ନକଲି ଓକିଲ ସାଜି ୫୦ ହଜାର ଟଙ୍କା ଠକେଇ : ଅଭିଯୁକ୍ତ କୋର୍ଟ ଚାଲାଣ

csstore

ଅତାବିରା, (ମୋହନ ସାହୁ) : ବରଗଡ଼ ଜିଲ୍ଲାର ଅତାବିରା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଠକେଇ ଘଟଣା ସାମ୍ନାକୁ ଆସିଛି । ଅତାବିରା ପୁଲିସ ଥାନାରେ ରୁଜୁ ହୋଇଥିବା ମାମଲା ନଂ–୨୮୫ ଅନୁଯାୟୀ, ଜଣେ ଯୁବକ ନିଜକୁ ଆଇନଜୀବୀ ବୋଲି ପରିଚୟ ଦେଇ ଏକ ନକଲି ଅଦାଲତ ଆଦେଶ ଦେଖାଇ ପରିବାରଠାରୁ ୫୦ ହଜାର ଟଙ୍କା ହାତେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ମହମ୍ମଦ ଜାଭେଦ ଅଲ୍ଲୀ ନାମକ ଜଣେ ବ୍ୟକ୍ତି ନିଜକୁ ଓକିଲ ବୋଲି ପରିଚୟ ଦେଇ ପାଇକମାଲ ଥାନା ଅନ୍ତର୍ଗତ ମଣ୍ଡୋସିଲ ଗ୍ରାମର ବାସିନ୍ଦା କେହକାସା ଅଞ୍ଜୁମ ଓ ତାଙ୍କ ପରିବାର ସହିତ ଅତାବିରା ଥାନାକୁ ଆସିଥିଲେ । ସେ ବରଗଡ଼ ପାରିବାରିକ ଅଦାଲତ ପକ୍ଷରୁ ଜାରି ହୋଇଥିବା ବୋଲି ଦାବି କରି ଏକ ଆଦେଶର ପ୍ରିଣ୍ଟ କପି ପ୍ରଦର୍ଶନ କରିଥିଲେ । ସେହି ଆଦେଶରେ ଶିଶୁମାନଙ୍କ ଅଭିଭାବକତ୍ୱ ପିତାଙ୍କଠାରୁ ହଟାଇ ମାତାଙ୍କୁ ଦେବାକୁ ନିର୍ଦ୍ଦେଶ ଥିବା ଉଲ୍ଲେଖ ଥିଲା । ତେବେ ପୁଲିସ ଓ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସନ୍ଦେହ ହେବା ପରେ ବରଗଡ଼ ପାରିବାରିକ ଅଦାଲତ ସହ ଯୋଗାଯୋଗ କରାଯାଇଥିଲା । ଯାଞ୍ଚରୁ ଜଣାପଡ଼ିଥିଲା ଯେ, ପ୍ରଦର୍ଶିତ ଆଦେଶଟି ସମ୍ପୂର୍ଣ୍ଣ ନକଲି ଏବଂ ଅଭିଯୁକ୍ତ ବ୍ୟକ୍ତି କୌଣସି ଆଇନଜୀବୀ ନୁହେଁ, ବରଂ ଜଣେ ସ୍ନାତକ ଯୁବକ । ଅଭିଯୋଗ ଅନୁଯାୟୀ, ସେ ପୀଡ଼ିତ ପରିବାରକୁ ତାଙ୍କ ସପକ୍ଷରେ କୋର୍ଟ ଆଦେଶ କରାଇଦେବାର ପ୍ରତିଶୃତି ଦେଇ ୫୦ ହଜାର ଟଙ୍କା ନେଇଥିଲେ । ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଅତାବିରା ପୁଲିସ ସ୍ୱତଃପ୍ରେରିତ ଭାବେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ପୁଲିସ ଅଭିଯୁକ୍ତ ମହମ୍ମଦ ଜାଭେଦଙ୍କୁ ଗିରଫ କରି ଆଜି ମାନ୍ୟବର ଅଦାଲତରେ ହାଜର କରିଛି । ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ପୁଲିସ ମାମଲାର ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.