
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ରେଳ ଷ୍ଟେସନ ନିକଟ ତାରିଣୀ ମନ୍ଦିର ପାଖରେ ଘଟିଛି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ । ସାମାନ୍ୟ ଏକ ଠେଲା ଏବଂ କିଛି ଟଙ୍କାକୁ କେନ୍ଦ୍ର କରି ଦୁଇ ବନ୍ଧୁଙ୍କ ମଧ୍ୟରେ ହୋଇଥିବା ବଚସା ଶେଷରେ ଜଣଙ୍କ ଜୀବନ ନେଇଛି। ମୃତକ ହେଲେ ଝାରସୁଗୁଡ଼ା ଜିଲ୍ଲାର ସୁରଜ ଏବଂ ଅଭିଯୁକ୍ତ ହେଲେ ଛତିଶଗଡ଼ର ଜାଞ୍ଜଗିର-ଚାମ୍ପା ଜିଲ୍ଲା ଅନ୍ତର୍ଗତ ଦାଭରା ଉପଖଣ୍ଡର ରାମକୁମାର । ଉଭୟ ଦୀର୍ଘଦିନ ଧରି ଟିଟିଲାଗଡ଼ରେ ରହି କବାଡ଼ି କାମ କରି ଜୀବିକା ନିର୍ବାହ କରୁଥିଲେ। ସୂଚନା ଅନୁଯାୟୀ, ଗତ କିଛି ଦିନ ହେଲା ସୁରଜ, ରାମକୁମାରଙ୍କ ପକେଟରୁ ଟଙ୍କା ନେଇ ମଦ୍ୟପାନ କରୁଥିବାରୁ ଉଭୟଙ୍କ ମଧ୍ୟରେ ତିକ୍ତତା ବଢ଼ିଥିଲା। ଗତକାଲି ରାତିରେ ସାମାନ୍ୟ ଟଙ୍କା ଏବଂ ଭଡ଼ାରେ ଆଣିଥିବା ଏକ ଠେଲାକୁ ନେଇ ପୁଣିଥରେ ବଚସା ହୋଇଥିଲା । ଏହି ସମୟରେ ଉତ୍ୟକ୍ତ ହୋଇ ରାମକୁମାର ପାଖରେ ଥିବା ଏକ ପଥରରେ ସୁରଜଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା । ମୁଣ୍ଡରେ ଗଭୀର ଆଘାତ ଏବଂ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ହିଁ ସୁରଜଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ଟିଟିଲାଗଡ଼ ଜିଆରପି ପୋଲିସ, ରେଳବାଇ ପୋଲିସ ଓ ଆରପିଏଫ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲେ । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ ହତ୍ୟାକାଣ୍ଡର ସିନ୍ ରିକ୍ରିଏସନ ମଧ୍ୟ କରାଯାଇଛି । ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଜିଆରପି ଅଧିକାରୀ ସୂଚନା ଦେଇଛନ୍ତି। ସାମାନ୍ୟ କିଛି ଟଙ୍କା ଓ ଏକ ଠେଲାକୁ ନେଇ ଘଟିଥିବା ଏହି ନୃଶଂସ ହତ୍ୟାକାଣ୍ଡ ଟିଟିଲାଗଡ଼ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।