
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ମାନ୍ୟବର ବିଚାରପତି ଦିଲ୍ଲୀପ କୁମାର ବିଶ୍ୱାଳ ଏକ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ଚୂଡ଼ାନ୍ତ ବିଚାର କରି ବିନିକା ଥାନା ଅନ୍ତର୍ଗତ ଗୌଡପଡ଼ା ଗ୍ରାମର ଅଭିଯୁକ୍ତ ଆଲୋକ ବାରିକକୁ ୨୩ ବର୍ଷ ୫ ମାସ ଏବଂ ୧୦ ଦିନର ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ମାମଲାର ବିବରଣୀ ଅନୁଯାୟୀ ୨୦୨୩ ମସିହା ଏପ୍ରିଲ ୫ ତାରିଖ ଦିନ ବିନିକା ମହିଳା ମହାବିଦ୍ୟାଳୟକୁ ପରୀକ୍ଷା ଦେବାକୁ ଆସିଥିବା ଜଣେ ୧୭ ବର୍ଷର ନାବାଳିକାକୁ ଅପହରଣ କରାଯାଇଥିଲା । ଏ ନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ବିନିକା ଥାନାରେ ଏକ ଲିଖିତ ଅଭିଯୋଗ ହେବା ପରେ ପୋଲିସ କେସ୍ ନଂ ୭୯/୨୦୨୩ରେ ଏକ ମାମଲା ରୁଜୁ କରି ପିଡ଼ିତାକୁ ସାତଦିନ ପରେ ଉଦ୍ଧାର କରିଥିଲେ ଓ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ତଦନ୍ତ ଅଧିକାରୀ ଭାରତୀୟ ପିଙ୍ଗଳ କୋଡ୍ର ଧାରା ୩୬୩ /୩୬୬/ ୩୭୬(୨)(ଏନ୍) ଓ ପୋକ୍ସୋ ଆକ୍ଟର ଧାରା ୬ ଅଧୀନରେ ଅଭିଯୁକ୍ତ ବିରୁଦ୍ଧରେ ଅଭିଯୋଗ ପତ୍ର ଦାଖଲ କରିଥିଲେ । ଆଜି ରାୟ ପ୍ରକାଶ କରି ମାନ୍ୟବର କୋର୍ଟ ପୋକ୍ସୋ ଆକ୍ଟର ଧାରା ୬ ଅଧୀନରେ ଅଭିଯୁକ୍ତକୁ ୨୩ ବର୍ଷ ୫ ମାସ ୧୦ ଦିନର ସଶ୍ରମ କାରାଦଣ୍ଡ ସହ ୨୫,୫୫୦ ଟଙ୍କା ଜରିମାନା ଅନାଦେୟ ଆଉ ୧ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହିତ ଭାରତୀୟ ପିଙ୍ଗଳ କୋଡ଼୍ (ଆଇପିସି)ର ଧାରା ୩୬୩ ଅନୁଯାୟୀ ୩ ବର୍ଷ କାରାଦଣ୍ଡ ଓ ୧୦,୦୦୦ ଟଙ୍କା ଜରିମାନା ଏବଂ ଧାରା ୩୬୬ ଅନୁଯାୟୀ ୪ ବର୍ଷ କାରାଦଣ୍ଡ ଓ ୩,୦୦୦ ଟଙ୍କା ଜରିମାନା ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଦଣ୍ଡ ଏକାସଙ୍ଗେ ଚାଲିବା ପାଇଁ ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ କାରାଦଣ୍ଡ ଭୋଗିବାକୁ ପଡ଼ିବ ଏବଂ ଆଦାୟ ହେବାକୁ ଥିବା ଜରିମାନା ରାଶି ପୀଡ଼ିତାଙ୍କୁ କ୍ଷତିପୂରଣ ଆକାରରେ ପ୍ରଦାନ କରାଯିବ ବୋଲି କୋର୍ଟ ନିଜ ରାୟରେ ସ୍ପଷ୍ଟ କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ଅଭିଯୋଜନ ନିର୍ଦେଶାଳୟର ଉପ-ନିର୍ଦ୍ଦେଶକ ବେଣୁଲାଲ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଅଭିଯୋଜକ ବିପିନ ବିହାରୀ ବିଦ୍ୟାଧର ମାମଲାଟିକୁ ପରିଚାଳନା କରିଥିଲେ ଓ ଏଥିରେ ସହ-ନିର୍ଦେଶକ ହିମାଂଶୁ ଶେଖର ପଣ୍ଡା ସହଯୋଗ କରିଥିଲେ ।