
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ । ନଦୀବନ୍ଧରେ ପଡ଼ିଛି ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ । ମୃତଦେହଟି ଉଲଗ୍ନ ଅବସ୍ଥାରେ ଥିବାବେଳେ ଏଭଳି ନୃଶଂସ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅଞ୍ଚଳର ଲୁଣାନଦୀ ବନ୍ଧରେ ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ ମାହାରାକୂଳ ଗ୍ରାମବାସୀ । ଏନେଇ ତୁରନ୍ତ ପୁଲିସକୁ ଖବର ଦିଆଯାଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଓ ଛାନଭିନ୍ ଆରମ୍ଭ କରିଛି । ମୃତ ମହିଳାଙ୍କ ମୁଣ୍ଡ ଶରୀରରୁ ଅଲଗା ହୋଇଥିବା ବେଳେ ମୃତଦେହ ନିକଟରେ ଚପଲ ମଧ୍ୟ ପଡ଼ିଥିବା ଜଣାପଡ଼ିଛି । ମହିଳାଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ । ପ୍ରାଥମିକ ଭାବେ ହତ୍ୟା ପରେ ମୃତଦେହକୁ ଏଠାରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି । ତେବେ ମହିଳା ଜଣକ କିଏ ? କିଏ ଓ କାହିଁକି ଏଭଳି ବର୍ବର କାଣ୍ଡ ଘଟାଇଲା ? ହତ୍ୟା ପଛରେ ରହିଛି କି କୌଣସି ପୂର୍ବ ଶତ୍ରୁତା ? ଏଭଳି ଅନେକ ପ୍ରଶ୍ନ ଏବେ ସୃଷ୍ଟି ହୋଇଛି । ପୁଲିସର ତଦନ୍ତ ପରେ ହିଁ ଘଟଣାର ପ୍ରକୃତ ରହସ୍ୟ ଉନ୍ମୋଚନ ହେବ ।