
ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ନିୟମଗିରି ସୁରକ୍ଷା ସମିତିର ଆବାହକ ଲଦ ଶିକକାଙ୍କ ଗିରଫକୁ ନେଇ ତାତିଲା ନିୟମଗିରି । ଲଦଙ୍କ ଗିରଫ ପ୍ରତିବାଦରେ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ଡଙ୍ଗରିଆ କନ୍ଧମାନେ ଏକାଠି ହୋଇ ଥାନା ଘେରାଉ କରିଛନ୍ତି । ଲଦ ଶିକକାଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରି ଡଙ୍ଗରିଆମାନେ ପୋଲିସ ବିରୋଧରେ ନାରାବାଜି କରିଥିଲେ । ନିୟମଗିରି ସୁରକ୍ଷା ଆନ୍ଦୋଳନର ଆଗଧାଡ଼ିର ନେତା ଲଦ ଶିକକାଙ୍କ ଗିରଫ ପରେ ତେଜିଛି ପ୍ରତିବାଦ । ଗତକାଲି ଲାଞ୍ଜିଗଡ଼ କୋର୍ଟରୁ ଜାମିନରେ ବାହାରିବା ପରେ କଲ୍ୟାଣସିଂହପୁର ବ୍ଲକର ଢେପାଗୁଡ଼ା ଛକ ନିକଟରୁ ତାଙ୍କୁ ରାୟଗଡ଼ା ପୋଲିସ ଗିରଫ କରିଥିବା ଅଭିଯୋଗ ହୋଇଛି । ଲଦଙ୍କ ବିରୋଧରେ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ପୋଲିସ କହିଛି । ତାଙ୍କ ବିରୋଧରେ ୧୨ଟି କେସ୍ର ୱାରେଣ୍ଟ ଥିବା ନେଇ ରାୟଗଡ଼ା ଏସ୍ପି ରାଜେଶ କୁମାର ସୂଚନା ଦେଇଛନ୍ତି । ଘଟଣାର ତଦନ୍ତ ଚାଲିଥିବା ମଧ୍ୟ ପୋଲିସ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଲଦଙ୍କୁ ଗିରଫ କରିବା ପୂର୍ବରୁ ତାଙ୍କ ଓକିଲ କିମ୍ବା ପରିବାରକୁ ପୋଲିସ ସୂଚନା ଦେଇନଥିବା ନେଇ ଅଭିଯୋଗ ଉଠିଛି । ଏହାକୁ ନେଇ ଆଇନଜୀବୀମାନେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ଲଦଙ୍କ ଗିରଫ ଖବର ନିୟମଗିରି ଅଞ୍ଚଳରେ ପହଞ୍ଚିବା ପରେ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ଡଙ୍ଗରିଆ କନ୍ଧମାନେ ଏକାଠି ହୋଇଥିଲେ । ହନୁମାନ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ବାହାରି ଡଙ୍ଗରିଆମାନେ ପୋଲିସ ବିରୋଧରେ ନାରା ଦେଇ ଥାନା ନିକଟରେ ପହଞ୍ଚିଥିଲେ । ଥାନା ସମ୍ମୁଖରେ ପ୍ରତିବାଦ କରିବା ସହ ଲଦ ଶିକକାଙ୍କୁ ଯଥାଶୀଘ୍ର ମୁକ୍ତ କରିବାକୁ ଦାବି କରି ଲିଖିତ ଅଭିଯୋଗ ଦେଇଥିଲେ ଡଙ୍ଗରିଆମାନେ । ପରିସ୍ଥିତିକୁ ନଜରରେ ରଖି ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ରାୟଗଡ଼ା ଏସ୍ଡିପିଓ ଗୌରହରି ସାହୁ, ଚାନ୍ଦିଲି ଥାନା ଅଧିକାରୀ ଉତ୍ତମ କୁମାର ସାହୁ ଓ କଲ୍ୟାଣସିଂହପୁର ଥାନା ଅଧିକାରୀ ଅଜିତ ପରିଡ଼ା ଡଙ୍ଗରିଆମାନଙ୍କୁ ବୁଝାସୁଝା କରିଥିଲେ । ପରେ ଡଙ୍ଗରିଆମାନେ ସେଠାରୁ ଚାଲିଯାଇଥିଲେ ।ସୂଚନା ଅନୁସାରେ, ୨୦୧୨ ମସିହାରେ ସାନ ଡେଙ୍ଗେଲେଲି ଗ୍ରାମରେ ଘଟିଥିବା ଏକ ଘଟଣାକୁ ନେଇ ଲଦଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ସେହି ମାମଲାରେ ଗିରଫ ଲଦ ଶିକକାଙ୍କୁ ରାୟଗଡ଼ା କୋର୍ଟରେ ହାଜର କରାଯାଇଥିବା ଜଣାପଡ଼ିଛି ।