
ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱଚ୍ଛତା ଓ ସବୁଜ ବଳୟ ସୃଷ୍ଟି କରିବାର ନିର୍ଭର ପ୍ରତିବଦ୍ଧତା ନେଇ ନିରନ୍ତର କାର୍ଯ୍ୟ କରୁଥିବା ଅନୁଷ୍ଠାନ କ୍ଲିନ୍ ଓ ଗ୍ରୀନ୍ ତା’ର ସାପ୍ତାହିକ କାର୍ଯ୍ୟକ୍ରମ, ପାନପୋଷ ନଦୀଘାଟ ଠାରେ ଏକ ବୃହତ୍ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲା । ଦୀର୍ଘ ଦିନ ଧରି ନଦୀ ଘାଟ ଅତ୍ୟନ୍ତ ଅପରିଷ୍କାର ହୋଇ ପଡ଼ିଥିଲା । ଲୋକେ ପୂଜା ସାମଗ୍ରୀ, ବାସି ଫୁଲ, ପୁରୁଣା ଲୁଗା ଆଦି ନଦୀରେ ପକାଇବା ଫଳରେ ଘାଟ ବ୍ୟବହାର ଅନୁପଯୋଗୀ ହୋଇ ପଡ଼ିଥିଲା । ନଦୀ ପାଣି ମଧ୍ୟ ପ୍ରଦୂଷିତ ହେଉଥିଲା । ଏହାକୁ ଦେଖି ଅନୁଷ୍ଠାନ ପକ୍ଷରୁ ଏହି ଘାଟକୁ ସଫା କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଦୀପାବଳୀ ପରି ପବିତ୍ର ଦିବସରେ ମଧ୍ୟ ସଂସ୍ଥାର ପ୍ରାୟ ୨୫ ଜଣ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେମାନେ ଦୀର୍ଘ ଦୁଇ ଘଣ୍ଟା ଧରି ଅକ୍ଲାନ୍ତ ପରିଶ୍ରମ କରି ନଦୀ ଘାଟ ଓ ତା’ର ପାରିପାର୍ଶ୍ୱିକ ସ୍ଥାନକୁ ସଫା କରିଥିଲେ । ନଦୀ ପାଣି ଭିତରୁ ପୁରୁଣା ଲୁଗା, ପୂଜା ସାମଗ୍ରୀ, ପଲିଥିନ୍ ଓ ବାସି ଫୁଲ ବାହାର କରାଯାଇଥିଲା । ସଦସ୍ୟମାନଙ୍କ ପରିଶ୍ରମ ଫଳରେ ପ୍ରାୟ ଏକ ଟ୍ରାକ୍ଟର ପରିମାଣର ଅଳିଆ ବାହାରିଥିଲା । ପରେ ସେହି ଅଳିଆକୁ ନିର୍ଦ୍ଧାରିତ ସ୍ଥାନରେ ପକାଇ ଘାଟକୁ ସମ୍ପୂର୍ଣ୍ଣ ବ୍ୟବହାର ଉପଯୋଗୀ କରାଗଲା । ଆଗକୁ ଛଟ୍ ପର୍ବ ଓ କାର୍ତ୍ତିକ ପୂର୍ଣ୍ଣିମା ଆସୁଥିବାରୁ ଏହି ଘାଟରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ହେବ । ସେଥିପାଇଁ ଅନୁଷ୍ଠାନ ପକ୍ଷରୁ ଆଗୁଆ ଏହି ପ୍ରକାର କାର୍ଯ୍ୟକ୍ରମ ସମ୍ପନ୍ନ କରାଯାଇଥିଲା । ଏହା ଦ୍ୱାରା ଶ୍ରଦ୍ଧାଳୁମାନେ ପରିଷ୍କାର ପରିବେଶରେ ପୂଜା କରି ପାରିବେ । ଅନୁଷ୍ଠାନର ସଦସ୍ୟମାନେ କହିଛନ୍ତି, ନଦୀକୁ ପରିଷ୍କାର ରଖିବା ସମସ୍ତଙ୍କ ଦାୟିତ୍ୱ । କେବଳ ସରକାର ବା ଗୋଟିଏ ଅନୁଷ୍ଠାନ ଦ୍ୱାରା ଏହା ସମ୍ଭବ ନୁହେଁ । ସମସ୍ତେ ମିଶି କାମ କଲେ ହିଁ ସହର ପରିଷ୍କାର ଓ ସୁନ୍ଦର ହେବ । ଆଗାମୀ ଦିନରେ ମଧ୍ୟ ଏହି ସାପ୍ତାହିକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଜାରି ରହିବ ବୋଲି ସେମାନେ କହିଛନ୍ତି ।