
- ଜୁନ ୧୮ ଓ ୧୯ ସମସ୍ତ ବିଭାଗକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଟେବୁଲ ଟପ୍ ଅଭ୍ୟାସ ଓ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ – ୨୦୨୬ ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାରେ ବିପର୍ଯ୍ୟୟ ମୁକାବିଲା ପାଇଁ ଆସନ୍ତା ଜୁନ ୧୮ ଓ ୧୯ ତାରିଖରେ ହେବାକୁ ଥିବା ଅଭ୍ୟାସ ପାଇଁ ସମସ୍ତ ସମ୍ପୃକ୍ତ ବିଭାଗକୁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକକୁ ଡେପୁଟି କଲେକ୍ଟର (ଜରୁରୀ) ରାଜେଶ ସାହୁ ପରିଚାଳନା କରିଥିବା ବେଳେ ବିଶ୍ୱନାଥ ନାୟକ ଆସନ୍ତା ୧୮ ଓ ୧୯ ତାରିଖରେ ହେବାକୁ ଥିବା ଅଭ୍ୟାସର କାର୍ଯ୍ୟସୂଚୀ ଏବଂ ବିଭିନ୍ନ ବିଭାଗର ଭୂମିକା ସମ୍ପର୍କରେ ଉପସ୍ଥାପନା କରିଥିଲେ । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ ଏବଂ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଅଶ୍ୱିନୀ କୁମାର ମେହେର ଉପସ୍ଥିତ ରହି ସମସ୍ତ ଅଧିକାରୀ ଓ ସେମାନଙ୍କ ପ୍ରତିନିଧିମାନଙ୍କୁ ମଇ ୨୮ ତାରିଖରେ ହୋଇଥିବା କାଳବୈଶାଖୀ ଯୋଗୁଁ ହୋଇଥିବା କ୍ଷୟକ୍ଷତି ଏବଂ ସେଥିରୁ ଆମେ କେଉଁ ଶିକ୍ଷା ଗ୍ରହଣ କରିପାରିବା ସେ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିସହ ଜିଲ୍ଲାର ସାଧାରଣ ନାଗରିକମାନଙ୍କୁ କିଭଳି ତାଲିମ ପ୍ରଦାନ କରାଯାଇ ବିପର୍ଯ୍ୟୟ ସମୟରେ ସେମାନଙ୍କୁ ସ୍ୱେଚ୍ଛାସେବୀ ଭାବେ ନିୟୋଜିତ କରାଯାଇପାରିବ, ସେ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ବ୍ଲକ ସ୍ତରରେ ମଧ୍ୟ ସଠିକ ଭାବରେ ପ୍ରସ୍ତୁତି ବୈଠକ ଆୟୋଜନ କରି ଟେବୁଲ ଟପ୍ ଅଭ୍ୟାସ ଓ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାର ବ୍ଲକସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।