
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜନଗଣନା–୨୦୨୭ର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକୁ ସୁଚାରୁ ଓ ତ୍ରୁଟିଶୂନ୍ୟ ଭାବେ ସମ୍ପାଦନ କରିବା ନିମନ୍ତେ ଦୁଇଦିନିଆ ଜିଲ୍ଲାସ୍ତରୀୟ ସମୀକ୍ଷା, ଆଲୋଚନା ଓ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥିରେ ଜିଲ୍ଲା ପ୍ରମୁଖ ଜନଗଣନା ଅଧିକାରୀ ତଥା ଜିଲ୍ଲାପାଳ ଦେବାଶିଷ ସିଂହ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲା ଜନଗଣନା ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀମତୀ ଅଞ୍ଜଲିନା ପ୍ରଧାନ ଏବଂ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରାଜେନ୍ଦ୍ର ମାଝୀ ଜନଗଣନା ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଦେଶରେ ପ୍ରତି ୧୦ ବର୍ଷରେ ଥରେ ଜନଗଣନା କରାଯାଉଥିବା ବେଳେ ଶେଷଥର ପାଇଁ ୨୦୧୧ ମସିହାରେ ଏହା ଅନୁଷ୍ଠିତ ହୋଇଥିଲା । ୨୦୨୧ ମସିହାରେ ହେବାକୁ ଥିବା ଜନଗଣନା କୋଭିଡ୍ ମହାମାରୀ ଯୋଗୁଁ ସ୍ଥଗିତ ରହିଥିଲା । ଏହି ପରିପ୍ରେକ୍ଷୀରେ ଜନଗଣନା–୨୦୨୭ କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ଏହି ତାଲିମ ଓ ସମୀକ୍ଷା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ, ଉପ ଜିଲ୍ଲାପାଳ ସୋନପୁର ଡ. ସୋମ୍ୟରୂପା ରଥ, ଉପ ଜିଲ୍ଲାପାଳ ବୀରମହାରାଜପୁର ସୁରେନ୍ଦ୍ର ମେହେର, ସହକାରୀ ଜିଲ୍ଲାପାଳ ଆଜାଦ କୁମାର ସାହୁ, ଜନଗଣନା ଶାଖାର ଅଧିକାରୀ, ସମସ୍ତ ତହସିଲଦାର, ନିର୍ବାହୀ ଅଧିକାରୀ ତଥା ଚାର୍ଜ ଜନଗଣନା ଅଧିକାରୀଙ୍କ ସମେତ ପ୍ରାୟ ୫୦ ଜଣ ଅଧିକାରୀ ଯୋଗଦେଇଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଡ. ଅଭୟ ନାରାୟଣ ନାୟକ, ଯୁଗ୍ମ ନିର୍ଦ୍ଦେଶକ, ଜନଗଣନା, ଓଡ଼ିଶା, ଶିଭମ୍ ଜୟସୱାଲ ଓ ଆକାଶ ସାହୁ ଦ୍ୱିତୀୟ ପର୍ଯ୍ୟାୟ ଜନଗଣନାର କାର୍ଯ୍ୟପ୍ରଣାଳୀ, ସିଏମ୍ଏମ୍ଏସ୍ ପୋର୍ଟାଲରେ କାର୍ଯ୍ୟ କରିବାର ପଦ୍ଧତି ଏବଂ ଜନଗଣନା କାର୍ଯ୍ୟକୁ ତ୍ରୁଟିଶୂନ୍ୟ ଭାବେ ସମ୍ପାଦନ କରିବା ସମ୍ପର୍କରେ ଉପସ୍ଥିତ ଅଧିକାରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଜନଗଣନା କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଗୃହ ତାଲିକା ପ୍ରସ୍ତୁତି କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇଛି । ଜନଗଣନା ଏକ ଗୁରୁତ୍ୱପୂର୍ଣ୍ଣ ତଥା ସରକାରଙ୍କ ଅଗ୍ରାଧିକାରଭିତ୍ତିକ ଲୋକାଭିମୁଖୀ କାର୍ଯ୍ୟକ୍ରମ ହୋଇଥିବାରୁ ଏହାକୁ ସଠିକ୍ ଓ ସୁଚାରୁ ଭାବେ ସମ୍ପାଦନ କରିବା ପାଇଁ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ଆହ୍ୱାନ କରିଥିଲେ ।