନ୍ତେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ବୈଠକର ନିଷ୍ପତ୍ତି ପ୍ରକାରେ ଜିଲ୍ଲାରେ ୯୩ ଗୋଟି ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଓ ୬ ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ମଇ ମାସ ୧୭ ତାରିଖ ଠାରୁ ଧାନ କ୍ରୟ କରାଯିବ । ରବି ଧାନ ନିମନ୍ତେ ଜିଲ୍ଲାରେ ୪୦୫୩ ଜଣ ଚାଷୀଙ୍କ ପଂଜିକରଣ କରାଯାଇଛି । ରବିବାର ବ୍ୟତୀତ ଅନ୍ୟ ସବୁଦିନ ଗୁଡ଼ିକରେ ଧାନ ସଂଗ୍ରହ କରାଯିବ । ପ୍ରତ୍ୟହ ସକାଳ ୭ ଘଟିକାଠାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ କରାଯିବ । କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ମଣ୍ଡିଗୁଡ଼ିକରେ କୋଭିଡ଼ ସତର୍କତା ନିୟମାବଳିକୁ କଡ଼ାକଡ଼ି ଭାବେ ପାଳନ କରିବା, ମଣ୍ଡିଗୁଡ଼ିକରେ ପର୍ଯ୍ୟାପ୍ତ ସାନିଟାଇଜର୍‌, ହାତ ଧୋଇବା ପାଇଁ ପାଣି ଓ ସାବୁନ ରଖିବା ସହ ଧାନକ୍ରୟ ସମୟରେ ଦାୟିତ୍ୱରେ ଥିବା କର୍ମଚାରୀ ଓ ଚାଷୀମାନେ ସାମାଜିକ ଦୂରତା ରକ୍ଷା କରିବା, ବାଧ୍ୟତାମୂଳକ ମାସ୍କ ପିନ୍ଧିବା ସହ କୋଭିଡ଼ କଟକଣାକୁ କଡ଼ାକଡ଼ି ଭାବେ ଅନୁପାଳନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ମଣ୍ଡି ଗୁଡ଼ିକରେ ସିସି କ୍ୟାମେରାର ବ୍ୟବସ୍ଥା କରିବା, ଧାନା ସଂଗ୍ରହ ସଂକ୍ରାନ୍ତୀୟ ରେଜିଷ୍ଟାର ଗୁଡ଼ିକ ମଣ୍ଡିରେ ସଠିକ୍‌ ଭାବେ ପରିଚାଳନା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଉପ ଜିଲ୍ଲାପାଳ ଏବଂ ମିଶନ ଶକ୍ତି ସଂଯୋଜକ ମଣ୍ଡିଗୁଡ଼ିକୁ ଯାଇ ଧାନ ସଂଗ୍ରହ ସଂପର୍କରେ ତଦାରଖ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଧାନ ସଂଗ୍ରହକୁ ସ୍ୱଚ୍ଛ ଏବଂ ସଠିକ୍‌ ଭାବେ ପରିଚାଳନା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଧାନ ମଣ୍ଡିଗୁଡ଼ିକରେ ଧାନର ଗୁଣବତ୍ତାକୁ ନିର୍ଦ୍ଧାରଣ କରିବା ସକାଶେ କ୍ୱାଲିଟି ଏନାଲିସିସ୍‌ ମେସିନ ନିୟୋଜିତ କରିବା ସହ ରବି ଧାନ ସଂଗ୍ରହ ପ୍ରକ୍ରିୟା ସଂପର୍କରେ ଚାଷୀମାନଙ୍କୁ ସୂଚନା ଦେବା ନିମନ୍ତେ ବ୍ୟାପକ ସଚେତନତା କରିବାକୁ ଆର୍‌ଏମ୍‌ସି ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଧାନ କ୍ରୟ ସଂକ୍ରାନ୍ତୀୟ ସମସ୍ତ ଉପକରଣ ଉପଲବ୍ଧ କରାଇବା ସହ ମଣ୍ଡି ଗୁଡ଼ିକରେ ସମସ୍ତ ପ୍ରକାରର ଆନୁସଂଗିକ ବ୍ୟବସ୍ଥା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ରବିଧାନ ନିମନ୍ତେ ସାଧାରଣ ଏଫ୍‌ଏକ୍ୟୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପ୍ରତି ୧୮୬୮ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ଗ୍ରେଡ୍‌ ଏ ଏଫ୍‌ଏକ୍ୟୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୧୮୮୮ ଟଙ୍କା ଧାର୍ଯ୍ୟ କରାଯାଇଛି ।

Leave A Reply

Your email address will not be published.