pakka

ସମ୍ବିଧାନ ପ୍ରଦତ୍ତ ରାଜନୈତିକ ଆରକ୍ଷଣ ଅଧିକାର ହାସଲ ପାଇଁ ପ୍ରସ୍ତୁତି : ମହୁଲପଡା ଗାଁରେ ବିଶାଳ ଆଦିବାସୀ ମେଳି

bbehera

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଅଧିନସ୍ଥ ମହୁଲପଡା ଗାଁରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଏକ ବିଶାଳ ଆଦିବାସୀ ମେଳି ଅନୁଷ୍ଠିତ ହୋଇଯାଇଛି । ସଶସ୍ତ୍ର ଆଦିବାସୀମାନେ ପାରମ୍ପରିକ ବେସଭୂଷା, ଢ଼ାପ ଡକା ବାଦ୍ୟର ତାଳେ ତାଳେ ନୃତ୍ୟ କରି ଶୋଭାଯାତ୍ରାରେ ଗାଁ ପରିକ୍ରମା କରିଥିଲେ । ଗ୍ରାମ୍ୟ ଧରନୀ ଦେବୀଙ୍କୁ ପୂଜାର୍ଚନା କରିସାରିବା ପରେ ସଂଘର ବ୍ଲକ ସଭାପତି ପଦ୍ମନ ପ୍ରଧାନୀଙ୍କ ଅଧ୍ୟକ୍ଷତାରେ ସଭା କାର୍ୟ୍ୟ ଆରମ୍ଭ ହୋଇଥିଲା । ସଭାରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଗୀତାଞ୍ଜଳି ଭୋଇ, ମୁଖ୍ୟ ବକ୍ତା ଭାବରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ସଂଘର ମହାସଚିବ ନିରଞ୍ଜନ ବିଶି, ଉପଦେଷ୍ଟା ଅବସରପ୍ରାପ୍ତ ଅବକାରୀ ଅଧିକ୍ଷକ ପୁରୁଷୋତ୍ତମ ଧରୁଆ, ଜିଲ୍ଲା ସମ୍ପାଦକ ହେମେନ୍ଦ୍ର ନାଥ ହାଁସଦା, ବ୍ଲକ ସମ୍ପାଦକ ସାରଥି ବାଗ, ପ୍ରଫୁଲ୍ଲ ପ୍ରଧାନୀ, ଶ୍ରୀମତୀ ମାହେଶ୍ୱରୀ ମାଝି, ଥବିର ପୂଝାରୀ, ଭୁବନ ମାଝି, ନଗର ସଭାପତି ନିତ୍ୟାନନ୍ଦ ମାଝି, ଉତ୍କଳକନ୍ଧ ସମାଜ ଲୁହା ପ୍ରଗଣା ଚୈତନ୍ୟ ମାଝି, ଦେବସିଂ ମାଝି ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ । ସଭାରେ ଆଦିବାସୀମାନଙ୍କୁ ଦେଶର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ କିସ୍‌ ବିଶ୍ୱବିଦ୍ୟାଳୟ ଢାଞ୍ଚାରେ ନିଃଶୁକ୍ଳ ବୈଷୟିକ ଶିକ୍ଷା, ଗୁଣାତ୍ମକ ଶିକ୍ଷା, ଉଚ୍ଚ ଶିକ୍ଷା ପ୍ରଦାନ କରିବା, ଆଦିବାସୀ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ ପାଠପଢିବା ପାଇଁ ମୋବାଇଲ ଫୋନ ପ୍ରଦାନ, ଭାରତୀୟ ସମ୍ବିଧାନର ଆର୍ଟିକଲ ୨୪୩ ଡି ଅନୁସାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀମାନଙ୍କୁ ରାଜନୈତିକ ପ୍ରତିନିଧିତ୍ୱ ସୁରକ୍ଷା ସହିତ ବ୍ଲକୱାରୀ ଆଦିବାସୀ ଜନସଂଖ୍ୟା ଭିତ୍ତିରେ ଆରକ୍ଷଣ ପ୍ରଦାନ, ନକଲି ଆଦିବାସୀମାନଙ୍କୁ ବହିଷ୍କାର, ଆଦିବାସୀମାନଙ୍କ ଜମି, ଜଳ, ଜଙ୍ଗଲ ସୁରକ୍ଷା, ଆଦିବାସୀ ସଂସ୍କୃତି, ଧାର୍ମିକ ବିଶ୍ୱାସ, ପ୍ରାଥଗତ ଆଇନର ସଂରକ୍ଷଣ କରିବା, ଆଦିବାସୀ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ସେବାଶ୍ରମ କନ୍ୟାଶ୍ରମ ଆଶ୍ରମ ଗୁଡିକୁ ଆଦର୍ଶ ବିଦ୍ୟାଳୟ ଭଳିଆ ଭିତ୍ତିଭୂମି ସୃଷ୍ଟି କରିବା, ଓଡିଶା ଭୁସଂସ୍କାର ଆଇନଧାରା ୨୩ ଅନୁସାରେ ଅଣଆଦିବାସୀଙ୍କ ଦଖଲରେ ଥିବା ଆଦିବାସୀ ଜମି ଫେରସ୍ତ କରିବା, ଆଦିବାସୀଙ୍କ ଜଙ୍ଗଲ ଜମି ଅଧିକାର ସ୍ୱୀକୃତି ଆଇନ ଅନୁସାରେ ଆଦିବାସୀଙ୍କୁ ପଟ୍ଟା ପ୍ରଦାନ, ଆଦିବାସୀ ଚାଷୀମାନଙ୍କୁ ନିଃଶୁଳ୍କ ସୌର ଗଭୀର ନଳକୂପ ପ୍ରଦାନ, ସରକାରୀ ବିଭାଗର ଠିକା ନିଯୁକ୍ତିରେ ଆଦିବାସୀ ପ୍ରାର୍ଥୀମାନଙ୍କୁ ଶତକଡା ୨୩ ପ୍ରତିଶତ ସଂରକ୍ଷଣ ପ୍ରଦାନ, ଆଦିବାସୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଶୋଷଣ କରୁଥିବା ମାଇକ୍ରୋ ଫାଇନାନ୍ସ କମ୍ପାନୀର କର୍ମଚାରୀମାନଙ୍କୁ ଗିରଫ କରିବା, ମହିଳା ମିଶନ ଶକ୍ତି ଦ୍ୱାରା ଆଦିବାସୀ ଏସ.ଏଚ.ଜି ଗୃପକୁ ରାଷ୍ଟ୍ରୟତ୍ତ ବ୍ୟାଙ୍କରୁ ଋଣ ମଞ୍ଜୁରୀ କରିବା, ଆଦିବାସୀ ଶ୍ରମିକ ମାନଙ୍କୁ ୨୫୦ ଦିନର ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ନିଯୁକ୍ତି ପ୍ରଦାନ, ନିର୍ମାଣ ଶ୍ରମିକମାନଙ୍କ ପୁଅ ଝିଅର ବିବାହ ଏବଂ ପାଠପଢା ପାଇଁ ଶ୍ରମିକ କଲ୍ୟାଣ ବୋର୍ଡ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ ପ୍ରଭୃତି ଦାବୀଗୁଡିକ ଉପରେ ଆଲୋଚନା କରାଯାଇଥିଲା । ଆଦିବାସୀମାନଙ୍କ ସମସ୍ୟା ସମ୍ବଳିତ ସ୍ମାରକ ପତ୍ର ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିବାକୁ ନିଷ୍ପତ୍ତି କରାଯାଇଥିଲା । ସୁନୀଲ ମାଝି, ପତ୍ରଙ୍ଗି ମାଝି, ଶତ୍ରୁଘ୍ନ ମାଝି, ସନ୍ତୋଷ ମାଝି, ସୁବାଷ ଭୋଇ, ଗଣପତି ପ୍ରଧାନୀ, ଦଳଗଞ୍ଜନ ପ୍ରଧାନୀ, ସବିତା ଭୋଇ, ଲଳିତ ପ୍ରଧାନୀ, ନିରାକାର ପ୍ରଧାନୀ, ରୀନା ମାଝି ମଞ୍ଚାସୀନ ଥିଲେ । ଦଳଗଞ୍ଜନ ପ୍ରଧାନୀ, ଜ୍ୟୋତିଷ ପ୍ରଧାନୀ, କଣ୍ଠ ମାଝି, କୁଞ୍ଜ ମାଝି ପ୍ରମୁଖ ସାଂସ୍କୃତିକ ଶୋଭାଯାତ୍ରା ପରିଚାଳନା କରିଥିଲେ । ମାହେଶ୍ୱରୀ ମାଝି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

13 + 5 =