ବନ୍ୟା ଅଞ୍ଚଳ ବୁଲି ଦେଖିଲେ ବିଧାୟକ

ବୀରମହାରାଜପୁର : ଲଘୁଚାପ ଜନିତ ଲଗାଣ ବର୍ଷାରେ ବୀରମହାରାଜପୁର ବ୍ଲକର ସମସ୍ତ ପଞ୍ଚାୟତ ଅଞ୍ଚଳରେ ନାହିଁ ନଥିବା ବନ୍ୟାସ୍ଥିତି ଉପୁଜିଥଲା । ଫଳରେ ବିଭିନ୍ନ ସ୍ଥାନରେ ରାସ୍ତା ଧୋଇ ଯାଇଥିବା ବେଳେ ଅନେକ ସ୍ଥାନରେ ଲୋକଙ୍କ ଘରର କାନ୍ଥ ଭାଙ୍ଗିଯାଇଥିବା ସହ ଅନେକ ସ୍ଥାନକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଆଜି ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ବନ୍ୟା ଅଞ୍ଚଳ ବୁଲି ଦେଖିଥିଲେ । ଅନେକ ସ୍ଥାନରେ ପନିପରିବା ଚାଷ ନଷ୍ଟ ହୋଇ ବର୍ତ୍ତମାନ ସୁଦ୍ଧା ବର୍ଷା ପାଣି ଜମିରହିଛି । ବିଧାୟକଙ୍କ ସହିତ ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ, ବୀରମହାରାଜପୁର ବିଡ଼ିଓ ମୋତିଲାଲ ସୁଲିଆ, ବିଜେଡି ସୁବର୍ଣ୍ଣପୁର ଜିଲ୍ଲା ଉପସଭାପତି କିଶୋର ହୋତା, ଜିଲ୍ଲା ପରିଷଦ ସଦସ୍ୟା ଚନ୍ଦ୍ରକାନ୍ତି ଦନ୍ତା, ହିଲୁଙ୍ଗ ସମିତି ସଭ୍ୟ ଶୈଳ ରଞ୍ଜନ ବାଦୀ, ମଧୁସୁଦନ ପଣ୍ଡା, ଶ୍ରୀକାନ୍ତ କର୍ମୀ ପ୍ରମୁଖ ସାମିଲ ଥିଲେ । ବନ୍ୟାରେ ଘର ଭାଙ୍ଗି ଥିବା ଲୋକଙ୍କୁ ତୁରନ୍ତ ପଲିଥିନ ଯୋଗାଇ ଦେବା ସହିତ କୃଷି ବିଭାଗ ଓ ଉଦ୍ୟାନ ବିଭାଗ ତରଫରୁ ଲୋକମାନଙ୍କୁ ସହାୟତା ଯୋଗାଇ ଦେବାକୁ ବିଧାୟକ ଶ୍ରୀ ବେହେରା ପରାମର୍ଶ ଦେଇଥିବାର ଜଣାଯାଇଛି । ମୃଷୁଣ୍ଢି ହରିହରଯୋର ସେତୁ, ଫୁଲଚରା ଗ୍ରାମ୍ୟ ଉନ୍ନୟନ ରାସ୍ତା, ଦୁହୁଲପାଲି ବ୍ଲକ ରାସ୍ତା, ପିତା ମହୁଲ, ଡୁଳେଶ୍ୱର ରାସ୍ତା, ମୃଷୁଣ୍ଢି ଅମରପାଲି ରାସ୍ତା, ଘଣ୍ଟପାଲି ଲୁତୁରପଙ୍ଗ ରାସ୍ତା ଅନେକ ସ୍ଥାନରେ ଘାଇ ହୋଇ ଥିବାର ଜଣାଯାଇଛି । ତୁରନ୍ତ ଉକ୍ତ ରାସ୍ତାଗୁଡିକର ମରାମତି କରି ଯାତାୟାତ ସ୍ବାଭାବିକ କରିବା ନେଇ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।

Leave A Reply

Your email address will not be published.

ten + 16 =