ନୁଆଦିଲ୍ଲୀ, (କେପିଏନ୍ଏସ୍) : ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ରାଜନୈତିକ ସ୍ୱାର୍ଥ ପାଇଁ ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ରାହୁଲ ଗାନ୍ଧୀ ଓ ଭାରତୀୟ ଜାତୀୟ କଂଗ୍ରେସ ପୁଣିଥରେ ଛାତ୍ରଛାତ୍ରୀଙ୍କୁ ରାଜନୈତିକ ହତିଆର କରି ସଂସଦର ବର୍ଷାକାଳୀନ ଅଧିବେଶନକୁ ବାଧାଗ୍ରସ୍ତ କରିବାର ପ୍ରୟାସ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନ ବାହାରେ ଧାରଣା ଦେଇ ସାଧାରଣ ଲୋକଙ୍କ ଅସୁବିଧା ସୃଷ୍ଟି କରିବା ସହ ସୁରକ୍ଷା ପ୍ରୋଟୋକଲକୁ ଅବହେଳା କରାଯାଇଛି । ସରକାର ପକ୍ଷରୁ ନିଟ୍ ପ୍ରସଙ୍ଗରେ ସଂସଦରେ ବିସ୍ତୃତ ଆଲୋଚନା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଥିବା ସତ୍ତ୍ୱେ କଂଗ୍ରେସ ଗଣତାନ୍ତ୍ରିକ ଆଲୋଚନା ପରିବର୍ତ୍ତେ ରାଜନୈତିକ ନାଟକକୁ ବାଛିଛି । ସେମାନଙ୍କ ଉଦ୍ଦେଶ୍ୟ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ନୁହେଁ, ବରଂ ରାଜନୈତିକ ପ୍ରଚାର ପାଇଁ ଅନାବଶ୍ୟକ ବିବାଦ ସୃଷ୍ଟି କରିବା । ନବୀନ ପଟ୍ଟନାୟକ ବାବୁ, ପରୀକ୍ଷାର ସ୍ୱଚ୍ଛତା ଉପରେ ଅନ୍ୟଙ୍କୁ ପ୍ରଶ୍ନ କରିବା ପୂର୍ବରୁ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ଆପଣଙ୍କ ଶାସନ ସମୟର ଘଟଣାଗୁଡ଼ିକର ଉତ୍ତର ଦେବା ଆବଶ୍ୟକ । ବିଜୁ ଜନତା ଦଳ ସରକାର ସମୟରେ ରାଜ୍ୟରେ ବିଭିନ୍ନ ନିଯୁକ୍ତି ଓ ପ୍ରବେଶିକା ପରୀକ୍ଷାକୁ ନେଇ ବାରମ୍ବାର ବିବାଦ ସୃଷ୍ଟି ହୋଇଥିଲା । ୨୦୧୫ରେ ଓଡ଼ିଶା ପୋଲିସ କନଷ୍ଟେବଲ୍ ନିଯୁକ୍ତି ପ୍ରକ୍ରିୟାରେ ଗୁରୁତର ଅନିୟମିତତାର ଅଭିଯୋଗ ଆସିଥିଲା । ୨୦୧୬, ୨୦୧୯ ଓ ୨୦୨୨ରେ ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା ହଜାର ହଜାର ଶିକ୍ଷକ ପ୍ରାର୍ଥୀଙ୍କ ଭବିଷ୍ୟତକୁ ପ୍ରଭାବିତ କରିଥିଲା । ୨୦୧୮ରେ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣା ରାଜ୍ୟବ୍ୟାପୀ ଅସନ୍ତୋଷ ସୃଷ୍ଟି କରିଥିଲା ଏବଂ ୨୦୧୯ରେ ମାଟ୍ରିକ ଓଡ଼ିଆ ପ୍ରଶ୍ନପତ୍ରକୁ ନେଇ ମଧ୍ୟ ଗୁରୁତର ଅଭିଯୋଗ ଉଠିଥିଲା । ଓଡ଼ିଶା ହାଇକୋର୍ଟ ଏଏସ୍ଓ ନିଯୁକ୍ତି ପରୀକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । OSSC JE (Civil) Main Examination–୨୦୨୩ ପ୍ରଶ୍ନପତ୍ର ଲିକ୍ ହେତୁ ବାତିଲ କରିବାକୁ ପଡ଼ିଥିଲା। ସେହିପରି OSSC Accountant Examination–୨୦୨୩ରେ ମଧ୍ୟ ଅନିୟମିତତାର ଅଭିଯୋଗ ଆସିବା ପରେ ପ୍ରାର୍ଥୀମାନେ ଆନ୍ଦୋଳନ କରିଥିଲେ । ଓଏସ୍ଏସ୍ସି ଅଧୀନରେ ଅନେକ ନିଯୁକ୍ତି ପରୀକ୍ଷା ବାରମ୍ବାର ଅନିୟମିତତା, ପରୀକ୍ଷା ବାତିଲ, ସ୍ଥଗିତ ଓ ପ୍ରଶାସନିକ ତ୍ରୁଟିର ଅଭିଯୋଗରେ ବିବାଦରେ ରହିଥିଲା । ଯାହା ହଜାର ହଜାର ଯୁବକ-ଯୁବତୀଙ୍କୁ ଅନିଶ୍ଚିତତାରେ ପକାଇ ଦେଇଥିଲା । ଏହି ସମସ୍ତ ଘଟଣା ସମୟରେ ଛାତ୍ରଛାତ୍ରୀ ଓ ଚାକିରି ଆଶାୟୀମାନେ ସ୍ୱଚ୍ଛ ନିଯୁକ୍ତି ପ୍ରକ୍ରିୟା, ନିରପେକ୍ଷ ପରୀକ୍ଷା ଏବଂ ସମୟୋପଯୁକ୍ତ ନିଯୁକ୍ତି ଦାବିରେ ବାରମ୍ବାର ଆନ୍ଦୋଳନ କରିଥିଲେ । ସେମାନେ ଆପଣଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ମଧ୍ୟ ଦାବି କରିଥିଲେ । କିନ୍ତୁ ସେତେବେଳେ ରାଜ୍ୟ ସରକାର ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ଆଶ୍ୱାସନ ଦେବା କିମ୍ବା ଏହି ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ ପାଇଁ ଦୃଶ୍ୟମାନ ପଦକ୍ଷେପ ନେବାର ଚିତ୍ର ଦେଖିବାକୁ ମିଳିନଥିଲା । ଆମ ସରକାର ନିଟ୍ ସମ୍ବନ୍ଧୀୟ ପ୍ରତ୍ୟେକ ପ୍ରକୃତ ଚିନ୍ତାର ସମାଧାନ, ଆବଶ୍ୟକ ସଂସ୍କାର ଓ ସମ୍ପୂର୍ଣ୍ଣ ଉତ୍ତରଦାୟିତ୍ୱ ସହ ସଂସଦରେ ଆଲୋଚନା କରିବାକୁ ୧୦୦ ପ୍ରତିଶତ ପ୍ରତିବଦ୍ଧ । ଦେଶର ଛାତ୍ରଛାତ୍ରୀମାନେ ରାଜନୈତିକ ପ୍ରଚାରର ମାଧ୍ୟମ ନୁହେଁ । ସେମାନେ ସ୍ଥିରତା, ସ୍ୱଚ୍ଛତା, ଦାୟିତ୍ୱବୋଧ ଏବଂ ସମାଧାନ ପାଇବାର ଅଧିକାରୀ । ସେମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା, ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ଏବଂ ଜବାବଦେହିତା ସୁନିଶ୍ଚିତ କରିବା ପାଇଁ ଆମ ସରକାର ଦୃଢ଼ ସଙ୍କଳ୍ପବଦ୍ଧ ।
