
ବଲାଙ୍ଗିର (କେପିଏନ୍ଏସ୍) : ସାଂସ୍କୃତିକ ସମନ୍ୱୟ ହିଁ ହେଉଛି ପଶ୍ଚିମ ଓଡିଶାର ପର୍ବପର୍ବାଣୀ ପାଳନର ସାଂସ୍କୃତିକ ବୈଶିଷ୍ଟ୍ୟ । ଗୋଟିଏ ଅଞ୍ଚଳର ଜନଜୀବନର ଚିତ୍ର, ଲୋକଚଳଣି ଓ ପରିଚୟ ସେହି ଅଞ୍ଚଳରେ ପାଳନ କରାଯାଉଥିବା ଲୋକଯାତ୍ରା ଓ ପର୍ବପର୍ବାଣୀରୁ ଜଣାପଡେ । ସମୟର ପ୍ରଭାବରେ ହେଉ ବା ଆଧୁନିକତାର ପ୍ରଲେପରେ ହେଉ ପଶ୍ଚିମ ଓଡିଶାର କିଛି ପର୍ବପର୍ବାଣୀ ଉପରେ ଅନ୍ୟ ସଂସ୍କୃତିର ପ୍ରଭାବ ପଡ଼ିଥିଲେ ମଧ୍ୟ କିଛି ଅଞ୍ଚଳରେ ଏହାକୁ ପୁରୁଣା ପରମ୍ପରା ଅନୁସାରେ ପାଳନ କରାଯାଇ ଲୋକଙ୍କୁ ଯୋଡି ରଖିବାର ପ୍ରୟାସ କରାଯାଉଛି । ସ୍ଥାନୀୟ ସଂସ୍କୃତି ଭବନ ସଭାକକ୍ଷରେ ବଲାଙ୍ଗିରର ଅଗ୍ରଣୀ ସାହିତ୍ୟ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ରଚନା’ ଦ୍ଵାରା ଆୟୋଜିତ “ପଶ୍ଚିମ ଓଡିଶାର ପର୍ବପର୍ବାଣୀର ସାଂସ୍କୃତିକ ବୈଶିଷ୍ଟ୍ୟ” ଶୀର୍ଷକ ଆଲୋଚନାଚକ୍ରରେ ଏହି ମତ ପ୍ରକାଶ ପାଇଛି । ଏଥିରେ ସରକାରୀ ମହିଳା ମହାବିଦ୍ୟାଳୟର ସ୍ନାତକୋତ୍ତର ଛାତ୍ରୀ ଝରଣା ସାହୁ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସ୍ନାତକ ଛାତ୍ର ଚିରଞ୍ଜିବୀ ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଝଟକାନ୍ତି ପଟେଲ ଏବଂ କେ.ଭି. କଲେଜ କଣ୍ଟାବାଞ୍ଜିର ଅଧ୍ୟାପକ ଡ. ସଞ୍ଜୟ କୁମାର ମିଶ୍ର ଅତିଥି ବକ୍ତା ଭାବରେ ଯୋଗଦେଇ ପଶ୍ଚିମ ଓଡିଶାର ବିଭିନ୍ନ ପର୍ବପର୍ବାଣୀର ପୁରୁଣା ଦିନକୁ ମନେ ପକାଇବା ସହିତ ଏହାକୁ ପାଳନ କରିବାର ମୂଳ କାରଣ ଓ ଏହାର ପ୍ରଭାବ ତଥା ଏହା କିପରି ପ୍ରତ୍ୟେକ ବର୍ଗର ଲୋକଙ୍କୁ ଯୋଡି ରଖିବାର ପ୍ରୟାସ କରୁଥିଲା ସେ ସମ୍ପର୍କରେ ଅବଗତ କରିଥିଲେ । ସମୟ କ୍ରମେ ଏହି ପର୍ବପର୍ବାଣୀଗୁଡିକର ପାଳନରେ ଅନେକ ପରିବର୍ତ୍ତନ ଆସିଛି ଏବଂ ଆମେ ଏହାର ପୁରୁଣା ପରମ୍ପରାକୁ କିପରି ବଞ୍ଚେଇ ରଖି ପାରିବା ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ପରେ ପରେ ଅନୁଷ୍ଠିତ ମତ ବିନିମୟ କାର୍ଯ୍ୟକ୍ରମରେ ଜିଲ୍ଲା ପାଠାଗାରର ଛାତ୍ର ନବକିଶୋର ବାରିକ ନିଜ ମତ ରଖିଥିଲେ । ଏହି ଆଲୋଚନାଚକ୍ରର ସଂଯୋଜନା କରିଥିଲେ ‘ରଚନା’ର ବରିଷ୍ଠ ସଦସ୍ୟ କବି ଜ୍ୟୋତିରଞ୍ଜନ ମିଶ୍ର । ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ‘ରଚନା’ର ସହସମ୍ପାଦକ ରତ୍ନମୟ ତ୍ରିପାଠୀ । ଏହି କାର୍ଯ୍ୟକ୍ରମରେ ସହରର ଅନେକ ବୁଦ୍ଧିଜୀବୀ, ସଂସ୍କୃତିପ୍ରେମୀ, ସାହିତ୍ୟିକ ଓ ପାଠାଗାରର ଛାତ୍ରଛାତ୍ରୀ ଯୋଗଦେଇଥିଲେ ।