
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ଆଉ ମାତ୍ର ଦୁଇ ଦିନ ପରେ ପାଳିତ ହେବ ପଶ୍ମିମ ଓଡ଼ିଶାର ମହାନ କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ । ନୂଆଁଖାଇକୁ ନେଇ ଏବେ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ । ବିଶେଷକରି ତିହାରୀ ବଜାରରେ ଦେଖିବାକୁ ମିଳୁଛି ପ୍ରବଳ ଚଳଚଞ୍ଚଳତା । ଆଜି ବଙ୍ଗୋମୁଣ୍ଡା ସାପ୍ତାହିକ ବଜାର ଥିବା ବେଳେ ଆଜି ତିହାରୀ ବିଜାରରେ ନୂଆଁଖାଇ ପାଇଁ ନୂଆ ଲୁଗାପଟା, ଶାଢ଼ୀ, ଧୋତି, ପିଲାଙ୍କ ପୋଷାକଠାରୁ ଆରମ୍ଭ କରି ଘରକରଣା ସାମଗ୍ରୀ ଓ ନୂଆଁଖାଇ ପାଇଁ ପୂଜା ସାମଗ୍ରୀ, ନୂଆଧାନ, କୁରେ ପତର, କରଡ଼ି, ହଣ୍ଡୁଆ ସହ ବିଭିନ ଜିନିଷ କିଣିବା ପାଇଁ ବଜାରରେ ଲୋକଙ୍କ ଭିଡ଼ ଜମିଛି । ନୂଆଁଖାଇ ତିହାରୀକୁ ନେଇ ବ୍ୟବସାୟୀମାନେ ମଧ୍ୟ ବେଶ୍ ଉତ୍ସାହିତ ଥିବା ବେଳେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଦୋକାନଗୁଡ଼ିକୁ ସଜାଯାଇଛି । ସେହିପରି ନୂଆଁଖାଇର ମୁଖ୍ୟ ଆକର୍ଷଣ ନୂଆ ଧାନ ଓ ବିଭିନ୍ନ ପ୍ରକାରର ପିଠାପଣା ପାଇଁ ମଧ୍ୟ ଲୋକେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପରିବାର ସହ ନୂଆଁଖାଇ ପାଳନ କରିବା ପାଇଁ ଦୂରଦୂରାନ୍ତରେ ରହୁଥିବା ଲୋକେ ମଧ୍ୟ ନିଜ ଘରକୁ ଫେରୁଛନ୍ତି । ନୂଆଁଖାଇ କେବଳ ଏକ ପର୍ବ ନୁହେଁ, ଏହା ଭାଇଚାରା, ପରମ୍ପରା ଓ ଏକତାର ପ୍ରତୀକ । ନୂଆ ଧାନକୁ ଇଷ୍ଟଦେବୀଙ୍କୁ ଅର୍ପଣ କରି ନୂଆଁଖାଇବା ସହ ପରସ୍ପରକୁ ନୂଆଁଖାଇ ଜୁହାର କରିବାର ରହିଛି ସ୍ୱତନ୍ତ୍ର ପରମ୍ପରା ।