pakka

ପରିବେଶ ସୁରକ୍ଷା ବ୍ୟାନର, ପ୍ରଚାରପତ୍ର, ପୁସ୍ତକ ଲୋକାର୍ପଣ ଓ ବୃକ୍ଷ ରୋପଣ ଚର୍ଚାରେ ହୃଷୀକେଶ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଐତିହାସିକ ବେରବୋଇ ଗ୍ରାମ ସଂନିକଟ ବୋଳକଣା ଗ୍ରାମରେ ପିତା ସ୍ୱର୍ଗତ ରଘୁନାଥ ପାଢ଼ୀ ଓ ମାତା ଜାନକୀ ପାଢ଼ୀଙ୍କ କୋଳମଣ୍ଡନ କରନ୍ତି ହୃଷୀକେଶ ପାଢ଼ୀ । ଏକାଧାରରେ ଜଣେ କବି, ଲେଖକ, ଶିଶୁସାହିତ୍ୟିକ, ପରିବେଶ, ସ୍ୱାସ୍ଥ୍ୟ ଓ ବିଜ୍ଞାନ ଲେଖକ, ଇତିହାସ ଲେଖକ, ଠାକୁର ପୂଜକ, ଆଇନଜୀବୀ ହୃଷୀକେଶ ପାଢ଼ୀ ସଂପ୍ରତି ପରିବେଶ ସୁରକ୍ଷା ପାଇଁ ବେଶ ଚର୍ଚ୍ଚାରେ । ପ୍ରତ୍ୟହ ପରିବେଶ ସୁରକ୍ଷା ବାର୍ତ୍ତା, ପୁସ୍ତକ, ପ୍ରଚାରପତ୍ର, ବ୍ୟାନର ଲୋକାର୍ପଣ, ବିଭିନ୍ନ ପତ୍ରପତ୍ରିକା ଓ ସମ୍ବାଦପତ୍ରମାନଙ୍କରେ ପରିବେଶ ସୁରକ୍ଷା ଫିଚର ଲେଖା, କବିତା, ପାଲା, ସଂକୀର୍ତ୍ତନ, ପଥପ୍ରାନ୍ତ ସଭା, ବୃକ୍ଷ ରୋପଣ ମାଧ୍ୟମରେ ପରିବେଶ ସଚେତନତା ସାମାଜିକ ଗଣମାଧ୍ୟମରେ ଘୁରିବୁଲି ବହୁଳ ଜନସଚେତନତା ସୃଷ୍ଟି କରି ଆସୁଛି । ସାମାଜିକ ଗଣମାଧ୍ୟମରେ ବ୍ୟାନର ଲୋକାର୍ପଣ ସଂପର୍କରେ ଜନୈକ ବ୍ୟକ୍ତି ପ୍ରଶ୍ନ ଉଠାଇବାରୁ ଆମ୍ଭେ ପ୍ରକୃତିପ୍ରେମୀ ଆଇନଜୀବୀ ଶ୍ରୀଯୁକ୍ତ ପାଢ଼ୀଙ୍କ ମତାମତ ଲୋଡ଼ିଥିଲୁ । ଏ ସଂପର୍କରେ ଶ୍ରୀଯୁକ୍ତ ପାଢ଼ୀ କୁହନ୍ତି -“ସଭ୍ୟତାର ବିକାଶ ହେବା ସଙ୍ଗେ ସଙ୍ଗେ ମାନବଜାତିର ମଧ୍ୟ ବିକାଶ ଘଟୁଛି । ପୂର୍ବେ ପ୍ରଚାର ପ୍ରସାରର ମାଧ୍ୟମ ବହୁତ କଷ୍ଟ ହେଉଥିଲା । ବର୍ତ୍ତମାନ ମୋବାଇଲ, ଇଣ୍ଟାରନେଟ ଯୁଗରେ ଏହା କ୍ଷୀପ୍ର ଗତିରେ ମାଡିଚାଲିଛି । ଆମ୍ଭକୁ ସମୟ ସହିତ ତାଳଦେଇ ଚାଲିବାକୁ ପଡିବ । ବର୍ତମାନ ରାସ୍ତା ଲୋକାର୍ପଣ, ଗୃହ ଲୋକାର୍ପଣ, ପ୍ରକଳ୍ପ ଲୋକାର୍ପଣ, କ୍ୟାସେଟ, ସିଡ଼ି ଲୋକାର୍ପଣ ପ୍ରତିଦିନ ସମ୍ବାଦପତ୍ରମାନଙ୍କର ପୃଷ୍ଠା ମଣ୍ଡନ କରୁଥିବା ବେଳେ ଆମ୍ଭର ପରିବେଶ ସୁରକ୍ଷା ବ୍ୟାନର ଲୋକାର୍ପଣ କ’ଣ ଯେ ବେଦ ଅଶୁଦ୍ଧି ହୋଇଯାଉଛି ତାହା ଆମ୍ଭେ ଜାଣିପାରୁନାହୁଁ । ରାଜ୍ୟସ୍ତରୀୟ ବିଭିନ୍ନ ଉତ୍ସବାଦିରେ କଟକ, ଭୁବନେଶ୍ୱର ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅନୁଷ୍ଠାନକୁ ଆମ୍ଭେ ଆମ୍ଭ କାକା ଓଡିଶାର ଜଣାଶୁଣା ସାରସ୍ୱତ ସାଧକ ଫକୀର ଚରଣ ପାଢ଼ୀଙ୍କ ପୁସ୍ତକ ଲୋକାର୍ପଣ କରିବାକୁ ଯାଇଛୁ । ସେଠାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ କରକମଳରେ ବ୍ୟାନର ଲୋକାର୍ପଣ ହେବା ଦେଖିଛୁ । ପରିବେଶ ସୁରକ୍ଷା କ୍ଷେତ୍ରରେ ଗୁଣ୍ଡୁଚି ମୂଷା ଭଳି ଆମର ଏ ଛୋଟ ପ୍ରୟାସ ମାତ୍ର । ଏ ବିଶାଳ ପୃଥିବୀରେ ଆମେ ପରିବେଶ ସୁରକ୍ଷା ପାଇଁ ଆମ୍ଭେ ଏକୁଟିଆ ବ୍ୟକ୍ତିଗତ ସ୍ତରରେ ଆଉ କ’ଣ ବା କରିପାରିବୁ ? ଏହାକୁ ନକରାତ୍ମକ ଭାବେ ଗ୍ରହଣ ନକରି ସକାରାତ୍ମକ ଭାବେ ଗ୍ରହଣ କରି ଗଛ ମହାଦୁର୍ନୀତି ଓ ନିର୍ମାଣ ଆଳରେ ଗଛ ନ ଲଗାଇ ଗଛ କଟାକୁ ବିରୋଧ କରିବା ସହ ବନ୍ୟପ୍ରାଣୀ ମାନଙ୍କର ସୁରକ୍ଷା ଦିଗରେ ପରସ୍ପର ବିରୋଧାଭାସ ନକରି ମିଳିମିଶି କାର୍ଯ୍ୟ କଲେ ଆମ ଏ ପ୍ରକୃତି ହସି ଉଠିବ ।

Leave A Reply

Your email address will not be published.

2 × 1 =